Odiapua.com

ଅସନବାହାଳୀ ଗ୍ରାମର ଲୋକେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି କୂଅ, ନଳକୂପ ଓ ପୋଖରୀ, କୁଶେଇନଦୀ ପାଣି ହିଁ ସାହା ଭରଷା

ହରିଚନ୍ଦନପୁର,ତା ୧୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ସ୍ବାଧୀନତାର ୭୩ବର୍ଷ ପରେବି ସ୍ବଚ୍ଛ ପାନୀୟ ଜଳ ବଦଳରେ ନଦୀ ପାଣିକୁ ସାହା ଭରସା କରିଆସୁଛନ୍ତି ଆଦିବାସୀ ଗାଁ ଅସନବାହାଳୀର ଗ୍ରାମବାସୀ ‌। କୌଣସି ଅପହଞ୍ଚ ବା ଦୃର୍ଗମ ଅଞ୍ଚଳ ନୁହେଁ, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅତି ନିକଟରେ ଥିବା ଗ୍ରାମବାସୀ ଆଜିବି ପିଇବା ପାଣି ଟୋପାଏ ପାଇଁ ପ୍ରତ୍ୟେକ ଦିନ ମାଇଲ ମାଇଲ ବାଟ ଚାଲୁଛନ୍ତି । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ରେବଣାପଳାଶପାଳ ପଞ୍ଚାୟତ ଅଧିନସ୍ଥ ଆଦିବାସୀ ଗାଁ ଅସନବାହାଳୀ । ସ୍ବାଧିନତାର ଅନେକ ବର୍ଷ ବିତିଯାଇଥିବା ବେଳେ ଏହି ଗ୍ରାମର ଲୋକମାନେ ଆଜି ପର୍ଯ୍ୟନ୍ତ କୂଅ, ପୋଖରୀ କିମ୍ବା ନଳକୂଅ ଦେଖିନାହାନ୍ତି । ଗ୍ରାମର ଲୋକେ ୨ କିଲୋମିଟର ଅତିକ୍ରମ କରି କୁଶେଇ ନଦୀ ପାଣି ଉପରେ ଦୀର୍ଘ ବର୍ଷବର୍ଷ ଧରି ନିର୍ଭର କରିଥାନ୍ତି । ନଦୀର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗକୁ ବରଣ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଉତ୍କଟ ପାନୀୟ ଜଳ ସମସ୍ୟା ଦୂର ପାଇଁ ଟ୍ୟାଙ୍କର ପାଣି ବ୍ୟବସ୍ଥା ମଧ୍ୟ ଏଠାରେ ଅପହଞ୍ଚ । ପାଣି ସମସ୍ୟା ଦୂର ପାଇଁ ଗ୍ରାମବାସୀ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଗୁହାରୀ କରି କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ପାଉଛନ୍ତି କିନ୍ତୁ ପାଣି ଟୋପାଏ ପାଉ ନାହାଁନ୍ତି । ଏଠାକାର ଲୋକଙ୍କ ରାତି ପାହିଲେ କେବଳ ପାଣି ଚିନ୍ତା, ୨ କିମି ଜଙ୍ଗଲ ଓ ବିଲ ହୁଡାରେ ଗଲେ ମିଳିବ ପାଣି । ତାହା ପୁଣି ଦୂଷିତ ନଦୀ ପାଣି ଗ୍ରାମବାସୀଙ୍କୁ ସକାଳ ସନ୍ଧ୍ୟାରେ ପାଣି ପାଇଁ ଏହିପରି ବିଭିନ୍ନ କଷ୍ଟ କରିବାକୁ ପଡୁଛି । ଆଜିବି ଗ୍ରାମରେ ନଳକୂଅ ଦୁର କଥା କୂଅ କିମ୍ବା ପୋଖରୀ ନଥିବା କାରଣରୁ ଏମାନଙ୍କ ପାଇଁ କୁଶେଇ ନଦୀ ହିଁ ଏକ ମାତ୍ର ଭରାସ । ଉକ୍ତ ନଦୀରେ ଗାଈ ଗୋରୁ ଠାରୁ ଆରମ୍ଭ ବିଭିନ୍ନ ପଶୁ ଓ ଗ୍ରାମବାସୀ ସୌଚ୍ଚ ହେଉଥିବା ବେଳେ ସେହି ପାଣିକୁ ବାଧ୍ୟହୋଇ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଏହି ଦୂଷିତ ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗର ଶୀକାର ହୋଉଥିବା ବେଳେ ଅକାଳରେ କେତେକଙ୍କ ଜୀବନ ଚାଲି ଯାଇଥିବା ନଜିର ରହିଛି । ପ୍ରତ୍ୟେକ ଦିନ ପାଣି ପାଇଁ ଗ୍ରମବାସୀ ଅନେକ ସଂଘର୍ଷ କରି ପାଣି ସଂଗ୍ରହ କରୁଥିବା ବେଳେ ପଞ୍ଚାୟତରେ ଉତ୍କଟ ପାନୀୟ ଜଳ ସଂଙ୍କଟ ଦୂର ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ବାର୍ଷିକ ୪ ଲକ୍ଷ ବ୍ୟୟବରାଦ କରାଯାଉଛି । ହେଲେ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହୁଥିବା ଅଭିଯୋଗ ହୋଇଛି । ଆଜି ପର୍ଯ୍ୟନ୍ତ ଗ୍ରାମବାସୀ କେବେ ଗ୍ରାମରେ ପାଣି ଟ୍ୟାଙ୍କର ପ୍ରବେଶ କରିଥିବା ଦେଖି ନାହାଁନ୍ତି । ତେବେ ହରିଚନ୍ଦନପୁର ବ୍ଲକରେ ପାଣି ସମସ୍ୟା ଅନେକ ସ୍ଥାନରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯାଉଥିବା ପ୍ରକାଶ । ଅଫିସରେ ଫ୍ୟାନ ତଳେ ବସିଥିବା ଅଧିକାରୀମାନେ ବ୍ଲକରେ ଜଳସଙ୍କଟ ଥିବା ଲୋକଙ୍କ ଅଭିଯୋଗ ଆସୁନଥିବା କହିଛନ୍ତି । ଅଭିଯୋଗ ପାଇଲେ ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବାସ୍ତବରେ କେବେ ଲୋକମାନେ ପାଣି ପାଉଛନ୍ତି ନା ପୁଣି ପ୍ରତିଶୃତିରେ ପାଣି ଅଟକି ଯାଉଛି ତାହା ଦେଖିବାକୁ ବାକି ରହିଲା ।