Odiapua.com

ଅସ୍ୱାସ୍ତ୍ୟକର ଖାଦ୍ୟ ବିକ୍ରୟ ଉପରେ ଚଢାଉ

ସମ୍ବଲପୁର, ୩/୬ (ଓଡ଼ିଆ ପୁଅ) ଶୀତଳଷଷ୍ଟୀ ଯାତ୍ରାକୁ ନଜରରେ ରଖି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ବ ହୋଇଛି। ରାସ୍ତା ଘାଟର ମରାମତି ସହିତ ସହରର ବିଭିନ୍ନ ସଡ଼କରେ ପରିମଳ ବ୍ୟବସ୍ରାକୁ ସୁଧାରିବା ପାଇଁ ସଫେଇ ଅଭିଯାନ କରଯାଉଛି। ଏବେ ଯାତ୍ରା ପାଇଁ ସହରକୁ ଲୋକଙ୍କ ସମ୍ପର୍କୀୟ ମାନଙ୍କ ଆଗମନ ଆରମ୍ବ ହୋଇଛି। ସେହିଭଳି ବେପାରୀ ମାନେ ମଧ୍ୟ ଆସିବା ଆରମ୍ବ କରିଛନ୍ତି। ଆଗାମୀ ୭ ତାରିଖ ଶିବ-ପାର୍ବତୀଙ୍କ ବିବାହ ଠାରୁ ଶୀତଳଷଷ୍ଟୀ ଯାତ୍ରା ମୂଳ ହୋଇ ୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ। ଯାତ୍ରା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ଅସ୍ୱ୍ୟାସ୍ତକର ଓ ଅପମିଶ୍ରିତ ଖାଦ୍ୟଦ୍ରବ୍ୟ ବିକ୍ରୟ ଉପରେ ଚଢାଉ କରାଯାଉଛି। ଏଥିପାଇଁ ସ୍ୱାସ୍ତ୍ୟ ବିଭାଗ କର୍ମକର୍ତା ଓ ପୋଲିସ କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଯାଂଚ ବେଳେ ହୋଟେଲ ଓ ଦୋକାନ ମାଲିକ ମାନଙ୍କୁ ନିମ୍ନ ମାନର ଏବଂ ଅଖାଦ୍ୟ ପରିବେଷଣ ନକରିବା ଓ କ୍ରେତାମାନଙ୍କୁ ଖାଦ୍ୟ ପରିବେଷଣ ସମୟରେ ଖାସ ଯତ୍ନ ନେବାକୁ ପରାମର୍ଶ ମଧ୍ୟ ଦିଆଯାଉଛି। ଭୁତାପଡ଼ା, ମୁଦିପଡ଼ା, ହସ୍ପିଟାଲ ରୋଡ଼ ପ୍ରଭୃତି ଇଲାକାରେ ଥିବା ହୋଟେଲ ଓ ରାସ୍ତାପାର୍ଶ୍ୱ ଦୋକାନ ଗୁଡିକ ଉପରେ ଚଢାଉ କରାଯାଇ ବହୁ ପରିମାଣର ଅସ୍ୱାସ୍ତ୍ୟକର ଖାଦ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଜବତ ଖାଦ୍ୟଦ୍ରବ୍ୟକୁ ନଷ୍ଟ କରାଯିବା ସହିତ ସହରର ହୋଟେଲ ମାନଙ୍କୁ ଖାଦ୍ୟ ର ଧାର୍ଯ୍ୟମାନ ବଜାୟ ରଖିବା ପାଇଁ ମହାନଗର ନିଗମ ନୋଟିସ ଜାରୀ କରିଛନ୍ତି। ଖାଦ୍ୟ ବିକ୍ରୟ ପାଇଁ ଥିବା ନିୟମକୁ ଉଲଂଘନ କରାଗଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମର ସ୍ୱାସ୍ତ୍ୟ ନୀରିକ୍ଷକ ରବୀନ୍ଦ୍ର ପ୍ରତାପ ମଂଡ଼ଳ ସୂଚନା ଦେଇଛନ୍ତି।