Odiapua.com

ଆକାଶରୁ ଖସିଲା ଏକ ବିରାଟ କାୟ ବେଲୁନ, ଗ୍ରାମବାସୀ ଭୟଭୀତ

ବଲାଙ୍ଗୀର ୧୩-୦୯, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍‌ଅନ୍ତର୍ଗତ ସାନଡଙ୍ଗର ଗାଁ ପାଖ ବିଲରେ ଖସି ପଡ଼ିଥିବା ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ ଜିପିଏସ୍ ସିଷ୍ଟମ୍‌‌ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି କିଛି ମହିଳା ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍‌ ଆକାଶମାର୍ଗରୁ ଏକ ବଡ଼‌ ବେଲୁନ୍‌ ଖସି ଆସି ଚାଷ ଜମିରେ ପଡ଼ି ଫାଟି ଯାଇଥିଲା।

ଏଥିରେ ଜିପିଏସ୍ ସିଷ୍ଟମ୍‌ ‌ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଗାଁଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏନେଇ ଗାଁ ଲୋକେ ତୁଷୁରା ପୋଲିସ୍‌ ଖବରକୁ ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବେଲୁନ୍‌ ଓ ସେଥିରେ ଲାଗିଥିବା ଜିପିଏସ୍ ସିଷ୍ଟମ୍‌ ‌ଓ ଇଲେକ୍ଟ୍ରୋନିକ୍ ସର୍କିଟକୁ ଜବତ କରିଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଜିପିଏସ୍ ସିଷ୍ଟମ୍ ଖଞ୍ଜା ଯାଇଥିବା ବେଲୁନ୍‌ ଉଡାଉଥିଲା, ଏହାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି।