Odiapua.com

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଚୂଡାନ୍ତ ସମନ୍ୱୟ ବୈଠକ ଅନୁଷ୍ଠିତ, ଭୋର ୪.୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଚଳିତମାସ ୨୬ରେ ଅନୁଷ୍ଠିତ ହେବ। ଯାତ୍ରା ଆଉମାତ୍ର ୩ଦିନ ବାକିଥିବାରୁ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଶେଷକରି ଜାଗରଯାତ୍ରାରେ ଆଗନ୍ତୁକ ଳକ୍ଷାଧିକ ଭକ୍ତ ଉଜାଗର ରହି ଦୀପଜାଳିବା ସହ ମହାଦୀପ ଓ ସୁନାବେଶ ଦର୍ଶନ କରିବେ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ସହ ଭରାନଦୀରେ ମଟରଚାଳିତ ଡଙ୍ଗାରେ ପାରି ହୋଇ ଆସୁଥିବା ଭକ୍ତମାନେ ଯେପରି ସୁଚାର ରୂପେ ଜଳଯାତ୍ରା କରିବେ ସେଥିପାଇଁ ପୂର୍ବାଂଚଳ ଡିଆଇଜି ଡ. ସତ୍ୟଜିତ ନାୟକ, ଭଦ୍ରକ ଏସପି ସନ୍ଦିପ ମଡକର ସମ୍ପଦ, ଏଏସିପି ଅଂଶୁମାନ ଦ୍ୱିବେଦୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପୀଠରେ ଘନଘନ ସ୍ଥିତି ପରଖିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ବାହାର ଚତୁଃପାର୍ଶ୍ୱ ସଂକିର୍ଣ୍ଣ ରାସ୍ତା ଥିବାରୁ ଭକ୍ତମାନଙ୍କର କିପରି ଭାବେ ଭିଡ ନିୟନ୍ତ୍ରଣ ହୋଇପାରିବ ସେଥିପାଇଁ ଭଦ୍ରକ ଏସପି ଶ୍ରୀ ମଡକର ପୀଠରେ ଦୀର୍ଘସମୟ ଧରି ରହି କ୍ଷେତ୍ର ପରିଦର୍ଶନ କରିବା ସହ ମନ୍ଦିର ବେଢାରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଜାଗରଯାତ୍ରାରେ ହେବାକୁ ଥିବା ସ୍ୱତନ୍ତ୍ର ନୀତି ଓ ସୁନାବେଶ ଦର୍ଶନ , ମହାଦୀପ ମନ୍ଦିର ଚୂଡାକୁ ଉଠିବା ନେଇ ହୋଇଥିବା ନୀତିନୀର୍ଘଂଟ ବାବଦରେ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ। ଚଳିତବର୍ଷ ପୀଠରେ ଜାଗରଯାତ୍ରା ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨ଦିନ ଧରି ପାଳନ କରାଯିବ ବୋଲି ରବିବାର ଅନୁଷ୍ଠିତ ଚୂଡାନ୍ତ ସମନ୍ୱୟ ବୈଠକରେ ଜାଗରଯାତ୍ରା କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ପ୍ରକାଶ କରିଥିଲେ। ଏହି ବୈଠକରେ ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଚାନ୍ଦବାଲି ବିଡିଓ, ତହସିଲିଦାର ଭବତୋଷ ମଲିକ, ଜିଲା ଚିକିତ୍ସାଧିକାରୀ ଧୁଷୁରୀ ଥାନାଅଧିକାରୀ, ଟ୍ରଷ୍ଟବୋର୍ଡସଭ୍ୟ ସରୋଜ ଦାସ, ସେବାୟତପ୍ରତିନିଧି ସନ୍ତୋଷ ପାଢୀଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ , ଜିଲା ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଚଳିତବର୍ଷ ଆଗନ୍ତୁକ ଭକ୍ତମାନେ ବାବାଙ୍କୁ ଦର୍ଶନ ପାଇଁ ଦକ୍ଷିଣଦ୍ୱାରର ନୂତନ ମୁଖଚାଳି ଦ୍ୱାର ଦେଇ ବ୍‌୍ୟାରିକେଡରେ ଆସିବା ପରେ ମନ୍ଦିର ଭିତର ବେଢାକୁ ପ୍ରବେଶ କରି ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଥିଲେ। ସେହିପରି ରାତ୍ର ୧ଦ୩୦ରୁ ୩ଦ୩୦ଯାଏଁ ଦୀର୍ଘ ୨ଘଂଟା ଧରି ସୁନାବେଶ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ ବଢିବ ଓ ପରେ ଭୋର ୪ଦ୩୦ରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ। ଏହି ସମୟରେ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ଫୋର୍ସ ମୁତୟନ ରହିବେ ବୋଲି ଏସପି କହିଛନ୍ତି। ଅନ୍ୟପଟେ ପୀଠରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିଲେ ମଧ୍ୟ ଭଦ୍ରକ-ଆଖଣ୍ଡଳମଣି ମୁଖ୍‌୍ୟରାସ୍ତାର ବେତାଳିଗାଁ ଠାରୁ ଓଳଗମଠ ଓ ବେତାଳିଗାଁ ଠାରୁ ଅସୁରାଳି ଯାଏଁ ମରାମତି ହୋଇନଥିବାରୁ ଆଗନ୍ତୁକ ଭକ୍ତମାନେ ପୂର୍ବପରି ଖାଲଖମା ରହିଥିବାରୁ ଜିଲାପାଳ ଶ୍ରୀ ରାଉତରାୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି କହିଥିଲେକି ଯାତ୍ରା ପାଇଁ ଅସ୍ଥାୟୀ ମରାମତି କରାଯିବ। ସେହିପରି କୁଆଖିଆପ ଆଖଣ୍ଡଳମଣି ଜାତୀୟରାଜପଥର ପୀଠର ପ୍ରବେଶପଥ ଠାରୁ ବାଇପାସ ଛକ ଯାଏଁ ରାସ୍ତା ଅତ୍‌ଯନ୍ତ ଖରାପ ଥିଲେ ମଧ୍ୟ ମରାମତି ହୋଇ ପାରିଲା ନାହିଁ । ଜାଗରଯାତ୍ରା ପାଇଁ ଏହି ରାସ୍ତା ମରାମତି ପାଇଁ ଏକମାସ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜିଲାପାଳ, ତାହାସହ ଧାନଖଣିଆ-ଆଖଣ୍ଡଳମଣି, ତିହିଡି-ଆଖଣ୍ଡଳମଣି ରାସ୍ତା ପୂର୍ବପରି ଖାଲଖମା ହୋଇ ପଡିରହିଛି। ଅନ୍ୟପଟେ ପୀଠରେ ୩ଦିନ ଧରି ପାନୀୟଜଳ ଯୋଗାଣ, ନିରବିଛିନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।