Odiapua.com

ଆଉ ଗୋଟିଏ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ପୁରୀ, ୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଉ ମାତ୍ର ଗୋଟିଏ ଦିନ ପରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ଓ ନୀତି ନିର୍ଘଂଟ ସଂପର୍କରେ ସମସ୍ତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଚି। ଏଥି ନିମନ୍ତେ ସ୍ନାନ ମଣ୍ଡପ କୁ ରଙ୍ଗ କରିବା ସହ ରଙ୍ଗ ବେରଙ୍ଗୀ ଚାନ୍ଦୁଆ ରେ ସୁସଜ୍ଜିତ କରାଯାଇଛି। ଆସନ୍ତା କାଲି ଅର୍ଥାତ୍ ୪ ତାରିଖ ଗୁରୁବାର ରାତି ୧ ରେ ମହାପ୍ରଭୁ ଙ୍କର ପହଣ୍ଡି ବିଜେ ଆରମ୍ଭ ହେବ।ଶ୍ରୀମ ନ୍ଦିର ର ରତ୍ନ ସିଂହାସନ ରୁ ପହଣ୍ଡି ବିଜେ ହୋଇ ଧାଡି ପହଣ୍ଡି ରେ ଚତୁର୍ଦ୍ଧାମୂର୍ତି ସ୍ନା ନ ବେଦୀ କୁ ବିଜେ କରିବେ। ଚତୁର୍ଦ୍ଧାମୂର୍ତି ସ୍ନାନ ମଣ୍ଡପରେ ବିଜେ ହେବା ପରେ ଅନ୍ୟାନ୍ୟ ସମସ୍ତ ନୀତି ଅନୁଷ୍ଠିତ ହେବ। ୫ ତାରିଖ ମଧ୍ୟାହ୍ନ ରେ ଶ୍ରୀ ଜିଉ ମାନଙ୍କର ଗଜାନନ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ରାଜ୍ୟ ରେ କରୋନା ପାଇଁ କୋଭିଡ୍‌-୧୯ ଆଇନ ଲାଗୁ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତ ମାନେ ମହାପ୍ରଭୁଙ୍କ ର ଏହି ଦୁର୍ଲଭ ଗଜାନନ ବେଶ ଦର୍ଶନ ରୁ ବଂଚିତ ହେବେ। ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଯେପରି ଜନସମାଗମ ନହେବ ସେଥିନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ରାତି ୧୦ ଟା ରୁ ୬ ତାରିଖ ଭୋର ପର୍ଯ୍ୟନ୍ତ ୧୪୪ ଧାରା ବଳବତର କରାଯାଇଛି। ଚଳିତ ବର୍ଷ କରୋନା ପାଇଁ ବିନା ଭକ୍ତରେ ପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଟ୍ରାଫିକ୍ ବ୍ୟବସ୍ଥା କୁ ମଧ୍ୟ କଡାକଡି କରାଯାଇଛି। ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ସ୍ନାନ ମଣ୍ଡପରେ ୧୦୮ ଗରା ପାଣି ସ୍ନାନ କରିବା ବିଧି ରହିଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ସ୍ନାନ ମଣ୍ଡପରୁ ଗୋଟି ପହଣ୍ଡି କରାଯାଇ ଶ୍ରୀ ମନ୍ଦିର କୁ ନିଆଯାଇ ଅଣସର ପିଣ୍ଡି ରେ ବିଜେ କରାଯିବାର ବିଧି ରହିଛି।