Odiapua.com

ଅସହାୟା ମହିଳାଙ୍କୁ ଶଶୁର ଓ ଦିଅରଙ୍କ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଣେ ଅସହାୟା ମହିଳାଙ୍କୁ ଶଶୁର ଓ ଦିଅର ମାନଶିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତୁଣୁପୁର ଗ୍ରାମର ଦିଲ୍ଲିପ କୁମାର ପଣ୍ଡାଙ୍କ ପତ୍ନୀ ୫୫ବର୍ଷିୟା ମହିଳା ରଞ୍ଜୁବାଳା ପଣ୍ଡାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଶଶୁର ଶୁକଦେବ ପଣ୍ଡା ଓ ଦିଅର ସନାତନ ପଣ୍ଡା ତାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ତାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମିଳିଥିବା ବେଳେ ତାଙ୍କୁ ଘରକରାଇଦେଉନାହାନ୍ତି। ଘରୁ ବାଡେଇ ବାହାର କରିଦେବାକୁ ଧମକ ଦିଆଯାଉଛି। ତାଙ୍କ ଚୁଲି ଭାଙ୍ଗି ଦେବା ସହ ଜିନିଷପତ୍ର ନଷ୍ଟ କରିବା ଓ କଟୁରୀରେ ତାଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ତାଙ୍କୁ ଜମିବାଡିରୁ ଭାଗବାଂଟ ଦେଉନଥିବା ବେଳେ ୩ଟି ଝିଅଙ୍କୁ ଧରି ବହୁ କଷ୍ଟରେ ଚଳୁଥିବା ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସଦର ଥାନାରେ ସେ ଅଭିଯୋଗ କରିଥିଲେବି ପୋଲିସ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଗତ ୨୦୧୯ମସିହା ଫେବୃୟାରୀମାସ ୨ତାରିଖରେ ହୋଇଥିବା ପଂଚାୟତନାମାକୁ ତାଙ୍କ ଶଶୁର ମାନୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ସଦର ଥାନା ଅଧିକାରୀଙ୍କୁ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।