Odiapua.com

‘ଆକଳନ’ ର ପାର୍ବଣ ୨୦୨୪ ଉନ୍ମୋଚନ

ଭଦ୍ରକ, ୧୫ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟର ବିକାଶ ଓ ସୃଜନଶୀଳତାର ପରିଚୟ ପ୍ରତିଷ୍ଠା ପାଇଁ ସମାଲୋଚନାର ଯଥେଷ୍ଟ ଗୁରୁତ୍ୱ ରହିଥାଏ। ସମାଲୋଚନା ଓ ଗବେଷଣାତ୍ମକ, ସମୀକ୍ଷାଧର୍ମୀ ପ୍ରବନ୍ଧ ଆମ ସାହିତ୍ୟର ଗଳ୍ପ, କବିତା, ନାଟକ, ଓ ଉପନ୍ୟାସ ଇତ୍ୟାଦିର ପଥ ପ୍ରଦର୍ଶକ। ଯୁଗେ ଯୁଗେ ପ୍ରତ୍ୟେକ ସାହିତ୍ୟ ସମାଲୋଚନାର ଅସୀଧାରରେ ହିଁ ଅଧିକ ବିକଶିତ ହୋଇଥାଏ। ପ୍ରଫେସର ଡ. ଶଶଧର ଦାସଙ୍କ ସଂପାଦନାରେ ଭଦ୍ରକରୁ ପ୍ରକାଶ ପାଇଆସୁଥିବା ସମୀକ୍ଷା ସମୃଦ୍ଧ, ସମାଲୋଚନାଧର୍ମୀ ସାହିତ୍ୟ ପତ୍ରିକା ‘ଆକଳନ’ ହିଁ ବର୍ତମାନ ଓଡ଼ିଶାରେ ଭିନ୍ନ ଧରଣର ଏକମାତ୍ର ପତ୍ରିକା। ଯାହା ଲେଖକ ଓ ପାଠକ ମଧ୍ୟରେ ସଂପର୍କର ସେତୁ ଭଳି କାର୍ଯ୍ୟ କରିଆସୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆକଳନ ପତ୍ରିକାର ପାଠକାରପଣ, ପ୍ରବନ୍ଧ ସମ୍ମାନ ପ୍ରଦାନ ଓ ଅଷ୍ଟମ ପାର୍ବଣ ସମାରୋହରେ ଯୋଗଦେଇ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର, ପ୍ରଫେସର ଗିରିଶ ଚନ୍ଦ୍ର ଜେନା, ପ୍ରଫେସର ଡ. ବ୍ରଜମୋହନ ମିଶ୍ର, କଥାକାର ପବିତ୍ର ପାଣିଗ୍ରାହୀ, ପ୍ରଫେସର ଦେବାଶିଷ ପାତ୍ର ପ୍ରମୁଖ ଆକଳନର ପାର୍ବଣ ୨୦୨୪ ର ଉନ୍ମୋଚନ କରିବା ସହ ଉପରୋକ୍ତ ଅଭିମତ ରଖିଥିଲେ। ‘ଆକଳନ’ ତରଫରୁ ପ୍ରବନ୍ଧ ରଚନାରେ ଉତ୍କର୍ଷତା ପାଇଁ ଡ. ଦେବାଶିଷ ପାତ୍ର, ଡ. ସୁକାନ୍ତି ମହାପାତ୍ର, ଡ. ପ୍ରଜ୍ଞା ପ୍ରବର୍ତିକା ଦାଶ, ସୁଶୀ ପ୍ରିୀତିଲତା ପଣ୍ଡାଙ୍କୁ ପ୍ରବନ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭଦ୍ରକ ସହରର ସାହିତ୍ୟ, ସଂସ୍କୃତିର ପବିତ୍ର ପୀଠ ମହେନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ଏହି ସଭାରେ ଆକଳନର ସଂପାଦକ ଡ. ଶଶଧର ଦାସ ସଭା ସଂଚାଳନା କରିଥିଲେ। କବି ଭରତ ଦାଶ, ଅଧ୍ୟାପକ ଗୋଲକ ନାୟକ, ଡ. ବିଭୂତି ଭୂଣେ ସାହୁ, ସମ୍ବିତ ଖୁଂଟିଆ, ଲକ୍ଷ୍ମୀଧର ଦାସ ପ୍ରମୁଖ ସହଯୋଗ କରିଥିଲେ।