Odiapua.com

ଆଖଣ୍ଡଳମଣିଙ୍କ ପୀଠର ବିକାଶ ପାଇଁ ବିସ୍ଥାପିତ ବ୍ୟବସାୟୀଙ୍କୁ ମିଳିବ ଦୋକାନଗୃହ, ଦୋକାନଗୃହ ଓ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ, ରାଜ୍ୟ ସମବାୟ ନିୟନ୍ତ୍ରିତ ବଜାର କମିଟ ପକ୍ଷରୁ ୨.୨କୋଟି ଟଙ୍କା ବ୍ୟୟ ବରାଦ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରମୁଖ ପ୍ରର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠର ବିକାଶ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ବିଶେଷକରି ବାବା ଆଖଣ୍ଡଳମଣିଙ୍କ ମନ୍ଦିରବେଢା, ଓ ପୁଷ୍କରିଣୀ ଚତୁଃପାଶ୍ୱର୍ର ସୈାନ୍ଦର୍ଯ୍ୟକରଣ ପାଇଁ ନାନାବିଧ ଯୋଜନା କରାଯିବା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଲୁପ୍ରଣ୍ଟି ପ୍ରସ୍ତୁତ କରାଯାଇଥିବାରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ମନ୍ଦିର ବେଢା ଓ ମୁଖ୍ୟ ବଜାରରେ ଥିବା ପାଖାପାଖି ୪୦ଗୋଟି ଦୋକାନ ଗୃହ ଉଛ୍ୟେଦ କରାଯାଇଥିବା ବେଳେ ଆଗକୁ ଅନେକ ସ୍ଥାନ ସମ୍ପ୍ରସାରଣ ପାଇଁ ବହୁ ଦୋକାନ ଗୃହ ହଟିବ । ହେଲେ ପ୍ରଶାସନ ପକ୍ଷରୁ ବିସ୍ଥାପିତ ବ୍ୟବସାୟୀମାନଙ୍କୁ ଦୋକାନ ଗୃହ ମିଳିନଥିବାରୁ ବିଭିନ୍ନ ସମୟରେ ଅସନ୍ତୋଷ ଦେଖା ଦେଉଥିଲା । ଆଜି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଚାନ୍ଦବାଲି ଆର.ଏମସି ଅଧିକାରୀଙ୍କ ଦ୍ୱାରା ଆଖଣ୍ଡଳମଣିଙ୍କ ପୁଷ୍ପଉଦ୍ୟାନ ସମୁଖରେ ଦୋକାନଗୃହ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିପାଇଁ ରାଜ୍ୟ ବଜାର ନିୟନ୍ତ୍ରିତ କମିଟ ପକ୍ଷରୁ ୨କୋଟି ୨ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟ ଆସନ୍ତା ୭ମାସ ମଧ୍ୟରେ ଶେଷ କରାଯାଇ ବିସ୍ଥାପିତ ଦୋକାନୀମାନଙ୍କୁ ଦିଆଯିବ ବୋଲି ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାୟ କହିଥିଲେ ।