Odiapua.com

ଆକାଶମାର୍ଗରୁ କିମ୍‍ସରେ ପୁଷ୍ପବୃଷ୍ଟି କଲା ବାୟୁସେନା

ଭୁବନେଶ୍ୱର ୩-୫ (ଓଡ଼ିଆ ପୁଅ) : କରୋନା ସଂକ୍ରମିତଙ୍କୁ ଚିକିତ୍ସା ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଭାରତର ବିଭିନ୍ନ କୋଭିଡ୍‍ ହସ୍‍ପିଟାଲ୍‍ଗୁଡ଼ିକରେ ରବିବାର ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁଷ୍ପବୃଷ୍ଟି କରାଯାଇଛି। କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିକିତ୍ସା କରି ଏହାର ମୁକାବିଲା କରିବା ଲାଗି ନିଜକୁ ଉତ୍ସର୍ଗ କରିଥିବା କୋଭିଡ୍‍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଲାଗି ଆଜି କିମ୍‍ସ କୋଭିଡ୍‍ ହସ୍‍ପିଟାଲ୍‍ରେ ମଧ୍ୟ ବାୟୁସେନା ପକ୍ଷରୁ ହେଲିକପ୍‍ଟରରୁ ପୁଷ୍ପବୃଷ୍ଟି କରାଯାଇଛି। ଏଥି ପାଇଁ କିମ୍‍ସ କର୍ତ୍ତୃପକ୍ଷ ବିଶେଷ ଆନନ୍ଦ ପ୍ରକାଶ କରିଛନ୍ତି। ପୁଷ୍ପବୃଷ୍ଟି କରି କିମ୍‍ସ କୋଭିଡ୍‍ ହସ୍‍ପିଟାଲ୍‍ରେ କାର୍ଯ୍ୟରତ କୋଭିଡ୍‍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ ଆମେ ଭାରତ ସରକାରଙ୍କୁ କିମ୍‍ସ ଧନ୍ୟବାଦ ଜଣାଉଛୁ। ଏହା ଦ୍ୱାରା କିମ୍‍ସର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ୍‍ ଷ୍ଟାଫ ଓ ଅନ୍ୟ ସମସ୍ତ କୋଭିଡ୍‍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ହେବ ଓ ସେମାନେ ଉତ୍ସାହିତ ହୋଇ କରୋନା ମୁକାବିଲା ପାଇଁ ଆଗେଇ ଆସିବେ ବୋଲି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହା ସହ କିମ୍‍ସରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଶ୍ରୀ ସାମନ୍ତ ଭାରତ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି କୋଭିଡ୍‍ ହସ୍‍ପିଟାଲ୍‍ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି। ଶ୍ରୀ ସାମନ୍ତ ଡାକ୍ତରଙ୍କ ସମେତ ସମସ୍ତ କୋଭିଡ୍‍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ ଆମେ କରୋନା ଯୁଦ୍ଧ ପାଇଁ ଆଗେଇ ଆସିଛୁ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍‍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ, କିମ୍‍ସର ଅଧ୍ୟକ୍ଷ ଡା. ପି. କେ. ପଟ୍ଟନାୟକ ଓ ସୁପରିନ୍‍ଟେଣ୍ଡେଌକ୍ଷଗ୍ଧ; ଡା. ଅମ୍ବିକା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।