Odiapua.com

ଆଇନକୁ ହାତକୁ ନେଇଥିବା ବିଧାୟକଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଦାବିକଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘ

ଭୁବନେଶ୍ୱର, ୮ା୬ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ଅଧିନରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀ ଶ୍ରୀ ଜୟକାନ୍ତ ଶବରଙ୍କୁ ଗତ ଜୁନ୍ ୫ ତାରିଖ ଦିନ ପାଟଣାଗଡ଼ର ନବନିର୍ବାଚିତ ବିଧାୟକ ଶ୍ରୀ ସରୋଜ କୁମାର ମେହେର ରାସ୍ତା ମଝିରେ ସର୍ବ ସମ୍ମୁଖରେ କଙ୍ଗାରୁ କୋର୍ଟ କରି ତାଙ୍କୁ ଦଣ୍ଡିତ କରିଛନ୍ତି। ଏପରିକି ସର୍ବସମ୍ମୁଖରେ କାନଧରି ପାଞ୍ଚମିନିଟ୍ ମଧ୍ୟରେ ଶହେଥର ବସ୍ଉଠ୍ ନହେଲେ ବିଧାୟକ ଶ୍ରୀ ମେହେର ତାଙ୍କୁ ମାଡ ମାରିବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ବିଧାୟକ ଶ୍ରୀ ମେହେର ଘଟଣାସ୍ଥଳରେ ଉପସ୍ଥିତ କଣ୍ଟାବାଞ୍ଝି ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶବରଙ୍କୁ ଚାପୁଡା ମାରିବାକୁ ନିର୍ଦ୍ଦେଶ ଦେବା ସହ ସେ ଚାପୁଡା ନମାରିଲେ ତାଙ୍କୁ ମଧ୍ୟ ଦଣ୍ଡ ମିଳିବ ବୋଲି ଖବର ମିଳୁଛି।

ବିଧାୟକଙ୍କ ଭଳି ଜନୈକ ନିର୍ବାଚିତ ଜନପ୍ରତିନିଧି ଆଇନ୍କୁ ନିଜ ହାତକୁ ନେଇ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଦଣ୍ଡ ଦେବା ଅତ୍ୟନ୍ତ ଗର୍ହୀତ ଓ ଆଇନ୍ ବିରୁଦ୍ଧ କାର୍ଯ୍ୟ ଅଟେ। ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘ ବିଧାୟକ ଶ୍ରୀ ସରୋଜ କୁମାର ମେହେରଙ୍କ ଏ ପ୍ରକାର ଆଇନ୍ ବିରୋଧୀ କାର୍ଯ୍ୟକୁ ଦୃଢ ନିନ୍ଦା କରୁଛି। ଯେହେତୁ ଆଇନର ଊଦ୍ଧ୍ୱର୍ରେ କେହି ନୁହଁନ୍ତି, ଆଇନ୍କୁ ହାତକୁ ନେଇଥିବା ବିଧାୟକଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ସଂଘ ସରକାରଙ୍କ ନିକଟରେ ଦାବି କରିଛି। ସଂଘର କେନ୍ଦ୍ରୀୟ କର୍ମକର୍ତ୍ତାବୃନ୍ଦ ଆଜି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ବିଧାୟକଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମିତ୍ତ ଦାବି କରିଛନ୍ତି।