Odiapua.com

ଆଇନଜୀବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସ୍ମୃତିଚାରଣ ଓ ଆଇନ ଆଲୋଚନା ଚକ୍ର

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ପଂଚମ ସ୍ମୃତି ଚାରଣ ସଭା ଓ ଆଇନ ଆଲୋଚନା ଚକ୍ର ଭଦ୍ରକ ଓକିଲ ସଂଘ ଓ ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ମିଳିତ ସହଯୋଗରେ ନଳାଙ୍ଗ ସ୍ଥିତ ଜିଲ୍ଲା ଅଦାଲତ ପରିସରସ୍ଥ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ଓକିଲ ସଂଘର ସଭାପତି ବସନ୍ତ ଦାସ ପୌରୋହିତ୍ୟ କରିଥିଲେ। ବରିଷ୍ଠ ଆଇନଜୀବୀ ନିରାକାର ଜେନା, ପର୍ଶୁରାମ ଦ୍ୱିବେଦୀ ଓ ରଞ୍ଜନ ନାୟକ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଆଇନଜୀବୀ ପବନ ଶର୍ମା, ଦେବେନ୍ଦ୍ର ପଣ୍ଡା, ବିଷ୍ଣୁମୋହନ ମହାପାତ୍ର, ଶ୍ରୀକାନ୍ତ ବିଶ୍ୱାଳ ଏବଂ ମୋହରିର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱର୍ଗତ ମହାନ୍ତି ଯେ କେବଳ ବୃତିଗତ କ୍ଷେତ୍ରରେ ଦକ୍ଷ ଥିଲେ ତାହା ନୁହେଁ, ସେ ଜଣେ ସମାଜ ସୁଧାରକ, ସାହିତ୍ୟାନୁରାଗୀ ବ୍ୟକ୍ତିତ୍ୱ ଥିଲେ ବୋଲି ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବ ଆଇନଜୀବୀ ମାନସ ବେହେରାଙ୍କୁ ‘ଯତୀନ୍ଦ୍ର ମୋହନ ଯୁବ ଆଇନଜୀବୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଆଇନଜୀବୀ ଦେବେନ୍ଦ୍ର ପଣ୍ଡା, ମାନସ ଦାସ, ରଞ୍ଜନ ଲେଙ୍କା, ପ୍ରଦୀପ ଲେଙ୍କା, ସମାୟଲୁନ ନବୀ ପ୍ରମୁଖ ସମାରୋହର ପରିଚାଳନାରେ ସହଯୋଗ କରିଥିବା ବେଳେ ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।