Odiapua.com

ଅସୁସ୍ଥ କୀର୍ତନ କଳାକାର ଲୋକନାଥ ବେହେରାଙ୍କ ସହାୟତାରେ ଆଗେଇଲା ବଳାଜୀପଡ଼ା ଗ୍ରାମ କୀର୍ତନ ମଣ୍ଡଳୀ ରକ୍ତଦାନ ସହ ଚିକିତ୍ସା ଖର୍ଚ୍ଚରେ ସହଯୋଗ, ସରକାରୀ ସହାୟତା ପାଇଁ ନିବେଦନ

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଅଂଚଳର ବଳାଜୀପଡ଼ା ଗ୍ରାମ କୀର୍ତନ ମଣ୍ଡଳୀ ପକ୍ଷରୁ ଅସୁସ୍ଥ କୀର୍ତନ କଳାକାର ଲୋକନାଥ ବେହେରାଙ୍କୁ ମାନବିକ ସହଯୋଗର ହାତ ବଢ଼ାଯାଇଛି। ଗୁରୁତର ଅସୁସ୍ଥ ଅବସ୍ଥାରେ ଚିକିତ୍ସାଧୀନ ଥିବା ଲୋକନାଥଙ୍କ ପାଇଁ ମଣ୍ଡଳୀ ପକ୍ଷରୁ ରକ୍ତଦାନ କରାଯିବା ସହ ଔଷଧ ଓ ଚିକିତ୍ସା ଖର୍ଚ୍ଚରେ ମଧ୍ୟ ସହଯୋଗ କରାଯାଉଛି। ଏଥିସହ ଜଣେ ପ୍ରତିଭାବାନ କୀର୍ତନ କଳାକାର ଭାବେ ତାଙ୍କୁ ସରକାରୀ ସହାୟତା ଓ କଳାକାର କଲ୍ୟାଣ ଯୋଜନାର ସୁବିଧା ପ୍ରଦାନ କରିବାକୁ ମଣ୍ଡଳୀ ପକ୍ଷରୁ ନିବେଦନ କରାଯାଇଛି। ସୂଚନା ଅନୁଯାୟୀ, ଚୁନିଦା ଗ୍ରାମର ଲକ୍ଷ୍ମଣ ବେହେରା ଏ ଅଂଚଳର ଜଣେ ପରିଚିତ ହରିନାମ, ଅଷ୍ଟପ୍ରହର ଓ ମୃଦଙ୍ଗ ବାଦକ କଳାକାର ଭାବେ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ପୁଅ ଲୋକନାଥ ବେହେରା ମଧ୍ୟ କୀର୍ତନ ଓ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଡ଼ିତ ଜଣେ ଦକ୍ଷ କଳାକାର। କିନ୍ତୁ ଗତ ପ୍ରାୟ ଏକ ମାସ ଧରି ଲୋକନାଥ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ପ୍ରଥମେ ତାଙ୍କୁ ଏକ ବେସରକାରୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ଅସୁସ୍ଥତା ସମ୍ପର୍କରେ ଜଣାପଡ଼ିବା ପରେ ପରିବାର ଓ ପରିଚିତମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ପରବର୍ତୀ ସମୟରେ ତାଙ୍କୁ ସରକାରୀ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଛି। ଲୋକନାଥଙ୍କ ଚିକିତ୍ସା ସମୟରେ ରକ୍ତର ଆବଶ୍ୟକତା ଥିବା ଜଣାପଡ଼ିବା ପରେ ବଳାଜୀପଡ଼ା ଗ୍ରାମ କୀର୍ତନ ମଣ୍ଡଳୀର ସଦସ୍ୟମାନେ ତୁରନ୍ତ ଆଗେଇ ଆସିଥିଲେ। ମଣ୍ଡଳୀ ପକ୍ଷରୁ ଦୁଇ ୟୁନିଟ୍ ରକ୍ତ ଯୋଗାଇ ଦିଆଯାଇଥିଲା। ଧର୍ମବୀର ଲେଙ୍କା, ଗୁରୁଭାଇ ଏବଂ କିଶୋର କୁମାର ବେହେରା ରକ୍ତଦାନ କରି ଲୋକନାଥଙ୍କ ଚିକିତ୍ସାରେ ସହଯୋଗ କରିଥିବା ଜଣାପଡ଼ିଛି। ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। କେବଳ ରକ୍ତଦାନରେ ସୀମିତ ରହିନାହିଁ ମଣ୍ଡଳୀର ସହଯୋଗ। ଲୋକନାଥଙ୍କ ଔଷଧ ଓ ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ବଳାଜୀପଡ଼ା କୀର୍ତନ ମଣ୍ଡଳୀ ପକ୍ଷରୁ ସାମର୍ଥ୍ୟ ଅନୁଯାୟୀ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି। ଅସୁସ୍ଥ କଳାକାରଙ୍କ ଏଭଳି ଦୁଃସମୟରେ ତାଙ୍କ ପାଖରେ ଠିଆ ହୋଇ ମଣ୍ଡଳୀ ନିଜର ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଛି। ମଣ୍ଡଳୀର ଆବାହକ ମହେଶ୍ୱର ଲେଙ୍କା କହିଛନ୍ତି ଯେ, ଲୋକନାଥ ବେହେରା ଜଣେ ଭଲ ଓ ପ୍ରତିଭାବାନ କୀର୍ତନ କଳାକାର। ଧାର୍ମିକ ଓ ସାଂସ୍କୃତିକ ପରିବେଶରେ କୀର୍ତନ ମାଧ୍ୟମରେ ଲୋକଙ୍କ ମନରେ ଭକ୍ତି ଓ ଆଧ୍ୟାତ୍ମିକତାର ଭାବନା ସୃଷ୍ଟି କରିବାରେ ସେ ଅବଦାନ ରଖିଛନ୍ତି। ତଥାପି ଦୁଃଖର ବିଷୟ, ଏପର୍ଯ୍ୟନ୍ତ ସେ ସରକାରଙ୍କ ପକ୍ଷରୁ କୌଣସି କଳାକାର ଭତା କିମ୍ବା କଳାକାର କଲ୍ୟାଣ ଯୋଜନାର ସୁବିଧା ପାଇନାହାନ୍ତି। ବର୍ତମାନ ତାଙ୍କ ଅସୁସ୍ଥତା ଯୋଗୁଁ ଚିକିତ୍ସା ଖର୍ଚ୍ଚ ବଢ଼ିଥିବାରୁ ପରିବାର ଆର୍ôଥକ ଚାପର ସମ୍ମୁଖୀନ ହେଉଛି। ତେଣୁ ଏଭଳି ଦୁଃସମୟରେ ସରକାର ତାଙ୍କ ପରିବାର ପାଖରେ ଛିଡ଼ା ହୋଇ ଚିକିତ୍ସା ପାଇଁ ଆବଶ୍ୟକ ଆର୍ôଥକ ସହାୟତା ଯୋଗାଇଦେବା ସହ କଳାକାର କଲ୍ୟାଣ ଯୋଜନାରେ ତାଙ୍କୁ ସାମିଲ କରନ୍ତୁ ବୋଲି ମହେଶ୍ୱର ଲେଙ୍କା ନିବେଦନ କରିଛନ୍ତି। ସେ କହିଛନ୍ତି, ଲୋକନାଥଙ୍କ ଭଳି ଲୋକକଳାକାରମାନେ ଆମ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାର ବାହକ। ସେମାନଙ୍କୁ ଅସୁବିଧା ସମୟରେ ସହଯୋଗ କରିବା ସମାଜର ସାମୂହିକ ଦାୟିତ୍ୱ। ସରକାରୀ ସ୍ତରରେ ମଧ୍ୟ ଏଭଳି କଳାକାରଙ୍କ ପାଇଁ ଆବଶ୍ୟକ ସହାୟତା ଓ ସୁବିଧା ଉପଲବ୍ଧ କରାଗଲେ ସେମାନଙ୍କ ପରିବାର ଉପକୃତ ହେବା ସହ ଲୋକକଳା ଓ କୀର୍ତନ ପରମ୍ପରା ଆହୁରି ସମୃଦ୍ଧ ହୋଇପାରିବ। ବଳାଜୀପଡ଼ା କୀର୍ତନ ମଣ୍ଡଳୀର ଏହି ମାନବିକ ପଦକ୍ଷେପକୁ ଅଂଚଳବାସୀ ଓ କୀର୍ତନପ୍ରେମୀମାନେ ସ୍ୱାଗତ କରିଛନ୍ତି। ଲୋକନାଥଙ୍କ ଚିକିତ୍ସାରେ ଆହୁରି ସହଯୋଗର ଆବଶ୍ୟକତା ଥିବାରୁ ସମାଜର ସମର୍ଥ ବ୍ୟକ୍ତି, ସ୍ୱେଚ୍ଛାସେବୀ ଓ କଳାପ୍ରେମୀମାନେ ମଧ୍ୟ ମାନବିକ ଦୃଷ୍ଟିକୋଣରୁ ସହଯୋଗର ହାତ ବଢ଼ାଇବାକୁ ମଣ୍ଡଳୀ ପକ୍ଷରୁ ଅନୁରୋଧ କରାଯାଇଛି। ଶେଷରେ ବଳାଜୀପଡ଼ା ଗ୍ରାମ କୀର୍ତନ ମଣ୍ଡଳୀର ସଦସ୍ୟମାନେ ମା” ସନ୍ତୋଷୀ, ମା’ ଭଦ୍ରକାଳୀ, ମା’ କ୍ଷେତ୍ରବାସିନୀ ଏବଂ ପ୍ରଭୁ ହନୁମାନଙ୍କ ନିକଟରେ ଲୋକନାଥ ବେହେରାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ କୀର୍ତନ ଓ ମୃଦଙ୍ଗର ଧ୍ୱନିରେ ଅଞ୍ଚଳର ସାଂସ୍କୃତିକ ପରିବେଶକୁ ମୁଖରିତ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।