Odiapua.com

ଅର୍ଥ ନେଣଦେଣ ବିବାଦ ଯୋଗୁଁ ଶାଶୁ ଓ ପତ୍ନୀଙ୍କୁ ହତ୍ୟାକରିଥିଲା ଜ୍ୱାଇଁ, ପୁଲିସ୍ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୁରୁପଦ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଭଦ୍ରା ଯୋଜନାରେ ସହାୟତା ପାଇବା ପାଇଁ ଆବେଦନ କରିବାକୁ ଯାଇ ଘରକୁ ଫେରିନଥିବା ମା’ ଓ ବିବାହିତା ଝିଅକୁ ଜ୍ୱାଇଁ ଅର୍ଥ ନେଣଦେଣ ବିବାଦ ଜନିତ କାରଣରୁ ହତ୍ୟା କରିଥିବା ବିଷୟ ଶେଷରେ ପୁଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ। ଏଠାରେ ସୂଚନାଯୋଗ୍ୟ ଏହି ଜିଲାର ନାୟକାଣୀଡିହି ଥାନା ଅଧୀନସ୍ଥ ବାଲିମୁଣ୍ଡା ପଂଚାୟତ ବଡହବାଳିସାହ ପାଂଚଘରିଆ ଗ୍ରାମନିବାସୀ ଯମୁନା ନାୟକ ଓ ତାଙ୍କ ବିବାହିତ କନ୍ୟା କୌଶଲ୍ୟା ଗାୟନ ଗତମାସ ୨୭ ତାରିଖ ଦିନ ସୁଭଦ୍ରା ଯୋଜନାର ସହାୟତା ପାଇବା ପାଇଁ ଆବେଦନ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନପାଇବାରୁ ୩ ତାରିଖ ଦିନ ନାୟକାଣୀଡିହି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ସ୍ଥାନୀୟ ଚାଷୀମାନେ ଜେସିବିରେ ହାବେଳିସାହି ପାଂଚଘରିଆ ଲୁଣାବନ୍ଧ ପାଣି ନିଷ୍କାସନ ପାଇଁ ଖୋଳୁଥିବାବେଳେ ଏକ ପଲିଥିନ ଭିତରୁ ଖପୁରୀ ଓ କଂକାଳ ଦେଖିବାକୁ ପାଇଥିଲେ। ଏହି ଘଟଣା ପୁଲିସ୍ ଜାଣିବା ପରେ ମା’ ଝିଅଙ୍କୁ କେହି ହତ୍ୟା କରି ମାଟିରେ ପୋତି ଦେଇଥିବାର ଆଶଙ୍କା କରି ନିଖୋଜ ମହିଳାଙ୍କ ଦୁଇ ଜ୍ୱାଇଁଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ତେବେ ଏହି ଘଟଣାରେ ସେହି ଗ୍ରାମର ବାବୁରାମ ଗାୟନଙ୍କ୍ ପୁତ୍ର ଗୁରୁପଦ ଗାୟନ ଅର୍ଥ ନେଣଦେଣ ବିବାଦକୁ ନେଇ ନିଜର ଶାଶୁ ଓ ପତ୍ନୀକୁ ହତ୍ୟା କରିଥିବା ବିଷୟ ପୁଲିସ୍ ଆଗରେ ସ୍ୱୀକାର କରିଥିଲା। ଏହାପରେ ଏସ୍‌ଡିପିଓ ସୌରଭ ଓତା ସ୍ଥାନୀୟ ଥାନା ପୁଲିସ୍‌ଙ୍କ ସହାୟତାରେ ଆଜି ଗୁରୁପଦ (୩୮)କୁ ଧରି ସେ କିଭଳି ହତ୍ୟା କରିଥିଲା, ତାହାର ଡେମୋ ଦେଖିଥିଲେ। ତେବେ ଗୋଟିଏ ମୃତଦେହକୁ ପୁଲିସ୍ ଜବତ କରିଥିବାବେଳେ ଅନ୍ୟଟିକୁ ଅଭିଯୁକ୍ତର ଚିହ୍ନଟ ମୂଳେ ଉଦ୍ଧାର କରାଯିବ ବୋଲି ସୂଚନା ଦେଇଛନ୍ତି।