Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରରେ ସୂର୍ଯ୍ୟୋପରାଗ ନୀତିକାନ୍ତି ସଂପନ୍ନ, ସର୍ବମୋକ୍ଷ ଯାଏଁ ବନ୍ଦ ରହିଲା ମନ୍ଦିର, ବିଳମ୍ବିତ ରାତିରେ ସମାପନ ହେଲା ସକାଳ ନୀତିକାନ୍ତି

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ମନ୍ଦିର ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଭୋର ୪.୫୪ ମିନିଟ୍‌ରେ ପାକତ୍ୟାଗ ହେଉଥିବାରୁ ଗତକାଲି ବିଳମ୍ବିତ ରାତିରେ ଅର୍ଥାତ୍ ରାତି ୨.୩୦ ମିନିଟ୍ ରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆରତୀ, ମହାସ୍ନାନ, ଘର୍ଷଣ ଲାଗି, ଜଳାଭିଷେକ ନୀତି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ଏଥିସହ ଦ୍ୱାରପାଳ ପୂଜା, ପାଶ୍ୱର୍ଦେବତା ପୂଜାର୍ଚ୍ଚନା କରାଯାଇଥିଲା। ଆଜି ଭୋର୪.୧୫ ମିନିଟ୍‌ରେ ବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ଖେଚୁଡି ଅନ୍ନନୀତି ଲାଗି କରାଯାଇଥିଲା। ମନ୍ଦିରର ପରମ୍ପରା ଅନୁଯାୟୀ ପାକତ୍ୟାଗର ନିର୍ଦ୍ଧାରିତ ସମୟ ୪.୫୪ ରେ ମଣିବାବାଙ୍କୁ ପହୁଡ କରାଯାଇଥିଲା। ମନ୍ଦିରର ନିୟମ ଅନୁସାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ମନ୍ଦିରର ଚାରିଦ୍ୱାର ଗୁମୁଟ ବନ୍ଦ ରଖାଯାଇଥିଲା। ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬.୨୬ ରେ ହେଉଥିଲେ ମଧ୍ୟ ସୂର୍ଯ୍ୟ ଅଦୃଶ୍ୟ ଥିବାରୁ ଆସନ୍ତାକାଲି ସକାଳ ୬.୨୬ ମିନିଟ୍‌ରେ ସୂର୍ଯ୍ୟୋଦ୍ୱୟ ପରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବ। ପୀଠର ପରମ୍ପରା ଅନୁଯାୟୀ ଆଜି ଦିନତମାମ ବନ୍ଦ ରହିଥିଲା ସାଧାରଣ ଭକ୍ତଙ୍କ ଦର୍ଶନ ପୂଜାର୍ଚ୍ଚନା।