Odiapua.com

ଅସହାୟ ମହିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ବାଲିଗୁଡା, ୧୮/୭- (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ସୁନାପାଙ୍ଗା ସାହିର ମାନସୀ ବେହେରା(୪୨) ଅସହାୟ ମହିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ମହିଳା ଜଣଙ୍କ କିଡନୀ ରୋଗରେ ଆକ୍ରାନ୍ତ ଓ ଗତ ପାଂଚ ମାସରୁ ଅଧିକ ଦିନ ହେବ ଘରେ ଶଯ୍ୟାସାୟୀ ହୋଇ ପଡି ରହିଛନ୍ତି। ଅତ୍ୟନ୍ତ ଗରୀବ ପରିବାରର ହୋଇଥିବାରୁ ସ୍ୱାମୀ ରମେଶ ବେହେରା ଗତ ତିନି ମାସ ତଳେ ଧାର କରଜ ହୋଇ ରୋଗିଣା ସ୍ତ୍ରୀକୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ କିନ୍ତୁ ଟଙ୍କା ସରିଯିବା ପରେ ରୋଗ ଭଲ ନହୋଇବି ନିରାଶ ହୋଇ ସ୍ତ୍ରୀକୁ ବାଲିଗୁଡାକୁ ଆଣି ନିଜ ଘରେ ଭଗବାନ ଭରସାରେ ପକାଇ ରଖିଛନ୍ତି। ଖରାଦିନେ ସାଇକେଲରେ ଆଇସକ୍ରିମ ଓ ଚଣା ବିକି ପରିବାର ପ୍ରତିପୋଷଣ କରନ୍ତି ରମେଶ, ସରକାରୀ ସୁବିଧା କିଛି ପାଇ ନାହାନ୍ତି, ପକ୍କା ଘରଟିଏ ନଥିବାରୁ ଏକ ଭଙ୍ଗା ଦଦରା କୁଡିଆ ଘରେ ରହନ୍ତି, ଇନ୍ଦିରା ଆବାସ କି ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ସରକାରଙ୍କ ମୌଳିକ ସୁବିଧାରୁ ବଂଚିତ ହୋଇରହିଛନ୍ତି ଏହି ପରିବାର। ଦୁଇପୁଅ ଓ ଦୁଇ ଝୀଅ, ସେଥିମଧ୍ୟରୁ ଗୋଟିଏ ପୁଅ ଚାଲିପାରୁନାହାନ୍ତି। ଆର୍ଥୀକସ୍ଥିତି ଭଲ ନଥିବା ଯୋଗୁଁ ମାନସୀର ଅଧିକା ଚିକିତ୍ସା କରାଇ ପାରିନାହାନ୍ତି ରମେଶ। ଫଳରେ କିଛି କାମ ନକରିପାରି ଶଯ୍ୟାସାୟୀ ହୋଇ ଅସହାୟ ଅବସ୍ଥାରେ ପଡିରହିଛନ୍ତି ମାନସୀ ନିତ୍ୟକ୍ରମ ସହିତ ଅନ୍ୟ ସବୁକାମ ବିଛଣାରେ ହିଁ କରନ୍ତି। ଜିଲ୍ଲା ପ୍ରସାଶନ ବିଜୁ ସ୍ୱ୍ୟାସ୍ଥ ଯୋଜନାରେ ମହିଳାର ଚିକିତ୍ସା କରିବା ସହ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରିବା ନିମନ୍ତେ ଅଂଚଳବାସୀଙ୍କ ଦାବି ହେଉଛି।