ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଗଣେଷ ପୂଜା ପାଇଁ ବୁଧବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମଣିବାବାଙ୍କ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ମୁକ୍ତିମଣ୍ଡପରେ ଥିବା ବାବା ବୁଢାଗଣେଷଙ୍କ ନିକଟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମଧ୍ୟାହ୍ନରେ ଘଟ ଉତୋଳନ ଓ ଷୋଡଶ ଉପଚାର ପୂଜା ଆରମ୍ଭ ହେବା ସହ ଲାଗି ହୋଇଥିଲା ୧୦୮ଭୋଗ ଥାଳି। ଘିଅରେ ପ୍ରସ୍ତୁତ କାକରା, ପିଠା, ମାଲପୁଆ, ଲଡୁ ଆଦି ଭୋଗ ଭକ୍ତିର ସହ ଲାଗି କରିଥିଲେ ଶ୍ରଦ୍ଧାଳୁମାନେ। ଭକ୍ତମାନଙ୍କର ପୂଜାର୍ଚ୍ଚନା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରୀତିନୀତି ଅନୁଯାୟୀ ଗଣେଶ ମଣ୍ଡପରେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା। ସେହିପରି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଗ୍ରପୂଜ୍ଯ ଗଜାନନଙ୍କର ପୂଜାର୍ଚ୍ଚନା କରାଯାଇଥବାବେଳେ ଶିବଗଙ୍ଗା ପୁଷ୍କରିଣୀ କୂଳ ଗଜାନନ କମିଟି, ମେଡିକାଲ ଛକ ଗଣେଶ କମିଟି ପକ୍ଷରୁ ଗଜାନନଙ୍କ ପୂଜା ମହା ଆଡମ୍ବର ସହ ପାଳନ ହେଉଛି।