Odiapua.com

ଅସହାୟ, କରୋନା ଆକ୍ରାନ୍ତ ଓ ବୁଲା ଗୋରୁଗାଈଙ୍କ ପାଇଁ ଅନ୍ନଦାତା ପାଲଟିଛନ୍ତି ଖେମ୍‌କା ପରିବାର

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ପାଇଁ ଏବେ ଚାରିଆଡେ ପଡିଛି ହାହାକାର । କରୋନାରେ କାହାର ଜୀବନ ଯାଉଥିବାବେଳେ ଅନ୍ୟପଟେ ତାଲା ବନ୍ଦ ଯୋଗୁଁ କାହାର ଜୀବିକା ବୁଡିବା ସହ ଜୀବନ ଜୀଇଁବା ପାଇଁ ଚାଲିଛି ସଂଘର୍ଷ । ଏପରିସ୍ଥଳେ ଭଦ୍ରକ ସହରର ଏକ ବ୍ୟବସାୟୀ ଦମ୍ପତି ଅସହାୟ ଲୋକ, କରୋନା ଆକ୍ରାନ୍ତ ଓ ବୁଲା ଗୋରୁଗାଈଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା । ନିଜସ୍ୱ ସମ୍ବଳରେ ଦୁଇ ଓଳି ଖାଦ୍ୟ ପ୍ରସ୍ତୁତ କରି ସହର ସାରା ବୁଲି ବୁଲି ଅସହାୟ ଲୋକମାନଙ୍କୁ ଖାଦ୍ୟ ବାଣ୍ଟି ଚାଲିଛନ୍ତି । ଘରେ ସ୍ତ୍ରୀ ଓ ତାଙ୍କ ପରିବାର ଲୋକ ଖାଦ୍ୟ ପରିବେଷଣ କରୁଥିବା ବେଳେ ସ୍ୱାମୀ ଖାଦ୍ୟକୁ ନେଇ ବୁଲି ବୁଲି ବାଣ୍ଟୁଛନ୍ତି । ଏମିତିକି ସାହସର ସହ ସଙ୍ଗରୋଧ ଗୃହରେ ରହୁଥିବା କରୋନା ଆକ୍ରାନ୍ତଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି ଏହି ଦମ୍ପତି । ବର୍ତ୍ତମାନ ତାଲା ବନ୍ଦ ଯୋଗୁଁ ଖାଦ୍ୟ ନପାଇ ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ଲୋକମାନେ ଦୁଇ ଓଳି ଖାଇ ଶାନ୍ତିରେ ବଂଚୁଛନ୍ତି । ଏଭଳି ସମୟରେ ଦମ୍ପତିଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଆମେ କହୁଛୁ ଭଦ୍ରକ ସହରର ବିଶିଷ୍ଟ ବ୍ୟବସାୟୀ ବିକ୍ରମ ବିର ଖେମ୍‌କା ଓ ତାଙ୍କ ସହଧର୍ମିଣୀ ମୀରା ଖେମ୍‌କା ଏବଂ ମା’ ସୁଶିଳା ଦେବୀଙ୍କ କଥା । କୋଭିଡ୍ ଯୋଗୁଁ ରାଜ୍ୟବ୍ୟାପୀ ଲକଡାଉନ୍ ଜାରି ହେବା ପରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବିଶେଷକରି ମୂଲ ମଜୁରୀ ଲାଗି ପେଟ ପୋଷୁଥିବା ଗରିବ, ଅସହାୟ ଏବଂ କୋଭିଡ୍ ପୀଡିତ ଲୋକେ ଖାଇବାକୁ ଦୁଇବେଳା ଦାନା ପାଉନାହାଁନ୍ତି । କୋଭିଡ୍ ସଂକ୍ରମିତ ହୋଇ ନିଜ ଘରେ ସଙ୍ଗରୋଧରେ ରହୁଥିବାବେଳେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ ପାଇଁ ମଧ୍ୟ ସମର୍ଥ ହୋଇପାରୁନାହାଁନ୍ତି । ଲୋକଙ୍କର ଏହି ଦୁର୍ଦ୍ଦଶା ଦେଖିପାରିଲେନି ଖେମ୍‌କା ପରିବାର । ନିଜ ଘରେ ନିଜ ହାତରେ ଦୈନିକ ୩୫୦ ମିଲ୍ ତିଆରି କରି ଘର ଘର ବୁଲି ଲୋକଙ୍କୁ ତିନିବେଳା ଖାଦ୍ୟ ବାଣ୍ଟୁଛନ୍ତି ଏହି ପରିବାର । ଭଦ୍ରକ ସହର ବନ୍ତଛକ, ଗେଲପୁର ଗ୍ରାମାଞ୍ଚଳ, ରାଜଘାଟ ଛକ, ରେଲ୍‌ୱେ ଷ୍ଟେସନ ଏବଂ ନୂଆ ତଥା ପୁରୁଣା ବସ୍‌ଷ୍ଟାଣ୍ଡ ଛକରେ ବୁଲି ବୁଲି ଖାଦ୍ୟ ବାଣ୍ଟୁଛନ୍ତି ଏହି ପରିବାର । ଘରେ ସ୍ତ୍ରୀ ଓ ମା’ ଖାଦ୍ୟ ପରସି ପ୍ୟାକିଂ କରୁଥିବାବେଳେ ସ୍ୱାମୀ ସହର ସାରା ବୁଲି ବୁଲି ଅସହାୟ, ସଙ୍ଗରୋଧ ଗୃହରେ ରହୁଥିବା ବ୍ୟକ୍ତି ଓ ବୁଲା ଗୋରୁଗୋଈ, କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି । ଯେଉଁଥିରେ ସେମାନଙ୍କୁ ପ୍ରଚୁର ଆନନ୍ଦ ମିଳୁଥିବାବେଳେ ଏହାକୁ ସେମାନଙ୍କ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କହିଛନ୍ତି ପରିବାର ଲୋକେ ।