Odiapua.com

ଅର୍ଥ ଅଭାବରୁ ଚିକିତ୍ସା ନ ପାଇ ଜୀବନ ସଂଗ୍ରାମ କରୁଛନ୍ତି ଯୁବକ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮-ସରକାର ସମସ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । କିନ୍ତୁ ବେଳେ ବେଳେ ଅର୍ଥାଭାବରୁ ଚିକିତ୍ସା ନ ପାଇ ଅନେକ ଶିକ୍ଷିତ ଯୁବକ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରି ଚାଲିଛନ୍ତି । ସେହିଭଳି ଏକ ଦୁଃଖଦ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚମ୍ପାପେଡି ଗ୍ରାମ ପଂଚାୟତ ବାରଙ୍ଗଗାଡିଆ ଗ୍ରାମରେ । ଗ୍ରାମର ଜଗନ୍ନାଥ ବରାଡ(୨୯) ଜଣେ ସଂସ୍କୃତରେ ଏମ.ଫିଲ୍ କରିଥିବା ଶିକ୍ଷିତ ଯୁବକ ଗାଁ ରେ ଛୋଟ ପିଲାମାନଙ୍କୁ ଟ୍ୟୁସନ୍ କରିବା ସହ ଗାଁ ଗାଁ ବୁଲି ପ୍ରବଚନ ଦେଉଥିଲେ । ସେଥିରୁ ଯାହା ପାରିଶ୍ରମିକ ମିଳୁଥିଲା ସେଥିରେ ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ଦାଉ ସାଧିଲା ରୋଗ । ଭୁବନେଶ୍ୱର ର ବିଭିନ୍ନ ବଡ ଡାକ୍ତରଖାନା କୁ ଯାଇ ଚିକିତ୍ସା ପାଇଁ ପହଁଚିଲେ ଡାକ୍ତରମାନେ କହିଲେ ଯେ ଅଣ୍ଟାଠାରୁ ୨ ଗୋଡକୁ ରକ୍ତ ସଂଚାଳନ ହେଉନାହିଁ । ଅର୍ଥାଭାବରୁ ଚିକିତ୍ସା ହୋଇ ନ ପାରି ଦେଢ ବର୍ଷ ହେଲା ଘରେ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି ।

ଘର ଚାଳଘର ବଖରା କୁ ଛାଡିଦେଲେ ଜମିବାଡି କିଛିନାହିଁ । ଘରର ସମ୍ବଳ କହିଲେ ନିଜ ବିଧବା ମାଁଙ୍କୁ ମିଳୁଥିବା ୫ଶହ ଟଙ୍କା ବିଧବା ଭତ୍ତା ଓ ମାସିକ ୧୫ କେଜି ଖାଦ୍ୟ ଶସ୍ୟ ଏବଂ ଜଗନ୍ନାଥ ବରାଡଙ୍କର ଘେରେ ଏକ ବିବାହ ଯୋଗ୍ୟା ଭଉଣୀ । ପରିବାର ଚଳାଇବା ପାଇଁ କଷ୍ଟକର । ସରକାରୀ ସହାୟତା, ବଦାନ୍ୟ ବ୍ୟକ୍ତି ଓ ସାମାଜିକ ଅନୁଷ୍ଠାନକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଜଗନ୍ନାଥ ବରାଡ । ଯୋଗା ଯୋଗ ପାଇଁ ଜଗନ୍ନାଥ ବରାଡଙ୍କର ଫୋନ୍ ନମ୍ବର ହେଉଛି ୮୦୧୮୨୨୧୦୯୨ । ଜଗନ୍ନାଥ ଙ୍କୁ ବିଧବା ମା ଓ ଭଉଣୀ ଗାଧୋଇବା ଠାରୁ ଆରମ୍ଭ କରି ସବୁ କାମ କରାଇଥାନ୍ତି । ଜଗନ୍ନାଥ କୁହନ୍ତି ଆର୍ଥିକ ସହାୟତା ପାଇଲେ ମୁଁ ବଂଚିବି ଏବଂ ପୁଣିଥରେ ପ୍ରବଚନ ଦେବି । ଏ ସମ୍ପର୍କେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କୁ ଯୋଗା ଯୋଗ କରିବାରେ କୁହନ୍ତି ଜଗନ୍ନାଥ ଜିଲ୍ଲା ରେଡକ୍ରସ୍ ପାଣ୍ଠିକୁ ଓ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଆବେଦନ କଲେ ନିଶ୍ଚିତ ସହଯୋଗ କରାଯିବ ।