Odiapua.com

ଆଖଣ୍ଡଳମଣି ପୀଠର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ସଂପ୍ରସାରଣ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ କାର୍ଯ୍ୟ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସର୍ବ ପୁରାତନ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଧାମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ । ଆଜି ସୋମବାର ଜିଲାପାଳ ଶ୍ରୀ ରାଉତରାୟଙ୍କ ସହ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ରଙ୍କ ସହ ଅନ୍ୟ ଅଧିକାରୀମାନେ ଆରଡି ପୀଠରେ ପହଂଚିବା ପରେ ପ୍ରଥମେ ବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ପୀଠରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ମନ୍ଦିର କାର୍ଯ୍ୟାଳୟରେ ସେବାୟତ ଓ ଟ୍ରଷ୍ଟବୋର୍ଡ ସଭ୍ୟଙ୍କ ସହ କରିଥିଲେ । ବିଶେଷକରି ପୀଠକୁ ନୂଆ ରୂପରେଖ ଦେବାପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪୨ କୋଟି ଟଙ୍କାର ସଂପ୍ରସାରଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲାପାଳ କଥା ହୋଇଥିଲେ । ଏଥିସହ କାର୍ଯ୍ୟରତ ଶିବ ପ୍ଲାଜା, ଗାଡି ପାର୍କିଂ, ଶିବଗଂଗା ପୁଷ୍କରିଣୀର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପୀଠ ଓ ମନ୍ଦିର ଚତୁପ୍ୱାର୍ଶ ସଂପ୍ରସାରଣ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ ଜିଲାପାଳ ଶ୍ରୀ ରାଉତରାୟ । ସେହିଭଳି ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆଶ୍ରୟ ପାଇଁ ନିର୍ମାଣ ହୋଇଥିବା ପାନ୍ଥନିବାସ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାର ସୂଚନା ଦେବା ସହ ଜିଲାସ୍ତରୀୟ ସାଇନ୍ସ ପାର୍କ କାର୍ଯ୍ୟ ଆସନ୍ତା ଏକମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଗ୍ରାଉଣ୍ଡ ଜିରୋରୁ ସେ ବିଭାଗୀୟ ଅଧିକାରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଅନ୍ୟପଟେ ପୀଠରେ ୧୧ କୋଟିରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ବୁଲି ଦେଖିବା ପରେ ଜିଲାପାଳ ଫେରିଯାଇଥିଲେ । ଏହି ଗସ୍ତ ସମୟରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲେଇ, ଆରଡି ଆର.ଆଇ. ଦେବାଶିଷ ରାୟ, ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ସେବାୟତ ଗଦାଧର ପାଢୀ, ଆଶିଷ ପାଢୀ, ଅରବିନ୍ଦ ପାଢୀଙ୍କ ସହ ବହୁ ସେବାୟତ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।