Odiapua.com

ଆଇନଜୀବୀ ତଥା ସମାଜସେବୀ ଗୁରୁ ମହାନ୍ତିଙ୍କ ଏକାଦଶାହ ସ୍ମୃତିସଭା

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟର ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ଗୁରୁପ୍ରସାଦ ମହାନ୍ତିଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ବାଇପାସ୍ କାନ୍ତିବିହାର ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିସଭାରେ ବକ୍ତାମାନେ ସ୍ମୃତି ଚାରଣ କରି ସ୍ୱର୍ଗତ ଗୁରୁ ମହାନ୍ତି ଆଇନ ବ୍ୟବସାୟଠାରୁ ସମାଜସେବାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ବହୁ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରିବା ସହିତ ଛୋଟ ବ୍ୟବସାୟୀଙ୍କୁ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବାରେ ସହଯୋଗ କରୁଥିଲେ । ତାଙ୍କର ବ୍ୟବହାର ଏବଂ ଲୋକ ସମ୍ପର୍କ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ସେ କେବେ ଗର୍ବ ବଶବର୍ତ୍ତୀ ନ ହୋଇ ପରୋପକାରରେ ମନୋନିବେଶ କରିଥିଲେ । ତାଙ୍କ ଅବର୍ତ୍ତମାନ ଭଦ୍ରକ ବୁଦ୍ଧିଜୀବୀ ମହଲରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମାତ୍ର କିଛି ଦିନ ତଳେ ପୁତ୍ରକୁ ହରାଇଥିଲେ ବି ସ୍ୱର୍ଗତ ମହାନ୍ତି ନିଜେ ଭାଙ୍ଗି ନପଡି ଅନ୍ୟମାନଙ୍କ ପାଇଁ ଧୈର୍ଯ୍ୟର ଉଦାହରଣ ସାଜିଥିଲେ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଉପସ୍ଥିତମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାରେ ଭଦ୍ରକ ଔଷଧ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପ୍ରଦତ୍ତ ଶୋକବାର୍ତ୍ତା ପଠନ କରାଯାଇଥିଲା । ସଭାରେ ପଣ୍ଡିତ ଦୟାନିଧି ଦାଶ, ଅଶୋକ ମହାନ୍ତି, ସୁରେଶ ଚନ୍ଦ୍ର ମହାନ୍ତି, ରୋ. ଶିଶିର ମିଶ୍ର, ପ୍ରଦୀପ ବାରିକ, ପ୍ରବୀର ଜେନା, ପ୍ରଦୀପ ପଣ୍ଡା, କୁଂଜ କିଶୋର ଦାସ, ଅଜୟ ରାଉତ, ଦୁଃଶାସନ ପୃଷ୍ଟି, ରାକେଶ ପଣ୍ଡା, ବୃଷଭାନୁ ସାହୁ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।