Odiapua.com

ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଆଜି ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ପାଳିତ ହେବାକୁ ଥିବା ଶିବରାତ୍ରି ଉତ୍ସବ ଆୟୋଜନ ନେଇ ମନ୍ଦିରର ରୀତିକାନ୍ତି ସହ ବିଭାଗୀୟ ଦାୟିତ୍ୱ ଓ କାର୍ଯ୍ୟ ସମ୍ବନ୍ଧରେ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଶେଷକରି କୋଭିଡ୍ କଟକଣା ଜାରି ରହିଥିବାରୁ ଗତ ବର୍ଷର କଟକଣା ସହିତ ଉତ୍ସବ ପାଳନ ଓ ସ୍ୱାଭାବିକ ଭାବେ ପାଳନର ଆୟୋଜନ ଧାରାକୁ ସମୀକ୍ଷା କରାଯାଇଥିଲା। ଶିବରାତ୍ରି ପୂର୍ବରୁ କୋଭିଡ୍ କଟକଣା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଯଦି କିଛି କୋହଳ କରାଯାଏ ତେବେ ତଦନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ।

ତଥାପି ଜାଗର ଯାତ୍ରା ପୂର୍ବରୁ ଆନୁସଙ୍ଗିକ ବିଭାଗୀୟ କାର୍ଯ୍ୟ ସମାପନ କରିବାକୁ ଉପସ୍ଥିତ ସଂପୃକ୍ତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପୂର୍ତ୍ତ ବିଭାଗ ଦ୍ୱାରା ମନ୍ଦିର ବେଢ଼ାରେ ଚାଲୁ ରହିଥିବା ନିର୍ଦ୍ଦିଷ୍ଟ କେତୋଟି କାର୍ଯ୍ୟ ଶେଷ କରିବା ସହିତ ଆରଡ଼ି ଛକରୁ ଆଖଣ୍ଡଳମଣି ପୀଠ ପର୍ଯ୍ୟନ୍ତ ଯେଉଁଠି ଖରାପ ରାସ୍ତା ଅଛି ତାହା ମରାମତି କରିବାକୁ କହିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଏସ୍‌.ପି. ବି. କେରକେଟା, ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମନ୍ଦିରର ସେବାୟତ ବିଜୟ କୁମାର ଦାସ ଜାଗର ଦିନଠାରୁ ପରଦିନ ସୁନାବେଶ ପର୍ଯ୍ୟନ୍ତ ବିଭିନ୍ନ ପୂଜା ରୀତିକାନ୍ତି ନେଇ ସମୟ ନିର୍ଘଣ୍ଟ ଉପସ୍ଥାପନ କରିଥିଲେ। ଅନ୍ୟ ସେବାୟତ ଗଦାନନା, ବାବାଜୀ ପାଢ଼ୀ, ଚନ୍ଦ୍ରକାନ୍ତ ପାଢ଼ୀ, ଟ୍ରଷ୍ଟି ସଦସ୍ୟ ସରୋଜ ପାଢ଼ୀ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଡି.ଏସ୍‌.ପି., ଡି.ଆଇ.ବି. କମଳ ଲୋଚନ ଭୂୟାଁ, ମନ୍ଦିର ଟ୍ରଷ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ, ପରିଚାଳକ ସୁଧାକର ବିଶ୍ୱାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଜାଗର ଯାତ୍ରା ବ୍ୟବସ୍ଥା ସହ ମନ୍ଦିର ପରିବେଶ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ, ଆଲୋକ, ଶୌଚାଳୟ, ବିଦ୍ୟୁତ ଆଦି ବିଭିନ୍ନ ବିଷୟ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।