ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଉତ୍ସବ ଆସନ୍ତା ଜୁନ୍ ୧୯ରେ ବୈଦିକ ରୀତିନୀତି ଓ ଲୋକାଚାର ଅନୁଯାୟୀ ଅନୁଷ୍ଠିତ ହେବ। ଏଥିପାଇଁ ବୈଶାଖମାସ ଶୁକ୍ଳପକ୍ଷ ନୃସିଂହ ଚତୁର୍ଦ୍ଦଶୀରେ ଅବସରରେ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା କାର୍ଯ୍ୟ ସମାପନ ହେବା ପରେ ଶୁକ୍ରବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଲଗ୍ନ ଚିଟାଉ ଥାଳି ଉଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ବାବାଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଅପରାହ୍ନ ୪ଟାରେ ବାବାଙ୍କ ପାଖରୁ ଆଜ୍ଞାମାଳ ଆସିଥିଲା। ସେବାୟତମାନେ ଆଜ୍ଞାମାଳକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଇ ବରପିତା ଗଦାଧର ପାଢ଼ୀଙ୍କ ଘରେ ବିଜେ କରାଇବା ପରେ ବୈଦିକ ରୀତିନୀତି ଅନୁଯାୟୀ ବରପିତା ଗଦାଧର ପାଢ଼ୀଙ୍କ ଦାତା କେନ୍ଦ୍ରାପଡ଼ା ଜିଲା ବାଟିପଡା ନିବାସୀ ଅସିତ କୁମାର ସାହୁ ଓ ସୁମିତ୍ରା ସାହୁ କର୍ତାଭାବେ କାର୍ଯ୍ୟ ତୁଲାଇବା ସହ ଜ୍ଞାତିକୁଟୁମ୍ବଙ୍କୁ ସାଥିରେ ନେଇ ସଂକିର୍ତନ , ତେଲିଙ୍ଗିବାଜା, ମାଦଳ ବାଜା, ବାଣ-ରୋଷଣୀ ଆଦିରେ କନ୍ୟାପିତାଙ୍କ ଘରକୁ ଯାତ୍ରା କରିଥିଲେ। ଲଗ୍ନ ଚିଟାଉ ଥାଳି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆରଡି ପୀଠ ପରିକ୍ରମା କରିବା ପରେ କନ୍ୟାପିତା ଭାବେ ସେବାୟତ ବିଚିତ୍ର ପାଢୀ ଓ ତାଙ୍କ ଦାତା କେନ୍ଦୁଝର ନିବାସୀ ମାନସ ରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ପ୍ରଣୟିନୀ ସାହୁଙ୍କ ପକ୍ଷରୁ ଆୟୋଜିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲା। ସେଠାରେ ଶଙ୍ଖ ହୁଳହୁଳି ସହ ଲଗ୍ନ ଚିଟାଉ ଥାଳିକୁ ପାଛୋଟି ନେଇଥିଲେ କନ୍ୟାଘରର ଲୋକମାନେ। ସେଠାରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷଙ୍କ ପକ୍ଷରୁ ଲୋକାଚାରରେ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ତାଳପତ୍ରରେ ଲେଖନି ଦ୍ୱାରା ଆସନ୍ତା ଜୁନ୍ ମାସ ୧୯ତାରିଖ କୃଷ୍ଣପକ୍ଷ ପଂଚମୀ ତିଥିରେ ଦେବଦମ୍ପତିଙ୍କ ବିବାହ ପାଇଁ ସମୟନୀର୍ଘଂଟ ସ୍ଥିର କରଯାଇଥିବା ଲେଖାଯିବା ପରେ ସର୍ବସମ୍ମତିକ୍ରମେ ଜ୍ୟୋତିଷଙ୍କ ପାଠକରାଯାଇଥିଲା। ପରେ ଉକ୍ତ ଲଗ୍ନ ଚିଟାଉ ଥାଳିକୁ କନ୍ୟାପିତା ବରପିତାଙ୍କୁ ସମର୍ପଣ କରିବା ପରେ ପୁର୍ନବାର ଘଂଟା କିର୍ତନ ବାଦ୍ୟ ସହ ବରପିତାଙ୍କ ଘରେ ଜ୍ଞାତିକୁଟମ୍ବଙ୍କ ଗହଣରେ ଲଗ୍ନ ଚିଟାଉ ପାଠ କରାଯାଇଥିଲା। ପରେ ବରପିତା ଓ କନ୍ୟାପିତାଙ୍କ ଘରେ ଗୁଆ ମଙ୍ଗୁଳା ଯିବା ପରେ ଦେବାଦେବୀ ଓ ବନ୍ଧୁ ପରିଜନଙ୍କୁ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ବଂଟନ ପାଇଁ ଦିନ ଧ୍ୟାର୍ଯ୍ୟ କରାଯାଇଥିଲା ।କାର୍ଯ୍ୟ ସୁଚାର ରୂପେ ସମ୍ପନ୍ନ ହେବା ପାଇଁ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ବେଳେ ଶୋଭାଯାତ୍ରାରେ ଜିଲା ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଲଗ୍ନଥାଳ ଉଠା ଶୋଭାଯାତ୍ରାରେ ଅଗଣିତ ଭକ୍ତ ଓ ମନ୍ଦିରର ସେବାୟତ , ପ୍ରଶାସନିକ ଅଧିକାରୀ ପ୍ରମୁଖ ସାମିଲି ହୋଇଥିଲେ।