Odiapua.com

ଅଲ୍ ଓଡ଼ିଶା ଘରୋଇ ବିଦ୍ୟାଳୟର ଶିଶୁ ମହୋତ୍ସବ ‘ମହକ ୨୦୨୩’ ଉଦ୍‌ଯାପିତ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସହୀଦ ସ୍ମୃତି ଭବନ ଠାରେ ଅଲ୍ ଓଡ଼ିଶା ଘରୋଇ ବିଦ୍ୟାଳୟ ଓ ଲାୟନ୍ସ କ୍ଲବ୍‌ର ସହଭାଗିତାରେ କୁନି କୁନି ପିଲାମାନଙ୍କୁ ନେଇ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ୨୦୨୩’ ବେଶ୍ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଯାପିତ ହୋଇଛି । ଦୁଇଦିନ ଧରି ଆୟୋଜିତ ଏହି ଉତ୍ସବଟିର ପ୍ରଥମ ଦିନରେ ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ଆୟୋଜନ କରାଯାଇଥିବାବେଳେ କ୍ଲବ୍‌ର ପିଡିଜି ପ୍ରକାଶ କୁମାର ଜେନା ଓ ଘରୋଇ ବିଦ୍ୟାଳୟର ସଭାପତି ତଥା ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଉଦ୍‌ଘାଟନ କରିଥିଲେ । ଏଥିରେ ଲାୟନ୍ସ ଶୁଭ୍ରକାଶ ନାୟକ, ସରୋଜ କୁମାର ଦାସ, ଅଶୋକ ପଟ୍ଟନାୟକ, ବିଜୟ ଗୁପ୍ତା, ପ୍ରୀତିରଂଜନ ଦାସ, ଘରୋଇ ବିଦ୍ୟାଳୟ ମହାସଂଘର ସଂପାଦକ ପ୍ରହ୍ଲାଦ କର, ପୂର୍ଣ୍ଣଚନ୍ଦ୍ର ସେନ ପ୍ରମୁଖ ଯୋଗଦେଇଥିଲେ । ଅନୁରୂପ ଦ୍ୱିତୀୟ ଦିନର ଉଦ୍‌ଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ପ୍ରତିଭାକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏବଂ ସରକାରୀ ସ୍ତରରେ ହେଉଥିବା ସୁରଭି କାର୍ଯ୍ୟକ୍ରମ ଭଳି ବେସରକାରୀ ସ୍ତରରେ ଲାୟନ୍ସ କ୍ଲବ୍ ସହଯୋଗରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, କାଉନସିଲରଙ୍କ ପ୍ରତିନିଧି ପଙ୍କଜ ବଳ ପ୍ରମୁଖ ଯୋଗଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ ଯୋଗଦେଇଥିଲେ । ତେବେ ସମସ୍ତ କାର୍ଯ୍ୟକ୍ରମରେ ଘରୋଇ ବିଦ୍ୟାଳୟ ସଂଘର ସଭାପତି ଅଶୋକ କୁମାର ମହାନ୍ତି ସଭାପତିତ୍ୱ କରି ସରକାରୀ ସ୍ତରରେ ଯେଉଁ ସୁରଭି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି, ବେସରକାରୀ ସ୍କୁଲରେ ଏହାର ଅଭାବ ପରିଲକ୍ଷିତ ହେଉଥିବାରୁ ସେମାନଙ୍କର ପ୍ରତିଭାର ବିକାଶ ହୋଇପାରୁନଥିବା ବିଷୟ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ବେସରକାରୀ ସ୍ତରୀୟ ପିଲାମାନଙ୍କୁ ନେଇ ଏଭଳି ପ୍ରତିଯୋଗିତା ନିଶ୍ଚିତ ଭାବେ ସେମାନଙ୍କର ପ୍ରତିଭାର ବିକାଶକୁ ଲୋକ ଲୋଚନକୁ ଆଣିବାର ପ୍ରୟାସ ବୋଲି ସୂଚାଇଥିଲେ । ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ମୋଟ ୮୮ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିବାବେଳେ ଉତ୍ତମ କାର୍ଯ୍ୟ ପାଇଁ ୪୫ଟି ବିଦ୍ୟାଳୟକୁ ମାନପତ୍ର ପ୍ରଦାନ ପୂର୍ବକ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।