Odiapua.com

ଅଲ୍‌ଟ୍ରାସାଉଣ୍ଡ କ୍ଲିନିକରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ , ଜିଲ୍ଳାରେ ରକ୍ତ ସଂଗ୍ରହ ପାଇଁ ସଚେତନତା ଜରୁରୀ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଭଦ୍ରକ ଜିଲ୍ଲାରେ ରକ୍ତ ସଂଗ୍ରହର ହାର ବୃଦ୍ଧ କରାଯିବା ନିମନ୍ତେ ଜନ ସଚେତନତା ଜରୁରୀ । ସେହିଭଳି ଜିଲ୍ଲାରେ ରହିଥିବା ଅଲ୍‌ଟ୍ରା ସାଉଣ୍ଡ କ୍ଲିନିକରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ରକ୍ତଭଣ୍ଡାର ଓ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ କର୍ମକର୍ତ୍ତାଙ୍କୁ ନେଇ ଆଜି ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ରକ୍ତ ସଂଗ୍ରହ କ୍ଷେତ୍ରରେ କିପରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରାଯାଇ ପାରିବ ଏବଂ ଲୋକଙ୍କୁ ରକ୍ତଦାନ କରିବା ଲାଗି ପ୍ରବର୍ତ୍ତା ଯାଇ ପାରିବ ସେ ଦିଗରେ ଆବଶ୍ୟକ ଜନସଚେତନତା ବୃଦ୍ଧି କରିବାକୁ ଜିଲ୍ଲାପାଳ ଡ. ଦାସ ପରାମର୍ଶ ଦେଇଥିଲେ । ଏ ବିଷୟରେ ଆଲୋଚନା କରି ଜିଲ୍ଲା ବ୍ଳଡବ୍ୟାଙ୍କ ଇନ୍‌ଚାର୍ଜ ଡାକ୍ତର ବିମଳା ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ଥିବା ବ୍ଳଡବ୍ୟାଙ୍କର ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ । ଏହାର ନିରାକରଣ ଦିଗରେ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲାପାଳ ଡ. ଦାସ ଜିଲ୍ଲା ମୁଖ୍ୟଚିକିତ୍ସାଧକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲାରେ ରହିଥିବା ଅଲ୍‌ଟ୍ରା ସାଉଣ୍ଡ କ୍ଲିନିକ ଗୁଡିକ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଆବଶ୍ୟକୀୟ ସର୍ତ୍ତାବଳୀକୁ ମାନିବାକୁ ବାଧ୍ୟ ରହିବେ । ଏହା ସହିତ ଯେଉଁମାନେ ଭୃଣ ଚିହ୍ନଟ କରିବା ଭଳି ଧର୍ତ୍ତବ୍ୟ ଅପରାଧକୁ ପ୍ରୋତ୍ସାହିତ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଅଲ୍‌ଟ୍ରା ସାଉଣ୍ଡ କ୍ଲିନିକମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଲଗାଇବା ବାଧ୍ୟତା ମୂଳକ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତର ଏହାର ଯାଞ୍ଚ କରିବାକୁ ମୁଖ୍ୟ ଚିକିିତ୍ସାଧିକାରୀଙ୍କୁ କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା, ଅଲ୍‌ଟ୍ରା ସାଉଣ୍ଡ କ୍ଲିନିକର କର୍ମକର୍ତ୍ତା, ବ୍ଲଡବ୍ୟାଙ୍କ କର୍ମଚାରୀ ଯୋଗ ଦେଇଥିଲେ ।