ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ବିପତ୍ତିକୁ ଲକ୍ଷ୍ୟ କରି କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଆରମ୍ଭ କଲେଣି । ତେବେ ଚିରାଚରିତ ଭାବେ ଚଳିତ ୨୦୨୦-୨୧ ଆର୍ଥିକ କୃଷି ବର୍ଷରେ କୃଷକମାନଙ୍କୁ ଖରିଫ ଋଣ ପ୍ରଦାନ ବାଟବଣା ହେବ ବୋଲି ସଂପାଦକଙ୍କ ଚେତାବନୀରୁ ଜଣାପଡିଛି । ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ଜରିଆରେ ଯେଉଁ କୃଷି ଋଣ ଦିଆଯାଉଥିଲା, ଚଳିତ ଋଣ ପ୍ରଦାନ ସିଜିନରେ ସମବାୟ ସମିତିର ସଂପାଦକମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ସଂପାଦକମାନଙ୍କ ପ୍ରେସ୍ମିଟ୍ରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ତଥ୍ୟ ଓଗାଳି ହୋଇଛି । ଜଣାଯାଏ ଗତ ୨୦୧୫ ମସିହାରୁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ନିୟମ କରିଥିଲେ କୃଷକମାନେ ଯେଉଁ ଚାଷ ଋଣ ନେଇଥିଲେ, ତାହାକୁ ସୁଝିଲେ ତାଙ୍କୁ ପୁଣି ଋଣ ଦିଆଯିବ । କିନ୍ତୁ ଟାର୍ଗେଟ୍ ପୂରଣ ପାଇଁ ବିଚରା ସଂପାଦକମାନେ ଏହି ଋଣୀମାନଙ୍କୁ କାଗଜ ପତ୍ରରେ ଋଣ ସୁଝିଲା ବୋଲି ଫାଇଲ୍ ତିଆରି କରି ନୂଆ ଋଣ ଦିଅନ୍ତି । ପ୍ରକୃତରେ ଏହି ଋଣ କେବେ ଚାଷୀ ସୁଝେନି କି ନୂଆ ଋଣ ନିଏନି । କେବଳ କେବଳ ଫାଇଲରେ ଋଣ ଦେବା ନେବା କାଗଜପତ୍ର ଚାଲେ । ୨୦୨୦ ଖରିଫ ବର୍ଷରେ କରୋନା ବିପତ୍ତି ବେଳେ ସରକାର ନୂଆ ଗାଇଡ୍ଲାଇନ୍ କରିବା ବେଳକୁ ସମସ୍ତେ ଫସି ଯାଇଛନ୍ତି । ସରକାର କଡାକଡି ନିର୍ଦ୍ଦେଶ ଦେଇଛନ୍ତି ପୁରୁଣା ଋଣ ସୁଝିଲେ ନୂଆ ଋଣ ଦିଆଯିବ । ଏପରିକି ଋଣୀମାନେ ଯେଉଁ ଚେକ୍ ବା ୱିଡ୍ରାଲରେ ଟଙ୍କା ଉଠାଇବେ, ତାହା ପଛପଟେ ସମିତି ସଂପାଦକମାନେ ଦସ୍ତଖତ ଦେଇ ଗ୍ୟାରେଣ୍ଟର ସାଜିବେ । ଏହି ନିୟମକୁ ଦେଖି ତାତି ଉଠିଛନ୍ତି ସଂପାଦକମାନେ । ସିଧାସଳଖ ସେମାନେ ଏହି ଚେକ୍ ବା ଉଇଡ୍ରାଲ ପଛପଟେ ଦସ୍ତଖତ ଦେବେନି କି ଋଣ କାରବାର ନିଜ ସମିତିରେ କରିବେନି ବୋଲି ଧମକ ଦେଇଛନ୍ତି । ତିହିଡି ଠାରେ ୧୬ ଟି ସମବାୟ ସମିତିର ସଂପାଦକମାନେ ଏକତ୍ରିତ ହୋଇ ଏହି ଚେତାବନୀ ଦେବାପରେ ଚଳିତ ୨୦୨୦-୨୧ ବର୍ଷର ୫୨ କୋଟିର ଖରିଫ ଋଣ ପ୍ରଦାନ ବାଟବଣା ହେବା ବାଟ ଦେଖାଦେଇଛି । ଅନ୍ୟପଟେ ଏହି ଖବର ଶୁଣି ଚାଷୀମାନେ ବି ତାତିଲେଣି । କାରଣ ସେମାନଙ୍କର ଗୋଟିଏ ଜିଦ୍ ପୁରୁଣା ଋଣ ସୁଝିବା ପାଇଁ ଆମେ କରୋନା ବିପତ୍ତି ସମୟରେ ଟଙ୍କା ଆଣିବୁ କେଉଠୁ । ସରକାର ଋଣ ଦେଲେ ଖରିଫ ଚାଷ କରିବୁ ପରେ ଅମଳ ପରେ ସୁଝିବୁ । ଏହାକୁ ନେଇ ଗୋଟିଏ ପଟେ ସଂପାଦକମାନେ ଅସହଯୋଗର ଡାକରା ଦେଇଥିବାବେଳେ ଚାଷୀମାନେ ଆନ୍ଦୋଳନର ଧମକ ଦେଲେଣି । ତିହିଡି ବ୍ଲକ୍ ସମବାୟ କର୍ମଚାରୀ ସଂଘ ତରଫରୁ ଗୋପବନ୍ଧୁ ମହାଳିକ, ଶେଷଦେବ ପରିଡା, ପିତବାସ ମଳିକ, ଚିତ୍ତରଂଜନ ସ୍ୱାଇଁ, ମାୟାଧର ବେହେରା, ଗୋପୀନାଥ ଭୂୟାଁ, ସତ୍ୟଭାମା ବିଶ୍ୱାଳ, ରାଜେନ୍ଦ୍ର ବେହେରା, ମନୋରଂଜନ ବଳ, ଶଙ୍କର୍ଷଣ ଜେନା, କୃପାସିନ୍ଧୁ ଦାସ, ସୁଦର୍ଶନ ଖଟୁଆ, ଗୀତାଞ୍ଜଳି ଦାସ, ଭାସ୍କର ନାୟକ, ଅମରେନ୍ଦ୍ର ନାୟକ, ସଂଜୟ ନାୟକ, ଅଶୋକ ପଣ୍ଡା ଓ କାଳନ୍ଦୀ ଦାସ ପ୍ରମୁଖ ସଂପାଦକମାନେ ଯୋଗ ଦେଇଥିଲେ ।