Odiapua.com

ଆଖଣ୍ଡଳମଣି ପୀଠରୁ ହଟିବ ଜବରଦଖଲ : ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ମୁଖ୍ୟ ରାସ୍ତାର ସଂପ୍ରସାରଣ ପାଇଁ ଗତ କିଛିମାସ ହେବ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହି ମାମଲାର ଶୁଣାଣି ଗତ ବୁଧୁବାର ଦିନ ହାଇକୋର୍ଟଙ୍କ ଏକ ଦୁଇଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ନାମା ଭଦ୍ରକ ଜିଲାପାଳଙ୍କ ହସ୍ତଗତ ହୋଇଛି । ଏହି ଶୁଣାଣିରେ ଆଖଣ୍ଡଳମଣି ପୀଠରୁ ଜବରଦଖଲ ଉଚ୍ଛେଦ ବିଷୟ ଉଲ୍ଲେଖ ରହିଛି । ପୀଠର ସଂକୀର୍ଣ୍ଣତା ଦୂର କରିବା ପାଇଁ ତୁରନ୍ତ ଏହି ପୀଠର ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ସହିତ ମନ୍ଦିର ଚତୁଃପାଶ୍ୱର୍ ରାସ୍ତା, ମଣିବାବାଙ୍କ ପୂଣ୍ୟତୋୟା ଶିବଗଂଗା ପୁଷ୍କରଣୀର ଚତୁଃର୍ପାଶ୍ୱର୍ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ମାମଲା ଦାଏୟ କରିଥିବା ଅଭିଯୋଗକାରୀଙ୍କ ଲିଖିତ ବୟାନ ଅନୁଯାୟୀ ଓଡ଼ିଶାର ଏହା ଏକ ପୁରାତନ ଶୈବ ପୀଠ ହୋଇଥିବାରୁ ଦୈନନ୍ଦିନ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି । ମାତ୍ର ପୀଠ ପରିସର ଓ ମୁଖ୍ୟ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଆଗନ୍ତୁକ ପର୍ଯ୍ୟଟକ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଏଥିସହ ପୀଠ ପରିସର ମଧ୍ୟକୁ ଜରୁରୀ କାଳୀନ ସେବା ନିମନ୍ତେ ଅଗ୍ନିସେବା ଗାଡି କିମ୍ବା ଆମ୍ବୁଲାନ୍ସଟିଏ ଆସିପାରୁନାହିଁ । ଯାହାକି ବିପଦ ସମୟରେ ବହୁ କ୍ଷୟକ୍ଷତି ଘଟାଉଛି । ଅନ୍ୟପଟେ ଗତ କିଛିଦିନ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ପୀଠର ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହିତ ମାପଚୁପ ସହ ଚିହ୍ନ ଦିଆଯାଇଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାହା କେତେଦୂର କାର୍ଯ୍ୟକାରୀ କରାଯାଉଛି, ଦେଖିବାକୁ ବାକି ରହିଲା ।