Odiapua.com

ଅର୍ଥ ସାଜିଛି ବାଧକ, ବ୍ରେନ୍ ଟ୍ୟୁମରରେ ପୀଡିତ ବ୍ରଜବନ୍ଧୁ ବାରିକଙ୍କ ଆକୁଳ ନିବେଦନ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ନାଲଗୁଣ୍ଡା ଗ୍ରାମନିବାସୀ ସ୍ୱର୍ଗତଃ ବିନୋଦ ବାରିକଙ୍କ ଏକମାତ୍ର ରୋଜଗାରକ୍ଷମ ପୁତ୍ର ବ୍ରଜବନ୍ଧୁ ଏବେ ସୁଦୂର ବାଙ୍ଗାଲୋରସ୍ଥିତ ସତ୍ୟସାଇ ମେଡିକାଲରେ ବ୍ରେନ୍ ଟ୍ୟୁମରରେ ପୀଡିତ ଥାଇ ଜୀବନ ସହ ଜୁଝୁଛନ୍ତି । ନିକଟରେ ପିତାଙ୍କ ଦେହାନ୍ତ ପରେ ବ୍ରଜବନ୍ଧୁଙ୍କ ପରିବାର ଭାଙ୍ଗି ପଡିଥିବାବେଳେ ଏବେ ବ୍ରଜବନ୍ଧୁଙ୍କ ପରିବାରରେ ଥିବା ତାଙ୍କ ପତ୍ନୀ ସୁମିତ୍ରା ଓ ନିଷ୍ପାପ ସଂସାରକୁ ବୁଝିନଥିବା ଛୋଟ ଛୋଟ ତିନି ଗୋଟି ଝିଅ ବେସାହାରା ହୋଇପଡିଛନ୍ତି । ବ୍ରଜବନ୍ଧୁଙ୍କର ଚିକିତ୍ସାରେ ସମସ୍ତ ଜମିବାଡି ବିକ୍ରି ହୋଇ ପ୍ରାୟ ୧୦ ଲକ୍ଷ ଭଳି ଅର୍ଥ ୨୦୨୦ ମସିହାରେ ବାଙ୍ଗାଲୋରର ସତ୍ୟସାଇ ମେଡିକାଲରେ ଅପରେସନରେ ଖର୍ଚ୍ଚ ହୋଇଯାଇଛି । ଏବେ ଅର୍ଥ ଶୂନ୍ୟ ପରିବାର ଆଖିରେ ଲୁହ ଧୀରେ ଧୀରେ ଶୁଖିଆସୁଥିବାବେଳେ ବୋଝ ଉପରେ ଲଳିତା ବିଡା ସଦୃଶ ତାଙ୍କର ଆର୍ଥିକ ସଂକଟ ତାଙ୍କୁ ଚିନ୍ତାରେ ପକାଇଛି । କାହିଁକିନା ଦୀର୍ଘ ୪ ବର୍ଷ ପରେ ୨ୟ ଥର ପାଇଁ ତାଙ୍କର ବ୍ରେନ୍ ଟ୍ୟୁମର ଅପରେସନ ହେବ ବୋଲି ଡାକ୍ତରମାନେ କହିଛନ୍ତି । ବ୍ରଜବନ୍ଧୁ ଜଣେ ଦିନ ମଜୁରିଆ । ଦୀର୍ଘ ୪ ବର୍ଷ ହେବ ଘରେ ବସିଛନ୍ତି । ତେଣୁ ୨ୟ ଥର ଅପରେସନ ପାଇଁ ଏତେଗୁଡିଏ ଟଙ୍କା ଆସିବ କେଉଠୁ । ଦୁନିଆକୁ ବୁଝିନଥିବା କୁନି ଝିଅ ତିନୋଟିଙ୍କର ଭବିଷ୍ୟତ କଣ ହେବ । ଘର ଖର୍ଚ୍ଚ ଖାଇବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ଏଭଳି ଅବସ୍ଥାରେ ବ୍ରଜବନ୍ଧୁଙ୍କ ପତ୍ନୀ ସୁମିତ୍ରା ଓଡ଼ିଶା ବାସୀଙ୍କୁ ନିଜର ନିଜର ଆର୍ଥିକ ସାମର୍ଥ୍ୟ ଅନୁଯାୟୀ ସହାୟତା ମାଗିଛନ୍ତି । ଏବଂ ତାଙ୍କ ସ୍ୱାମୀଙ୍କର କିଛି ହୋଇଗଲେ ୩ ଝିଅ ଅନାଥ ହେବା ସହିତ ସେମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ । ଏଣୁ କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟର ହାତ ବଢାଇବାକୁ ଚାହୁଁଥିଲେ ଫୋନ୍ ପେ ନଂ ୬୩୭୧୧୫୬୦୮୯ ରେ ଯୋଗାଯୋଗ କରି ଆର୍ଥିକ ସହାୟତା ଦେବାକୁ ନିବେଦନ କରିଛନ୍ତି ।