Odiapua.com

ଅଲ୍ ଓଡ଼ିଶା ୱାଚ୍ ଟ୍ରେଡ ଫେଡେରେସନର ବୈଠକ, ଅନଲାଇନରେ ହେଉଥିବା ଠକାମିକୁ ଘୋର ବିରୋଧ, ଜନସାଧାରଣ ସଚେତନ ରହିବାକୁ ଅନୁରୋଧ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଡି ଉଦ୍ୟୋଗ ସହିତ ସଂଶ୍ଳିଷ୍ଟ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ତଥା ଉଦ୍ୟୋଗୀମାନଙ୍କର ହିତକୁ ଆଖି ଆଗରେ ରଖି ‘ଅଲ ଓଡିଶା ୱାଚ୍ ଟ୍ରେଡ୍ ଫେଡେରେସନ’ ଗଠନ ହୋଇଛି । ଏହାର ପ୍ରଥମ ଅନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଭାବରେ ଭଦ୍ରକର ବିଶିଷ୍ଟ ଘଣ୍ଟା ବ୍ୟବସାୟୀ ତଥା ରାଜନେତା ସତ୍ୟବ୍ରତ ମହାନ୍ତିକୁ ନିର୍ବାଚିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପାତ୍ର ଉପ-ସଭାପତି, ସେକ୍ ଓସିମୁଲା ସଂପାଦକ, ସୁମନ ସାହୁ ସହ ସଂପାଦକ, ଦିନେଶ ଟୋଙ୍କ ସହ ସଂପାଦକ, ବାଲ୍ମିକୀ ମୁନୀ କୋଷାଧ୍ୟକ୍ଷ ସହିତ ୧୨ ଜଣ ସଦସ୍ୟ ଏକ୍‌ଜିକ୍ୟୁଟିଭ କମିଟିକୁ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନ ମାନଙ୍କରେ ଘଣ୍ଟା ବ୍ୟବସାୟକୁ ନେଇ ସରକାରଙ୍କର ବିଭିନ୍ନ ନୀତି ନିର୍ଦ୍ଧାରଣରେ ସରକାରଙ୍କ ସହ ଏହି ସଂଗଠନ କଥା ହେବାନେଇ ନିଷ୍ପତି ହୋଇଛି । ଅନଲାଇନ ବ୍ୟବସାୟ ମାଧ୍ୟମରେ କିଛି ଅସାଧୁ ଲୋକ ଠକାମି କରୁଥିବାର ନଜରକୁ ଆସିଛି । ଏହାକୁ ସଂଗଠନ ବିରୋଧ କରିବା ସହ ଏହାକୁ ବିଭିନ୍ନ ସରକାରୀ ଅନୁଷ୍ଠାନମାନଙ୍କ ସାହାଯ୍ୟ ନେଇ ରୋକିବାର ପନ୍ଥା ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତି ହୋଇଛି । ଏହା ସହିତ ସାଧାରଣ ଜନତା ସଚେତନ ହେବା ସହ ଠକାମିରୁ ରକ୍ଷା ପାଇବା ଦିଗରେ ସଂଘ ଚେଷ୍ଟା ଜାରି ରଖିବା ନିଷ୍ପତି ହୋଇଛି । ଆଗାମୀ ଦିନ ମାନଙ୍କରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଯୋଡି ହୋଇ ବିଭିନ୍ନ ଉନ୍ନୟନମୂଳକ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍‌ଲାଇନ ମାଧ୍ୟମରେ ଅଲ ଇଣ୍ଡିଆ ୱାଟ ଟ୍ରେଡ ଫେଡେରେସନ ସଭାପତି ବିନୋଦ ଅଗରୱାଲ, ଏଡିଟର ଇନ୍ ଚିଫ୍‌, ଟ୍ରେଡ୍‌ପୋଷ୍ଟ, ଇଣ୍ଟର ନ୍ୟାସନାଲ ୱାଚ ଏଣ୍ଡ କ୍ଲକ ମାଗାଜିନ ମିହିର ଖାରୋଦ୍ ଯୋଗ ଦେଇ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ସର୍ବଶେଷରେ ରାଜ୍ୟସଭାପତି ଶ୍ରୀ ସତ୍ୟବ୍ରତ ମହାନ୍ତି ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ସମସ୍ତେ ତାଙ୍କ ଉପରେ ଯେପରି ଆସ୍ଥା, ବିଶ୍ୱାସ ସ୍ଥାପନ କରିଛନ୍ତି ତାହାକୁ ସେ ସୂଚାରୁ ରୂପେ ସଂପାଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଓଡିଶାର ପ୍ରାୟତଃ ସମସ୍ତ ଜିଲ୍ଲାର ଘଣ୍ଟା ବ୍ୟବସାୟୀ ତଥା ଘଣ୍ଟା ଉଦ୍ୟୋଗ ସହ ଜଡିତ ବ୍ୟକ୍ତିମାନେ ଯୋଗଦେଇଥିଲେ ।