– ଆଇଆଇଟି ଖଡ଼ଗପୁରରେ ଓଡିଶା ଇତିହାସର କଥା କହିଲେ କେନ୍ଦ୍ରମନ୍ତ୍ରୀ
– ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତି ହୋଇଥିବା ବ୍ରିଟିଶ ଅତ୍ୟାଚାର କଥା କହିଲେ
– ସୂର୍ଯ୍ୟ ଯେପରି ପୂର୍ବରୁ ଉଦୟ ହୁଏ, ସେପରି ଭାବରେ ଆଇଆଇଟି ଛାତ୍ରଛାତ୍ରୀଙ୍କୁ “ପୂର୍ବ ଭାରତ”ର ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ
– ଗରିବଙ୍କ କଲ୍ୟାଣ ପାଇଁ ଇନୋଭେସନ ଉତ୍ସର୍ଗ କରିବାକୁ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
– ବର୍ତମାନ ସମୟରେ ଉର୍ଜା ଓ ଇଂଟରନେଟ୍ ଜୀବନରେ ସବୁଠୁ ଦରକାରୀ
– ୨୦୩୫ ସୁଦ୍ଧା ଭାରତ ଏକ ନମ୍ବର ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ହେବ
– ଗତିଶୀଳ ରାଷ୍ଟ୍ରର ଏପି ସେଂଟର ହେବ ଆଇଆଇଟି ଖଡ଼ଗପୁର
ଖଡ଼ଗପୁର, ଡ଼ିସେମ୍ବର ୧୮ (ଓଡ଼ିଆ ପୁଅ) – ଆଇଆଇଟି ଖଡ଼ଗପୁର ଭଳି ଅଧିକାଂଶ ନବସୃଜନକୁ ଗୁରୁତ୍ୱ ଦେଉଥିବା ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା “ମୋ ଇନୋଭେସନ କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଲାଭ ଦେଉ”, ଏଭଳି ହେବା ଦରକାର ବୋଲି ଶନିବାର ଆଇଆଇଟି ଖଡ଼ଗପୁରର ୬୭ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅନେକ ସ୍ନାତକ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ପଦକ ଓ ପୁରସ୍କାର ବିତରଣ କରିବା ସହ ଏହି ଅବସରରେ ଇନୋଭେସନର ଯଥାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଛାତ୍ରଛାତ୍ରୀମାନେ ଗରିବ କଲ୍ୟାଣ, ରୋଜଗାର ବୃଦ୍ଧି, ନାଗରିକଙ୍କ ସ୍ୱାସ୍ଥ୍ୟ ପାଇଁ ନୂଆ ନୂଆ ଇନୋଭେସନ ଆଣିବା ଦରକାର। ଅସହାୟଙ୍କୁ ସଶକ୍ତ କରିବା ଏବଂ ସମଗ୍ର କ୍ଷେତ୍ରରେ ବିକାଶ ତଥା ଆବଶ୍ୟକତା ଆଧାରରେ ହିଁ ଇନୋଭେସନ ହେବା ଉଚିତ୍। ଆଇଆଇଟି ଖଡ଼ଗପୁରରୁ ପଢ଼ି ଗୁଗୁଲର ସିଇଓ ହୋଇଥିବା ସୁନ୍ଦର ପିଚାଇଙ୍କ ଭଳି ଆଇଆଇଟି ଛାତ୍ରଛାତ୍ରୀମାନେ ଏଭଳି ନେତୃତ୍ୱ ନେବାର ସ୍ୱପ୍ନ ଦେଖିବା ସହ ତାକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍।
ଆଇଆଇଟି ଛାତ୍ରଛାତ୍ରୀଙ୍କୁ ପୂର୍ବ ଭାରତର ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିବା ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ପୂର୍ବ ଭାରତର ବିକାଶ ନହେଲେ ଭାରତକୁ ଅର୍ଥନୀତିର ମହାଶକ୍ତି କରିବାର ଲକ୍ଷ୍ୟ ସାଧିତ ହେବ ନାହିଁ। ସୂର୍ଯ୍ୟ ଯେପରି ପୂର୍ବରୁ ଉଦୟ ହୁଏ, ସେପରି ଭାବରେ ଆମକୁ ପୂର୍ବ ଭାରତକୁ ହିଁ ପ୍ରଥମେ ଗୁରୁତ୍ୱ ଦେବାକୁ ହେବ। ପୂର୍ବ ଭାରତରେ ପରିଶ୍ରମୀ ମାନବ ସମ୍ବଳ, ସୁଦୀର୍ଘ ବେଳାଭୂମି, ଅପାର ଖଣିଜ ସମ୍ପଦ ଓ ଅନେକ ସମ୍ଭାବନା ରହିଛି। ପୂର୍ବ ଭାରତର ବିକାଶ କରିବା ଆମର ପ୍ରଥମ ଲକ୍ଷ୍ୟ ହେଉ। ସ୍ୱଳ୍ପ ମୂଲ୍ୟରେ ଅଭିନବ ବିକଳ୍ପ ଶକ୍ତି
ମଡେଲ, ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ନୂତନତ୍ୱ କେବଳ ଦେଶକୁ ଅର୍ଥନୈତିକ ସଶକ୍ତିକରଣ ଏବଂ ନିଯୁକ୍ତି ସୃଷ୍ଟି କରିବ ନାହିଁ ବରଂ ଏହା ପୂର୍ବୋଦୟ ଏବଂ ଏକ ଆତ୍ମନିର୍ଭର ଭାରତକୁ ମଧ୍ୟ ଗତି ଦେବ।
ସେ କହିଛନ୍ତି ଯେ ଆଇଆଇଟି ଖଡ଼ଗପୁରରେ ଐତିହ୍ୟ, ସଂସ୍କାର, ବଳିଦାନ ଓ ଶତାବ୍ଦୀର କାହାଣୀ ରହିଛି। ଗୋଟିଏ ସମୟରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶା ଉପରେ କବଜା କରିଥିଲା। ଏହି ସମୟରେ ଜୟୀ ରାଜଗୁରୁ ଯୁଦ୍ଧର ରାସ୍ତାକୁ ଓହ୍ଲାଇଥିଲେ। ମାତ୍ର ଇଂରେଜମାନେ ଜୟୀ ରାଜଗୁରୁଙ୍କୁ କ୍ରୁରତାର ସହିତ ବରଗଛ ଡାଳରେ ଦୁଇ ଗୋଡକୁ ବାନ୍ଧି ଦେଇ ତାଙ୍କ ଶରୀରକୁ ଦୁଇ ଭାଗ କରି ତାଙ୍କର ହତ୍ୟା କରିଥିଲେ। ବ୍ରିଟିଶ ବିରୋଧରେ ସ୍ୱର ଉତୋଳନ ହେବାର ଭୟ କାରଣରୁ ଇଂରେଜମାନେ ଏଭଳି ଶହୀଦ ରାଜଗୁରୁଙ୍କୁ ଅକଥନୀୟ ଭାବେ ହତ୍ୟା କରିଥିଲେ।
ମହାତ୍ମା ଗାନ୍ଧୀ ଆଫ୍ରିକାରେ ଟ୍ରେନରେ ଆସୁଥିବା ସମୟରେ ଶରୀର ବର୍ଣ୍ଣ କାରଣରୁ ତାଙ୍କୁ ଟ୍ରେନରୁ ଓହ୍ଲାଇବାକୁ କୁହାଯାଇଥିଲା। ସେହି ସମୟ ପର ଠାରୁ ସେ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଚିତ ହେଲେ। ଏହି କଥାକୁ ଭାବିଲେ ଏକବିଂଶ ଶତାବ୍ଦୀରେ ବିଶ୍ୱ ଅର୍ଥନୀତି କିଏ ଚଲାଇବ ବୋଲି ମନରେ ପ୍ରଶ୍ନ ଆସେ। ଯାହାଙ୍କ ପାଖରେ କିଣିବା କ୍ଷମତା ଅଛି, ପରିଶ୍ରମୀ ମାନବ ସମ୍ବଳ ଅଛି ଓ ବୌଦ୍ଧିକ ସମ୍ପନ୍ନ ନାଗରିକ ଓ ଦୂରଦୃଷ୍ଟି ସମ୍ପନ୍ନ ଜ୍ଞାନ ତଥା ସମାଜରେ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଛି, ସେ ହିଁ ଏକବିଂଶ ଶତାବ୍ଦୀରେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବ।
ଏକ ସମୟରେ ପିଇବା ପାଣି, ଖାଦ୍ୟାନ୍ନ, ବସ୍ତ୍ର ସମସ୍ତଙ୍କ ଆବଶ୍ୟକତା ଥିଲା। ମାତ୍ର ଏବେ ଉର୍ଜା ଓ ଇଂଟରନେଟ୍ ଜୀବନର ସବୁଠୁ ଦରକାରୀ ହୋଇଛି। ଭାରତ ବର୍ତମାନ ବିଶ୍ୱରେ ତୃତୀୟ ଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଥିବାବେଳେ ୨୦୩୫ ସୁଦ୍ଧା ଭାରତ ଏକ ନମ୍ବର ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ଭାବରେ ପରିଗଣିତ ହେବ।
ସ୍ୱାଧୀନତାର ୭୫ ବର୍ଷ ତଥା ଅମୃତ ଉତ୍ସବ ପାଳନ କରିବା ବେଳେ ଆଇଆଇଟି ଖଡଗପୁରର ୬୭ ସମାବର୍ତ୍ତନ ସମାରୋହ ଆୟୋଜନ ସୌଭାଗ୍ୟର ବିଷୟ। ଦେଶ ପରିବର୍ତ୍ତନ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ଦିନରେ ଆଇଆଇଟି ଖଡ଼ଗପୁର ଏହାର କେନ୍ଦ୍ରବିନ୍ଦୁ ହେବ। ଅପରପକ୍ଷରେ ବର୍ତମାନ ଦେଶରେ ୧୨୦ କୋଟିରୁ ଅଧିକ ଲୋକ କୋଭିଡ୍ ଭ୍ୟାକସିନ ନେଇଥିବା ବେଳେ ଖୁବ ଶୀଘ୍ର ଶତପ୍ରତିଶତ ଟିକାକରଣ ହେବ। ଟିକାକରଣର ତ୍ୱରାନ୍ୱିତ ହେବା ପଛରେ ଆଇଆଇଟି, ଏନଆଇଟି ଭଳି ଦେଶର ଶିକ୍ଷାନଷ୍ଠାନ ଏବଂ ନୂଆପିଢ଼ିଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।