Odiapua.com

ଅସାଧୁ ସାର ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୧୭୪୬୮, ତା୧୦ା୮ା୨୦୨୦ଙ୍କ ନିର୍ଦ୍ଦେଶ କ୍ରମେ ୧ା୪ା୨୦୨୦ରୁ ୩୧ା୭ା୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ୨୦ ଶ୍ରେଷ୍ଠ ୟୁରିଆ କ୍ରେତାଙ୍କୁ ସରଜମିନ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଥିଲା । ତଦନୁଯାୟୀ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର (ରାଜସ୍ୱ)ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ବ୍ଳକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ମିଳିତ ଭାବେ ଜିଲ୍ଲାର ୨୧ଜଣ ସାର ବିକ୍ରେତାଙ୍କ ଦୋକାନ ନିକଟକୁ ଯାଇ ସରଜମିନ ତଦନ୍ତ କରି ଡିଲରମାନଙ୍କ ଅନିୟମିତତା ସମ୍ବନ୍ଧରେ ଅବଗତ ହୋଇଥିଲେ । ସାର ଡିଲର ମାନଙ୍କର ଅନିୟମିତତା ପାଇଁ ମଧ୍ୟ ସେମାନଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ ଅନିୟମିତତା କରିଥିବା ତିହିଡିର ୨ଜଣ, ଭଦ୍ରକର ଜଣେ, ଚାନ୍ଦବାଲିର ଜଣେ, ଧାମନଗରର ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ସେହିଭଳି ତିହିଡିର ୨ଜଣ, ଭଦ୍ରକର ୨ଜଣ, ଧାମନଗରର ଜଣେ, ଚାନ୍ଦବାଲିର ୩ଜଣଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆ ଯାଇଛି ।