Odiapua.com

ଆଖଣ୍ଡଳମଣି ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ, ସମୀକ୍ଷା କଲେ ରାଜ୍ୟ ସାଙ୍ଗଠନିକ ସଂପାଦକ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ଧାମର ବାବା ଆଖଣ୍ଡଳମଣି ମନ୍ଦିର ବେଢା ଓ ପୀଠର ସଂପ୍ରସାରଣ ଓ ଉନ୍ନତିମୂଳକ କାମ ପାଇଁ ଆଜି ପୀଠରେ ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପହଞ୍ଚି ସମୀକ୍ଷା କରିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଓ ୪ ଦ୍ୱାର ଗୁମୁଟର ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା ୬ କୋଟି ଟଙ୍କା। ଏହାର କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୨ୟ ପର୍ଯ୍ୟାୟ ପୀଠର ପ୍ରବେଶ ପଥ ଠାରୁ ଆରମ୍ଭ କରି ମନ୍ଦିର ଚତୁଃପାର୍ଶ୍ୱର ସଂପ୍ରସାରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ଦେଖିଥିଲେ ଶ୍ରୀ ଦାସ। ଶ୍ରୀ ଦାସ ପୀଠରେ ପହଞ୍ଚିବା ପରେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେବାୟତମାନଙ୍କ ସହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ଓ ଜଳଲାଗି କରିବା ସହ ମଣିବାବାଙ୍କ ଦର୍ଶନ କରିଥିଲେ। ଶ୍ରୀ ଦାସଙ୍କ ଗସ୍ତରେ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ, ତହସିଲଦାର ସୁଶାନ୍ତ ସୂତାରଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟର ଏକ ପୁରାତନ ଶୈବକ୍ଷେତ୍ର ହୋଇଥିବାରୁ ପୀଠର ବିକାଶ ନିମନ୍ତେ ବହୁବାର ସେବାୟତମାନେ ଦାବି କରିଆସୁଥିଲେ। ପୀଠର ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ହୋଇଥିବାରୁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସାଙ୍ଗଠନିକ ସଂପାଦକ ଶ୍ରୀ ଦାସ ସେବାୟତମାନଙ୍କୁ କହିଥିଲେ। ଏହି ସଂପ୍ରସାରଣ କାର୍ଯ୍ୟ ନିମନ୍ତେ ଉଚ୍ଛେଦ ହେବାକୁ ଥିବା ବାସଗୃହ ଓ ଦୋକାନ ଗୃହର ଥଇଥାନ ପାଇଁ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଣବ। ପୀଠରେ ଦୀର୍ଘବର୍ଷ ହେବ ସଂପ୍ରସାରଣ ଓ ଉନ୍ନତି ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ପାଇଁ ଅର୍ଥ ବାଧକ ସାଜିଥିଲା। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ପୀଠର ମାଷ୍ଟରପ୍ଲାନ ବାସ୍ତବ ରୂପ ନେବ ବୋଲି ବରିଷ୍ଠ ସେବାୟତ ଗଦାଧର ପାଢୀ, ଅରବିନ୍ଦ ପାଢୀ, ବିଜୟ କୁମାର ଦାଶ, କିଶୋର ମୋହନ ଦ୍ୱିବେଦୀ, ପପୁନ ପାଢୀ, ସୁରେନ୍ଦ୍ର ପାଢୀ ପ୍ରମୁଖ କହିଛି।