ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ଗ୍ରାମର ଗରିବ ବ୍ୟକ୍ତି ସୁଧାକର ଭୂୟାଁ ଗ୍ରାମରେ ଜଣେ ଅସାମାଜିକ ବ୍ୟକ୍ତି ଆକ୍ରମଣର ଶିକାର ହୋଇ ଭଦ୍ରକ ଡାକ୍ତରଖାନାରେ ପାଞ୍ଚ ଦିନ ଧରି ଚିକିତ୍ସିତ ହେଉଛି । ଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିଲେ ବି ଧାମନଗର ପୁଲିସ ଆକ୍ରମଣକାରୀକୁ ଅନୁକମ୍ପା ଦେଖାଉଛି ବୋଲି ଆହତ ସୁଧାକର ପ୍ରକାଶ କରିଛନ୍ତି । ଗ୍ରାମର ଛକମୁଣ୍ଡରେ କେବିନ ପକାଇ ଛୋଟମୋଟ ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ସୁଧାକର ଉପରେ ଗୋଲକ ଜେନା ଗତ ୨୯ ତାରିଖରେ ଅକସ୍ମାତ ଆକ୍ରମଣ କରିବା ସହ କେବିନକୁ ଭଙ୍ଗାଋଜା କରିଥିଲା । ଆକ୍ରମଣରେ ସୁଧାକର ଆହତ ହୋଇ ଭଦ୍ରକ ମେଡିକାଲର ସର୍ଜରୀ ୱାଡରେ ଗତ ପାଞ୍ଚଦିନ ଧରି ଚିକିତ୍ସିତ ହେଉଛି । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି । ଆର୍ଥୀକ ସକ୍ଷମ ନଥିବାରୁ ସୁଧାକର କଟକ ଯାଇ ପାରୁ ନାହିଁ । ଅନ୍ୟପକ୍ଷରେ ସୁଧାକରଙ୍କ ପତ୍ନୀ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଆକ୍ରମଣକାରୀକୁ ସୁରକ୍ଷା ଦେଉଛି ବୋଲି ଉଭୟ ପତିପତ୍ନୀ ପ୍ରକାଶ କରିଛନ୍ତି । ଆକ୍ରମଣକାରୀ ଥାନାରେ କରିଥିବା ମିଥ୍ୟା ଅଭିଯୋଗକୁ ତଦନ୍ତ କରୁଥିବା ବେଳେ ଆହତ ଗରିବ ପରିବାର ଅଭିଯୋଗକୁ ଏଡାଇ ଦେଉଥିବାରୁ ପୁଲିସର ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଥାନାଧିକାରୀଙ୍କୁ ଫୋନ ଯୋଗେ ବହୁବାର ଯୋଗାଯୋଗ କରାଯାଇ ଥିଲେ ବି ଥାନାଧିକାରୀ ଫୋନ ରିସିଭ କରିନଥିଲେ । ତେବେ ଅଭିଯୋଗକାରୀ ଏଥିନେଇ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।