Odiapua.com

ଛାତ୍ରୀଙ୍କୁ ଅସଦାଚରଣ : ଆଣ୍ଠେଇ ଭୁଲ ମାଗିଲେ – ଛେଚା ଖାଇଲେ ଫାର୍ମାସିଷ୍ଟ

ବାରିପଦା ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ହେଲେ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ମାଧ ଓରଫ ବିଦ୍ୟାଧର ପ୍ରଧାନ(୩୮)। ପୂର୍ବାହ୍ଣରେ ବଡ଼ସାହି ଥାନା ଅଞ୍ଚଳର ଜନୈକା ଯୁକ୍ତ ତିନି ଛାତ୍ରୀ ତାଙ୍କ ଭାଇ ସହିତ ଉକ୍ତ ପାଥୋଲ୍ୟାବକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ବିଳମ୍ବ ହେବାକୁ ଭାଇ ଜଣଙ୍କ ବାଇକରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିବା ସମୟରେ ଏକୁଟିଆ ସୁଯୋଗରେ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ବେଳେ କୁଆଡ଼େ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ତାଙ୍କ ଭାଇ ପହଞ୍ଚିବା ପରେ କାନ୍ଦିକାନ୍ଦି ଭଉଣୀ ସମସ୍ତ କଥା କହିବା ପରେ ଖବର ପ୍ରଚାରିତ ହୋଇଥିଲା। ଅଭିଯୁକ୍ତ ଫାର୍ମାସିଷ୍ଟଙ୍କୁ ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବା ଲୋକମାନେ ନିର୍ଧୁମ ମାଡ଼ମାରି ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ। ଅଭିଯୁକ୍ତ ଜଣଙ୍କ ହାତ ଯୋଡ଼ି ନିଜର ଦୋଷ ସ୍ବୀକାର କରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‍ ଏନେଇ ଏକ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।