Odiapua.com

ଆଉ ଜଣେ ଦଳୀୟ କର୍ମୀ ଗିରଫ ହେଲେ ଦଳ ଉପଯୁକ୍ତ ଜବାବ ଦେବ – ବିଜେପି

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି, ତିହିଡ଼ି ବ୍ଲକ ତରଫରୁ ତିହିଡ଼ି ବ୍ଲକରେ ବ୍ୟାପକ ଦୁର୍ନୀତିର ପର୍ଦାଫାଶ କରିବା ପରିପ୍ରେକ୍ଷୀରେ ଏକ ଗଣଧାରଣାର ଡାକରା ଦିଆଯାଇଥିଲା । ବ୍ଲକରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ଏନ୍‌ଆର୍‌ଇଜିଏସ୍‌୍ ଭଳିି ଜନ କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆହୁତ ଗଣଧାରଣାକୁ କୌଶଳକ୍ରମେ ଓ ଉଦେଶ୍ୟମୂଳକ ଭାବେ ଅନିୟମିତତା ଓ ଦୁର୍ନୀତିକୁ ଚାପିବା ପାଇଁ ଅତ୍ୟନ୍ତ ଘୃଣ୍ୟପନ୍ଥା ବିଜୁ ଜନତା ଦଳ ପକ୍ଷରୁ କରାଯାଇଥିଲା । ଏହି ଗଣଧାରଣା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀ ଓ ତିହିିଡ଼ି ଥାନାକୁ ଲିଖିତ ଆକାରରେ ଅବଗତ କରାଯାଇଥିଲା । ମାତ୍ର ଗଣଧାରଣା ଦିନ ବ୍ଳକରେ କୌଣସି ସୁରକ୍ଷା ବ୍ୟବସ୍ଥା ପୋଲିସ୍ ତରଫରୁ କରାଯାଇ ନଥିଲା । ବିଜେପିର କାର୍ଯ୍ୟକର୍ତ୍ତା ଧାରଣା ସ୍ଥଳକୁ ଆସିଲା ବେଳକୁ ବିଜୁ ଜନତା ଦଳର ଗୁଣ୍ଡାମାନେ ଆସି ସରକାରୀ ଆସବାବ ପତ୍ର ଭାଙ୍ଗିବା ସହ ବିଶୃଙ୍ଖଳିତ ଆଚରଣ କରିଥିଲେ । ତେଣୁ ଉଦ୍ଦେଶ୍ୟମୂଳକ ଭାବେ ପୋଲିସକୁ ଚାପ ପ୍ରୟୋଗ କରି ସେମାନଙ୍କୁ ଅପସାରଣ କରାଯାଇ ଶାସକ ଦଳର ଗୁଣ୍ଡାମାନଙ୍କୁ ପ୍ରେରିତ କରି ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ଭାରତୀୟ ଜନତା ପାର୍ଟିକୁ ବଦନାମ କରାଯିବାର ଯେଉଁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଛି, ତାହାକୁ ଜିଲ୍ଲା ବିଜେପି ଦଳ ନିନ୍ଦା କରୁଛି । ଆଜି ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି ।

ଏଥିରେ ବିଜେପି ନେତୃମଣ୍ଡଳୀ ଯୋଗ ଦେଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ହିତାଧିକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା କଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି । ବ୍ଲକରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାକୁ ଲୋକ ଲୋଚନକୁ ଆଣିବାକୁ ଯାଇ ଚଂଚକତାର ସହ ଭାରତୀୟ ଜନତା ପାର୍ଟିକୁ ବଦନାମ କରିବାର ଷଡ଼ଯନ୍ତ୍ରର ଶିକାର ହେବା ଘଟଣାକୁ ଦୃଢ଼ ବିରୋଧ କରିବା ସହ ଆକ୍ରୋଶମୂଳକ ଭାବେ ନିରିହ ହିତାଧିକାରୀ ଓ ଭାରତୀୟ ଜନତା ପାର୍ଟରେ ନେତାଙ୍କୁ ଗିରଫ କରିବାରେ ଯେଉଁ ପ୍ରକ୍ରିୟା ତିହିଡ଼ି ପୋଲିସ ଆରମ୍ଭ କରିଛି ତାହା ପୋଲିସ ପ୍ରଶାସନକୁ ଭବିଷ୍ୟତରେ ମହଙ୍ଗା ପଡ଼ିବ ବୋଲି ସମ୍ମିଳନୀରେ ଦଳ ପକ୍ଷରୁ ଚେତାବନୀ ଦିଆ ଯାଇଛି । ଉଦାହରଣ ଦେବାକୁ ଯାଇ ଦଳ ପକ୍ଷରୁ କୁହାଯାଇଥିଲା ଯେ ଗତକାଲି ରାତିରେ କୁବେରା ଗ୍ରାମ ପଞ୍ଚାୟତର ଅମରେନ୍ଦ୍ର ନାୟକଙ୍କ କବାଟ ଓ ଆସବାବ ପତ୍ର ଭାଙ୍ଗି ପୋଲିସ ତାଙ୍କୁ ଅମାନବୀୟ ଅତ୍ୟାଚାର କରିବା ସହ ଏକ ଦୁର୍ଦ୍ଦାନ୍ତ ଅପରାଧୀ ସଦୃଶ ବ୍ୟବହାର କରିଛି । ଏଭଳି ହୀନ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରାନଗଲେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ଥାନା ଘେରାଉ କରାଯିବା ସହ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ । ଆବଶ୍ୟକ ପଡିଲେ ଏହି ଆନ୍ଦୋଳନ ବିଧାନସଭା ଓ ଡିଜି ଅଫିସ ଘେରାଓ ପର୍ଯ୍ୟନ୍ତ ଯିବ ବୋଲି ସଭାପତି ଶ୍ରୀ ପାଢୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଉଦୟ ନାରାୟଣ ମଲ୍ଲିକ, ଅଶୋକ ପରିଜା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ଧମାନଗର ବିଜେପି ପ୍ରଭାରୀ ବୁଦ୍ଧଦେବ ଜେନା ପ୍ରମୁଖ ସମ୍ମିଳନୀରେ ପ୍ରକାଶ କରିଥିଲେ ।