Odiapua.com

ଅଲ ଓଡ଼ିଶା ଇପିଏଫ୍ ପେନ୍‌ସନ୍ ଆସୋସିଏସନ୍‌ର ଗଣଧାରଣା

ଭୁବନେଶ୍ୱର, ୨୫ା୮ (ଓଡ଼ିଆ ପୁଅ) : ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନ୍‌ସନ୍ ଆସୋସିଏସନର ଆହ୍ୱାନ କ୍ରମେ ଭୁବନେଶ୍ୱର, ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ସମେତ ବାଲେଶ୍ୱର, ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଅଛି। ଆଜି ଭୁବନେଶ୍ୱରଠାରେ ରୂପାଲି ଛକଠାରେ ଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ଧରଣର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସର୍ବନିମ୍ନ ପେନ୍‌ସନ୍ ୯ ହଜାର ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପ୍ରଦାନଓ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଏ ବିକ୍ଷୋଭ ସଭା ଆୟୋଜନ କରାଯାଇଥିଲା। ଦିନ ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବିକ୍ଷୋଭ ଓ ଧାରଣା ଚାଲୁ ରହିଥିଲା। ଏହି ବିକ୍ଷୋଭ ସମାବେଶରେ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରୁ ଶତାଧିକ ପେନ୍‌ସନଭୋଗୀ ଯୋଗ ଦେଇଥିଲେ। ଅନେକ ଶ୍ରମ ସଂଗଠନର ନେତୃତ୍ୱମାନେ ଉପସ୍ଥିତ ରହି ଏହି ଦାବିପତ୍ର ସମର୍ଥନ ଜଣାଇଥିଲେ। ଧାରଣା ଓ ବିକ୍ଷୋଭ ସଭା ପରେ ଏକ ୧୦ଜଣିଆ ନେତୃମଣ୍ଡଳୀ ଭୁବନେଶ୍ୱର ଆଞ୍ଚଳିକ ଭବିଷ୍ୟନିଧି କମିଶନଙ୍କ ଜରିଆରେ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯଦି ସରକାର ଖୁବ୍‌ଶୀଘ୍ର ଆମର ଦାବି ପ୍ରତି ସୁବିଚାର ନ କରନ୍ତି, ଆଗାମୀ ଦିନରେ ଆମ୍ଭେମାନେ ଏହି ଆନ୍ଦୋଳନକୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ରାଜରାସ୍ତାକୁ ଓହ୍ଲାଇବୁ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମର ଦାବିଗୁଡ଼ିକ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ସତ୍ତ୍ୱେ କେନ୍ଦ୍ର ସରକାର ବାରମ୍ବାର ଅବହେଳା କରୁଥିବାରୁ ସମସ୍ତେ ଦୃଢ ନିନ୍ଦା କରିଥିଲେ। ଭୁବନେଶ୍ୱରରେ ଏହି ସଭା ଖୋର୍ଦ୍ଧା ଜିଲ୍ଲା କମିଟି ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କମିଟିର ସଭାପତି ଇଂ. ବିଜୟ କୁମାର ଜେନା, ଉପଦେଷ୍ଟା ରଂଜନ କୁମାର ଖୁଣ୍ଟିଆ, ମୁକ୍ତିକାନ୍ତ ମହାପାତ୍ର, ନଟବର ଆଚାର୍ଯ୍ୟ ଓ ରାଜ୍ୟ ନିଗମ କର୍ମଚାରୀ ମହାସଂଘ ଅଧ୍ୟକ୍ଷ ସତ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଅବହେଳାକୁ ଦୃଢ ନିନ୍ଦା କରିଥିଲେ। ଖୋର୍ଦ୍ଧା ଜିଲ୍ଲା କମିଟି ସମ୍ପାଦକ ମାୟାଧର ମଲ୍ଲିକ, କଟକ ଜିଲ୍ଲା ସଭାପତି ରାଜକିଶୋର ସ୍ୱାଇଁ, ପୁରୀ ଜିଲ୍ଲା ସମ୍ପାଦକ କଣ୍ଡୁରୀ ଚରଣ ସୁବୁଦ୍ଧି, କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲେ।