Odiapua.com

ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି ଲାଗିଛି : କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ

ନୂଆ ଦିଲ୍ଲୀ ୪-୩ (ଓଡ଼ିଆ ପୁଅ) ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂ କହିଛନ୍ତି ଯେ ଆଜି ଖବର ଆସିଛି ଯେ, କ୍ୱିଭରୁ ଆସୁଥିବା ବେଳେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି ଲାଗିଛି ତେଣୁତାଙ୍କୁ ପୁନଃ କ୍ୱିଭକୁ ନିଆଯାଇଛି।

ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ନବମ ଦିନ ଏବଂ ଏହି ସଂଗ୍ରାମ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତଥାପି କିଛି ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କ୍ୱିଭ ଏବଂ ବୃହତ୍ତମ ସହର ଖାର୍କିଭରେ ଅଟକି ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଋଷର ସେନା ଖାର୍କିଭ, ଚେର୍ନିଭିଭ, ବୋରୋଡାଏଙ୍କା, ମାରିଅପୋଲରେ ଭାରି ବୋମା ବିସ୍ଫୋରଣ କରିଛି।

ୟୁକ୍ରେନର ପଡୋଶୀ ଦେଶ ପୋଲାଣ୍ଡରେ ଉପସ୍ଥିତ ଥିବା ଜେନେରାଲ (ଅବସରପ୍ରାପ୍ତ) ଭି.କେ ସିଂ କହିଛନ୍ତି ଯେ ଆଜି ଖବର ଆସିଛିଯେ, କ୍ୱିଭରୁ ଆସୁଥିବା ବେଳେ ଜଣେ ଛାତ୍ରଙ୍କୁ ଗୁଳି ଲାଗିଛି ଏବଂ ଇତିମଧ୍ୟରେ ତାଙ୍କୁ କ୍ୱିଭକୁ ନିଆଯାଇଛି। ଆମେ ଅଳ୍ପ ପରିମାଣର କ୍ଷତି ସହ ଯଥାସମ୍ଭବ ପିଲାଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛୁ।

ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ସାତୋଟି ବିମାନରେ ଫେରିଛନ୍ତି : ଭି.କେ ସିଂ

ଭି.କେ ସିଂ କହିଛନ୍ତି ଯେ ୧୬୦୦-୧୭୦୦ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ଭାରତ ପଠାଯିବାର ଅଛି। ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୪୦୦ ଷ୍ଟୁଡେଣ୍ଟ ସାତୋଟି ବିମାନରେ ଯାଇଛନ୍ତି। କିଛି ଛାତ୍ରଛାତ୍ରୀ ନିଜସ୍ୱ ଉପାୟରେ ୱାର୍ସରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ପୋଲାଣ୍ଡରେ ସୁରକ୍ଷିତ ଅଛନ୍ତି। ସେ କହିଛନ୍ତି ଆସନ୍ତାକାଲି ଆମେ ସମୁଦାୟ ୫ ଟି ବିମାନ ଉଡ଼ାଣ କରିବୁ, ଯେଉଁଥିରେ ଆମେ ୮୦୦-୯୦୦ ପିଲାଙ୍କୁ ଭାରତ ପଠାଇବୁ। ପିଲାମାନେ ରହିବା ପାଇଁ ଆମେ ଏଠାରେ ଏକ ଅସ୍ଥାୟୀ ବ୍ୟବସ୍ଥା କରିଛୁ।