Odiapua.com

ଅସ୍ଥାୟୀ ଜାତୀୟ ରାଜପଥ ଏବେ ମରଣ ଯନ୍ତା : ଧୂଳି ଧୂଆଁରେ ସଢ଼ୁଛନ୍ତି ସହରବାସୀ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରକୁ ଦୁଇ ଭାଗ କରିଛି ୧୬ ନମ୍ବର ଜାତୀୟ ରାଜପଥ । ୬ ଲେନ ରାସ୍ତା ପାଇଁ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଏବେ ଚାଲିଛି । ପୂର୍ବ ଯୋଜନା ଅନୁଯାୟୀ ସହର ମଧ୍ୟରେ ଚିହ୍ନଟ ହୋଇଥିବା ବ୍ଲାକ ସ୍ପଟ ଓ ଗୁରୁତ୍ୱପୂର୍ଣ୍ଣ ଛକ ଉପରେ ଏବେ ଫ୍ଲାଏ ଓଭର ବ୍ରିଜ, ଗଳାପୋଲ ଓ ଭେଇକୁଲାର ଅଣ୍ଡର ପାସ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟର ଠିକା ନେଇଛି ଦିଲ୍ଲିପ ବିଲ୍ଡକନ୍ ଲିମିଟେଡ ନାମକ ଏକ କମ୍ପାନୀ । ତେବେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସହିତ ମୋଟେଲ ଛକ ଠାରେ ଏକ ଗଳାପୋଲ ଓ ଚରମ୍ପା ଠାରେ ଏକ ଫ୍ଲାଏ ଓଭରବ୍ରିଜର କାର୍ଯ୍ୟ ଜାରୀ ରହିଛି । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ସମୟରେ ସଂପୃକ୍ତ ଠିକା କମ୍ପାନୀ ସହରବାସୀଙ୍କ ସର୍ବନିମ୍ନ ସ୍ୱାର୍ଥକୁ ଭୁଲି ଯାଇଛି । ଫଳରେ ମୋଟଲ ଛକ ଓ ଚରମ୍ପା ବଜାର ଅଞ୍ଚଳର ରାଜପଥ ଏବେ ମରଣଯନ୍ତା ପାଲଟିଛି । ତେବେ ଉକ୍ତ ଦୁଇ ପୋଲ କାର୍ଯ୍ୟ ପାଇଁ ଜାତୀୟ ରାଜପଥକୁ ଅସ୍ଥାୟୀ ଭାବେ କର୍ତ୍ତୃପକ୍ଷ ବନ୍ଦ କରି ଲୋକାଲ ରୋଡକୁ ବ୍ୟବହାର କରୁଛନ୍ତି । ଫଳରେ ଏହି ଲୋକାଲ ରୋଡ ଗତ ୬ମାସ ହେଲା ଅସ୍ଥାୟୀ ଜାତୀୟ ରାଜପଥରେ ପରିଣତ ହୋଇଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଭାରିଯାନ ଜଳାଚଳ କରୁଛି । ଏପରିସ୍ଥଳରେ ସଂପୃକ୍ତ ଠିକା କମ୍ପାନୀ ଉକ୍ତ ଲୋକାଲ ରୋଡର ରକ୍ଷଣାବେକ୍ଷଣ ଦିଗରେ ଆଦୌ ଧ୍ୟାନ ଦେଉନଥିବାର ଅଭିଯୋଗ ହୋଇଛି । ମୋଟେଲ ଛକ ଓ ଚରମ୍ପା ଠାରେ ଏହି ଅସ୍ଥାୟୀ ରାଜପଥର ଲମ୍ବ ୨କିଲୋମିଟରରୁ ଉର୍ଦ୍ଧ୍ୱ ହୋଇଥିବାବେଳେ, ଏହି ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ଉକ୍ତ ଦୁଇ ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠିଯାଇଛି । ରାସ୍ତ ଖାଲ ଖମାରେ ଭର୍ତ୍ତୀ । ରାସ୍ତାରେ ପାଣି ନିୟମିତ ପଡ଼ୁ ନଥିବାରୁ ସେଠାରେ ପ୍ରବଳ ଧୂଳି ଉଡ଼ୁଛି । ଯାହାକି ପଥାରୋହୀ ଓ ରାସ୍ତା ପାଶ୍ୱର୍ରେ ଥିବା ଘର ଗୁଡ଼ିକ ପାଇଁ ଶ୍ୱାସରୋଗ ଜନୀତ ସମସ୍ୟା ସୃଷ୍ଟି କରିଚାଲିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ଉକ୍ତ ଠିକା କମ୍ପାନୀ ପକ୍ଷରୁ କେତେବେଳେ କେମିତି ପାଣି ସିଞ୍ଚନର ବ୍ୟବସ୍ଥା ହେଉଛି । ଏହି ରାସ୍ତାର ଦୂରାବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ ନୀରବ ରହୁଛି । କଛପ ଗତିରେ କାର୍ଯ୍ୟ ଚାଲିଥିବାରୁ ଏହି ଦୁଇ ପୋଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଅତି କମରେ ୨ବର୍ଷ ଲାଗିବ । ସେତେ ଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବା ଏକପ୍ରକାର ନିଶ୍ଚିତ । ତେଣୁ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଜାତୀୟ ରାଜପଥ ପାଲଟିଥିବା ଚରମ୍ପା ଓ ମୋଟେଲ ଛକ ଅଞ୍ଚଳର ୨କିମିରୁ ଉର୍ଦ୍ଧ୍ୱ ରାସ୍ତାର ରକ୍ଷଣାବେକ୍ଷଣ ଦିଗରେ ଯେପରି ସଂପୃକ୍ତ ଠିକା କମ୍ପାନୀ ଧ୍ୟାନ ଦିଏ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି । ନଚେତ ଉକ୍ତ ଦୁଇ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ଦିଲ୍ଲୀପ ବିଲ୍ଡକନ ଠିକା କମ୍ପାନୀ ବିରୋଧରେ ପ୍ରତିବାଦ କରିବାକୁ ସ୍ଥାନୀୟ ଲୋକେ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି ।