Odiapua.com

ଆଖଣ୍ଡଳମଣି ପୀଠରେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ଆରମ୍ଭ, ମନ୍ଦିର ବେଢା ପରିସରରୁ ୧୯ ଦୋକାନ ଗୃହ ଉଛେଦ

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳି ଭାବେ ପରିଚିତ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ଦୀର୍ଘ ୫୦ବର୍ଷ ପରେ ଆରମ୍ଭ ହେଲା ମାଷ୍ଟରପ୍ଲାନ କାର୍ଯ୍ୟକାରୀ । ଏପରିକି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ପରାମର୍ଶ କ୍ରମେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ମନ୍ଦିର ବେଢା ଭିତର ଓ ବାହାରେ ଥିବା ୧୫ଭୋଗ ଦୋକାନ ସମେତ ୧୯ଗୋଟି ଦୋକାନ ଗୃହ ସୋମବାର ଉଛ୍ୟେଦ କରାଯାଇଛି । ଏହି ଉଛ୍ୟେଦ କାର୍ଯ୍ୟରେ ଚାନ୍ଦବାଲି ବିଡିଓ ଜ୍ୟୋତିପ୍ରକାଶ ଦାସ, ତହସିଲିଦାର ଶୁଶାନ୍ତ ସୁତାର, ଧାମନଗର ଅତିରିକ୍ତ ତହସିଲିଦାର ଅଭିପ୍ସା ପଟନାୟକ,ଜଣେ ଏଏସପି, ୩ଜଣ ଏସଡିପିଓଙ୍କ ସହ ବ୍ୟାପକ ପୋଲିସ ମୃତ୍ୟୟନ କରାଯାଇଥିଲା । ଉଛ୍ୟେଦ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ମଣିବାବାଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ସକାଳ ୯ଟାରେ ଇଲେକ୍ଟ୍ରି ମ୍ୟାସିନ ଦ୍ୱାରା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିରର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କ କହିବା ଅନୁଯାୟୀ ଉଛ୍ୟେଦ ହେବାକୁ ଥିବା ଦୋକାନୀମାନଙ୍କୁ ଦୀର୍ଘମାସ ହେବ ନଟକା ଜାରି କରାଯାଇଥିବା ବେଳେ ରବିବାର ସୁଧା ଖାଲି କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଗତକାଲି ରାତି ସୁଧା ଦୋକାନୀମାନେ ତାଙ୍କର ଦୋକାନ ଗୃହ ଖାଲି କରିବା ପରେ ସୋମବାର ପ୍ରଶାସନ ପକ୍ଷରୁ ଉଛ୍ୟେଦ ପ୍ରକ୍ରିୟା କରାଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସୂଚନା ଅନୁଯାୟୀ ଦୀର୍ଘ ୫୦ବଷ ହେବ ପୀଠରେ ମାଷ୍ଟରପ୍ଲାନ ପାଇଁ ବ୍ଲୁ ପ୍ରଣ୍ଟି ପ୍ରସ୍ତୁତ ହୋଇଥିଲେ ମଧ୍ୟ କେତେବେଳେ ଅର୍ଥ ବାଧକ ସାଜିଥିଲା ତ ଆଉ କେତେବେଳେ ସ୍ଥାନୀୟ କିଛି ଲୋକଙ୍କ ବିରୋଧ ଯୋଗୁ ଉକ୍ତ ମାଷ୍ଟରପ୍ଲାନ କାର୍ଯ୍ୟ ଫାଇଲ ମଧ୍ୟରେ ଅଟକି ଯାଇଥିଲା ।

ହେଲେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠର ବିକାଶ ମୂଳକ କାର୍ଯ୍ୟ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୬କୋଟି ଟଙ୍କା ମଞୁର କରାଯିବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନକୁ ଦାୟୀତ୍ୱ ଭାର ଦିଆଯାଇଥିଲା । ଏପରିକି ଗତ କିଛିଦିନ ତଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାଜ୍ୟ ଦେବୋତ୍ତର ବିଭାଗ ଓ ପ୍ରତ୍ନତ୍ତ୍ୱତ୍ତ ବିଭାଗର ଅଧିକାରୀମାନେ ଆରଡିପୀଠକୁ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଜିଲାପ୍ରଶାସନ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । କିଛିମାସ ପୂର୍ବେ ଜିଲା ପ୍ରଶାସନ ପକ୍ଷରୁ ପୀଠର ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରିବା ସହ ସୈାନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ଆରକିଟେକର ଓ ଜିଲା ଟାଉନପ୍ଲାନିଂ ପକ୍ଷରୁ ଏକ ବ୍ଲୁ ପ୍ରଣ୍ଟି ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନାରେ ମନ୍ଦିର ଗର୍ଭଗୃହର ମରାମତି ସହ ମନ୍ଦିର ବେଢା ଚଟାଣ ଓ ପ୍ରାଚେରୀର ସୈାନ୍ଦର୍ଯ୍ୟକରଣ, ଶିବଗଙ୍ଗା ପୁଷ୍କରିଣୀର ସୈାନ୍ଦର୍ଯ୍ୟକରଣ ସହ ଚନ୍ଦନ ମନ୍ଦିର ନିର୍ମାଣ, ଭକ୍ତମାନଙ୍କ ସୁଗମ ଦର୍ଶନ ନିମନ୍ତେ ଏକ ପାଦଚଲା ରାସ୍ତା, ଭକ୍ତମାନଙ୍କ ଉପାସନା ପାଇଁ ୩ମହଲା ବିଶିଷ୍ଟ କୋଠା, ଶ୍ରାବଣୀ ମନ୍ଦିର , ଯଜ୍ଞ ମଣ୍ଡପ ନିର୍ମାଣ ଆଦି ପ୍ରକଳ୍ପ ପାଇଁ ପାଖାପାଖି ୪୮କୋଟି ଟଙ୍କାର ଏକ ଚିଠା ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା । ହେଲେ ଏପଟେ ପ୍ରଶାସନ ପକ୍ଷରୁ ଜବରଦଖଲ ସହ କିଛି ଦୋକନ ଗୃହ ଉଛ୍ୟେଦ କରାଯିବା ପରେ ସୈାନ୍ଦର୍ଯ୍ୟକତଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଦୀର୍ଘ ୪ଶହ ବର୍ଷ ହେବ ମନ୍ଦିର ଓ ପୀଠର କୈାଣସି ବିକାଶ ମୂଳକ କାର୍ଯ୍ୟ ହୋଇନଥିବା ବେଳେ ଏବେ ବଦଳିବ ପୀଠ ଓ ମନ୍ଦିରର ରୂପରେଖ ।