Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶ୍ୱଶାନ୍ତି ଗୀତାଯଜ୍ଞ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ପବିତ୍ର ଗୁରୁପୂର୍ଣ୍ଣିମା ପାଇଁ ସପ୍ତଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତାଯଜ୍ଞ ଅନୁଷ୍ଠିତ ହେଉଅଛି। ଏହି ଅବସରରେ ମନ୍ଦିରର ନୀତିକାନ୍ତି ଅନୁଯାୟୀ ଭୋର ୫ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସଂପନ୍ନ ହେବା ପରେ ମଣିବାବାଙ୍କୁ ଫୁଲଚନ୍ଦନ ବିଲ୍ୱପତ୍ର ଲାଗି କରାଯାଇ ଦିଗମ୍ବର ବେଶ ସଜ୍ଜିତ କରାଯାଉଛି। ପରେ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଗୋ ପୂଜା ସରିବା ପରେ ମଧ୍ୟାହ୍ନରେ ଯଜ୍ଞମଣ୍ଡପକୁ ଶୋଧନ କରାଯାଇ ପଞ୍ଚ ଉପଚାରରେ ପୂଜା କରାଯିବା ସହ ବିଶ୍ୱଶାନ୍ତି ନିମନ୍ତେ ଯଜ୍ଞକୁଣ୍ଡରେ ଶ୍ରୀମଦ ଭଗବତ ଗୀତାର ପ୍ରତି ଶ୍ଲୋକରେ ଘୃତ, ଫଳମୂଳ, ଅନ୍ନ ଆହୁତି ପ୍ରଦାନ କରାଯାଉଅଛି। ଏଥିସହ ପ୍ରତିଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରବଚନ ଅନୁଷ୍ଠିତ ହେଉଅଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।