Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ଆରମ୍ଭ, ଶିବଗଙ୍ଗା ପୁଷ୍କରଣୀରେ ଚାପ ଖେଳିଲେ ହରଗୌରୀ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଯାଏଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା । ଏଥିପାଇଁ ୨୧ଦିନ ଧରି ମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଜଳାଭିଷେକ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା । ପରେ ଗ୍ରୀଷ୍ମଋତୁର ଭିତର ଶୀଳ ଉପଚାର ନୀତି କରାଯିବା ପରେ ଆଗନ୍ତୁକ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସାହଣମେଲା କରାଯାଇଥିଲା । ସମସ୍ତ ସକାଳ ନୀତିକାନ୍ତି ଅପରାହ୍ନ ୪ଟା ସୁଧା ସରିବା ପରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ପରେ ଏକ ସୁସଜ୍ଜିତ ପାଲିଙ୍କିରେ ମଣିବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ବିଜେ କରାଯାଇ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଥିବା ଚନ୍ଦନ ମଣ୍ଡପକୁ ବିଜେ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମଣିବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ (ହରଗୌରୀ) ମହାସ୍ନାନ, ଚନ୍ଦନ ଲାଗି ସହ ପଞ୍ଚ ଉପଚାର ପୂଜା, ଷୋଡଶ ପୂଜା ସରିବା ପରେ ୨ଟି ଡଙ୍ଗାରେ ପ୍ରସ୍ତୁତ ଚାପ ଡଙ୍ଗାକୁ ପ୍ରତିଷ୍ଠା କରାଯାଇ ଚନ୍ଦ୍ରଶେଖରଙ୍କୁ ପୁଷ୍କରିଣୀ ମଧ୍ୟରେ ସେବାକାରୀମାନେ ନାବକେଳି କରାଇଥିଲେ । ଏହି ଯାତ୍ରାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସହସ୍ରାଧିକ ଭକ୍ତଙ୍କ ଭିଡ ଜମିଥିଲା ।