Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ : କରୋନା ପାଇଁ ବିନା ଭକ୍ତରେ ସମ୍ପନ୍ନ ହେଲା ନୀତିକାନ୍ତି, ପଞ୍ଚାନନ ବେଶରେ ସଜ୍ଜିତ ହେଲେ ମଣିବାବା

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ମହାମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇଥିବାରୁ ଚଳିତବର୍ଷ ବିନା ଭକ୍ତରେ ସମସ୍ତ ନଥିକାନ୍ତି ସମ୍ପନ୍ନ ହୋଇଛି । ଦେବସ୍ନାନ ନୀତି ନିମନ୍ତେ ଭୋର ୪ଟାରେ ଦ୍ୱାରଫିଟା ହେବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଆଦି ସମସ୍ତ ସକାଳ ନୀତିକାନ୍ତି ପୂର୍ବାହ୍ଣ ୧୧ଟା ସୁଧା ସରିବା ପରେ ଦେବସ୍ନାନ ନୀତିକାନ୍ତି ପାଇଁ ସୀମିତ ସେବାୟତ ମାକ୍ସ ପରିଧ୍ୟାନ କରି ଘଣ୍ଟା, ଛତ୍ର, ଆଲଟ, ଚାମର ସହ ୫୧ଗୋଟି ଜଳକଳସ ମନ୍ଦିର ନକଟସ୍ଥ ଶିବଗଙ୍ଗା ପୁଷ୍କରିଣୀରୁ ଆଣିବା ପରେ ମନ୍ଦିର ଭିତର ବେଢାରେ ଅଗୁର, ଚନ୍ଦନ, କର୍ପୁର ଆଦିରେ ସୁବାଷିତ କରାଯାଇ ମଣିବାବାଙ୍କୁ ମହାସ୍ନାନ କରାଯାଇଥିଲା । ପରେ ମନ୍ଦିର ଶୋଧନ କରାଯାଇ ମଣିବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯିବା ସହିତ ବଡନୀତିଭୋଗ ଲାଗି କରାଯାଇଥିଲା । ଅପରାହ୍ଣ ୪ଟାରେ ବଡସିଂହାର ବେଶ, ସଂଧ୍ୟାରେ ଷୋଡଶ ଉପଚାର ପୂଜା ଆଦି ସମ୍ପନ କରାଯାଇଥିଲା । ସେହିପରି ପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂତ୍ତୀଙ୍କୁ ଧାଡି ପହଣ୍ଡି କରାଯାଇ ଦେବସ୍ନାନ ନୀତି ସହ ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ, ଭୂଇଁପୁର ଜଗନାଥ ମନ୍ଦିର, ଓଳଗମଠରେ ପତିତପାବନ ମନ୍ଦିରରେ ରୀତିନୀତି ଅନୁଯାୟୀ ଦେବସ୍ନାନ ନୀତି ସମ୍ପନ୍ନ ହୋଇଥିଲା ।