Odiapua.com

ଅସହ୍ୟ ତାତି, ଏଯାଏଁ ଖୋଲିଲାନି ଜଳଛତ୍ର, ଶୀତତାପ ନିୟନ୍ତ୍ରିତ କୋଠରୀରେ ନିଆଯାଇଥିବା ନିଷ୍ପତ୍ତ ପାଣିର ଗାର ପାଲଟିଛି

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛି ଦିନ ଧରି ଭଦ୍ରକ ସହର ସମେତ ସମଗ୍ର ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି । ମାର୍ଚ୍ଚ ମାସ ଶେଷ ଦିବସରେ ପାରଦ ୪୩ ଡିଗ୍ରୀ ଅତିକ୍ରମ କରିଥିଲା । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ମଧ୍ୟାହ୍ନ ୧୨ ଟା ପରେ ସମଗ୍ର ସହର ଏକପ୍ରକାର ଜନଶୂନ୍ୟ ହୋଇ ପଡ଼ୁଛି । ଅସହ୍ୟ ତାତିରୁ ରକ୍ଷା ପାଇବାକୁ ଲୋକମାନେ ଘର ଭିତରେ ରହିବାକୁ ଉଚିତ ମନେ କରୁଛନ୍ତି । ଠିକ ଏତିକିବେଳେ, ସହରରେ ଜଳକଷ୍ଟ ଦେଖା ଦେଇଛି । ଏପର୍ଯ୍ୟନ୍ତ କୌଣସି ଗୋଟିଏ ସ୍ଥାନରେ ଜଳଛତ୍ର ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖୋଲା ଯାଇ ନାହିଁ । ଫଳରେ ସାଧାରଣ ପଥଚାରୀ ପାନୀୟ ଜଳ ବିନା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ସମ୍ଭାବ୍ୟ ଅଂଶୁଘାତ ଓ ତାତିକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଫେବ୍ରୁଆରୀ ମାସ ୨୨ ତାରିଖ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରଡବ୍ଲୁଏସଏସ, ଜନସ୍ୱାସ୍ଥ୍ୟ ବିଭାଗ, ପୌର ପ୍ରଶାସନର ବରିଷ୍ଠ ଅଧବକାରୀଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗଦେଇଥିଲେ । ଉକ୍ତ ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ ବ୍ୟବସ୍ଥା ସହ ଜିଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟଜଳର ସମସ୍ୟା ଯେପରି ନ ହୁଏ, ସେଥିପାଇଁ ଗ୍ରାମ୍ୟ ଜଳଯୋଗାଣ, ସହରାଞ୍ଚଳ ଜଳ ଯୋଗାଣ ଓ ବିଦ୍ୟୁତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଚଳ ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ପୌରାଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଜନଗହଳୀ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ଏହାବ୍ୟତୀତ ଶ୍ରମିକ ମାନଙ୍କର କାର୍ଯ୍ୟର ଉପଯୁକ୍ତ ସମୟ ନିର୍ଦ୍ଧାରଣ, ଦିନବେଳା ଚଳାଚଳ କରୁଥିବା ବସ୍ ଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଔଷଧ ଓ ଓ.ଆର.ଏସ. ଦ୍ରବଣ ମହଜୁଦ ରଖିବା, ପଶୁ ସମ୍ପଦର ସୁରକ୍ଷା ନିମିତ୍ତ ପାଣିକୁଣ୍ଡର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏପରିକି ଆବଶ୍ୟକ ପଡ଼ିଲେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯେଗାଣ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଶୀତତାପ ନିୟନ୍ତ୍ରୀତ ସମ୍ମିଳନୀ କକ୍ଷରେ ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାବେଳେ, ଏସମସ୍ତ ନିର୍ଦ୍ଧାରଣ ଅସହ୍ୟ ତାତିରେ ମଉଳି ଯାଇଛି । କାରଣ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଛି । ପଶୁ ସମ୍ପଦଙ୍କ ପାଇଁ ପାଣି କୁଣ୍ଡ ବ୍ୟବସ୍ଥା ପଛ କଥା ସହରର ଗୋଟିଏ ସ୍ଥାନରେ ବି ଜଳଛତ୍ର ପୌର କର୍ତ୍ତୃପକ୍ଷଙ୍କ ତରଫରୁ ଖୋଲା ଯାଇ ନାହିଁ । ପୌର କର୍ତ୍ତୃପକ୍ଷ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ଚଳିତ ବର୍ଷ ଜଳଛତ୍ର ଖୋଲିବା ପାଇଁ ପାଇଁ ପୌର ପ୍ରଶାସନ ଠିକା ଦେଇଥିବା ଶୁଣିବାକୁ ମିଳିଛି । ଯଦି ଦେଇଛି, ତେବେ କେବେେ ଖୋଲିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ବିଗତବର୍ଷମାନଙ୍କରେ କେତେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଖୋଲାଯାଇଥାଏ । କିନ୍ତୁ ଚଳିତ ବର୍ଷ ସେତକ ଦେଖିବାକୁ ମିଳି ନାହିଁ । ଫଳରେ ପାନୀୟ ଜଳ ଠୋପେ ପାଇଁ ବାଟୋଇ ଡହଳ ବିକଳ ହୋଇ ଚାଲିଛନ୍ତି । ସେମାନେ ବାଧ୍ୟବାଧକତାରେ ବଜାରରୁ ପାନୀୟ ଜଳ ବୋତଲ କିଣି ପିଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରର ଜନଗହଳୀପୂର୍ଣ୍ଣ ବନ୍ତ ଛକ, ପୋଷ୍ଟାଲ ଛକ, ଅପର୍ତ୍ତିବିନ୍ଧା ଛକ, ବାଇପାସ, ଚରମ୍ପା ଠାରେ ତୁରନ୍ତ ଜଳଛତ୍ର ଖୋଲିବାକୁ ସାଧାରଣରେ ଦାବି ହୋଇଛି । ଅପରପକ୍ଷେ ଗ୍ରାମାଞ୍ଚଳରେ ଆରଡବ୍ଲୁଏସଏସ ପକ୍ଷରୁ ବସୁଧା ଯୋଜନାରେ ସ୍ଥାପିତ ବହୁ କୋଟି ଟଙ୍କାର ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ଅଚଳ ପଡ଼ିଛି । ଏଥି ପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।