କଟକ, ୯/୬ (ଓଡ଼ିଆ ପୁଅ/ ଅଭୟ ଜେନା) ଯାଜପୁର ତହସିଲର ପୂର୍ବତନ ନାଜିର ରଜତ ରାଉତରାୟ ୬ ବର୍ଷ ପରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମରେ ୪ କୋଟି ୯୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି। ଶ୍ରୀ ରାଉତରାୟ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ମାନେ ଧରାପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ସୈରାତ ନିଲାମ ଅର୍ଥ, ଜରୁରୀକାଳୀନ ବିଭାଗର ସହାୟତା ରାଶି ଓ ଖଜଣା ଅର୍ଥ, ମୋଟ୍ ୪ କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିଲା। ସ୍ବତନ୍ତ୍ର ଭାବେ ରାଜସ୍ବ ଅଡିଟ୍ ବେଳେ ଏହି ଜାଲିଆତି ଧରା ପଡ଼ିଥିଲା। ୧୦ ବର୍ଷରେ ତହସିଲରେ କାର୍ଯ୍ୟରତ ୭ ଜଣ ତହସିଲ୍ଦାର, କ୍ୟାସିୟର, କିରାଣୀ ଓ ନାଜିର ରଜତ ରାଉତରାୟଙ୍କୁ ମିଶାଇ ୧୨ ଜଣ ଏହି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହୋଇଥିଲା। ନାଜିର ରଜତ ରାଉତରାୟ ଏହି ଦୁର୍ନୀତର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ସମସ୍ତଙ୍କୁ ନୋଟିସ୍ ହୋଇଥିବା ଓ ରଜତକୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ଦୁର୍ନୀତି ଟଙ୍କା ଫେରାଇଲେ ପୁଣି ଥରେ ଚାକିରି ଫେରିପାଇବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ରଜତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମାଧ୍ୟମରେ ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କା ଫେରାଇ ଚମ୍ପଟ ମାରିଥିଲେ।
ଅର୍ଥ ଆତ୍ମସାତ କରି ଫେରାର ଥିବା ପୂର୍ବତନ ନାଜର ଗିରଫ : ୬ ବର୍ଷ ପରେ ଗିରଫ
