Odiapua.com

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ

ଗ୍ରାମାଞ୍ଚଳରେ ଜୀବନ ଧାରଣ ମାନରେ ଉନ୍ନତି ଆଣି ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ ଲକ୍ଷ୍ୟ

ଏମ୍‌ଜିନରେଗା ଯୋଜନା ଅଧୀନରେ ସୃଷ୍ଟି ହେଉଥିବା ସମ୍ବଳର ଭଲ ପ୍ରଭାବ କୃଷି ଉତ୍ପାଦକତା ଓ ପାରିବାରିକ ଆୟ ଉପରେ ପଡିଛି; ଏହା ଫଳରେ ଗ୍ରାମଞ୍ଚଳରୁ ଲୋକଙ୍କ ପଳାୟନ ଓ ଋଣଗ୍ରସ୍ତ ହେବାର ହାର କମିଛି

ଶ୍ରମଶକ୍ତିରେ ଗ୍ରାମାଞ୍ଚଳ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ହାର ବଢିଛି; ୨୦୧୮-୧୯ରେ ଏହା ୧୯.୭ ଶତାଂଶ ଥିବାବେଳେ ୨୦୨୦-୨୧ରେ ୨୭.୭ ଶତାଂଶରେ ପହଞ୍ଚିଥିଲା

ନୂଆଦିଲ୍ଲୀ, ୩୧-୧ (ଓଡ଼ିଆ ପୁଅ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ୍‌ତ୍ୱ ପ୍ରଦାନ କରାଯାଇଛି।

ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି। ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ଶତାଂଶ। ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳ ଜନତାଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସହିତ ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି। ସେଥିପାଇଁ ଗ୍ରାମୀଣ ଅର୍ଥନୀତିରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତକ୍ଷେପ କରି ସରକାର ଲୋକଙ୍କ ଜୀବନ ଓ ଜୀବିକାରେ ଗଠନମୂଳକ ତଥା ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ପ୍ରୟାସୀ। ସେଥିପାଇଁ ବିଭିନ୍ନ ସାମାଜିକ-ଅର୍ଥନୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ସମାବେଶୀ କରି ସଶକ୍ତ ଏବଂ ସମର୍ଥ କରିବାକୁ ଉଦ୍ୟମ ଚାଲିଛି। ମୋଟାମୋଟି ଗ୍ରାମୀଣ ଭାରତକୁ ଅଧିକ ସଶକ୍ତ ଏବଂ ସମୃଦ୍ଧ କିରବାକୁ ସରକାର କାମ କରୁଥିବା ଏହି ରିପୋର୍ଟରେ କୁହାଯାଇଛି।

ସର୍ଭେରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଡାଟା ୨୦୧୯-୨୧ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହାକୁ ୨୦୧୫-୧୬ବର୍ଷର ଡାଟା ସହିତ ତୁଳନା କରି କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଏବଂ ଏହାର ଉତ୍ତମ ପ୍ରଭାବ ଗ୍ରାମ୍ୟ ଗ୍ରାମ୍ୟ ଜୀବନ ତଥା ଜୀବିକା ଉପରେ ପଡିଛି। ଫଳରେ ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ପରିଲକ୍ଷିତ ହୋଇଛି। ବିଜୁଳି ଓ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଫଳରେ ଲୋକଙ୍କ ଜୀବନ ଧାରଣର ମାନ ଉପରେ ଭଲ ପ୍ରଭାବ ପଡିଛି। ମହିଳା ସଶକ୍ତିକରଣ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଏହା ଫଳରେ ପାରିବାରିକ ନିଷ୍ପତ୍ତିରେ ମହିଳାଙ୍କ ଅଂଶଗ୍ରହଣ ବଢିଛି। ସେମାନଙ୍କ ନାମରେ ଅଧିକରୁ ଅଧିକ ବ୍ୟାଙ୍କ ଖାତା ଖୋଲା ଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ସେହିଭଳି ଗ୍ରାମାଞ୍ଚଳ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସୂଚକାଙ୍କର ଉନ୍ନତି ପରିଲକ୍ଷିତ ହୋଇଛି। ଏସବୁ ପ୍ରଗତି ଓ ରଚନାତ୍ମକ ପରିବର୍ତ୍ତନ ନିଃସନ୍ଦେହରେ ଗ୍ରାମାଞ୍ଚଳ ଲୋକଙ୍କ ସ୍ଥିତି ଓ ଜୀବନଧାରଣ ମାନରେ ଉନ୍ନତିର ପ୍ରମାଣ ବହନ କରୁଛି। ଏହା ଆହୁରି ମଧ୍ୟ ପ୍ରମାଣିତ କରୁଛି ଯେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଣ ଉପରେ ଗୁରୁତ୍ୱ ଏବଂ ଯୋଜନାର ଦକ୍ଷ ପରିଚାଳନା ଏବଂ ସଫଳ କାର୍ଯ୍ୟକାରିତା ଏହି ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି।

ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଯାହା ଗ୍ରାମାଞ୍ଚଳ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି ସେଥିମଧ୍ୟରେ ରହିଛି ସମସ୍ତଙ୍କ ପାଇଁ ଘର, ଉତ୍ତମ ମାନର ସହଜଲବ୍ଧ ସ୍ୱାସ୍ଥ୍ୟସେବା, ସବୁଦିନିଆ ସଡକ, ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ସାମାଜିକ ନିରାପତ୍ତା, ଜୀବିକା ନିରାପତ୍ତା, ସ୍ୱଚ୍ଛ ଇନ୍ଧନ ଗ୍ୟାସ ଯୋଗାଣ, କୌଶଳ ବିକାଶ, ସ୍ୱଚ୍ଛତା ଓ ପାନୀୟ ଜଳଯୋଗାଣ, ବିଜୁଳି ଶକ୍ତି ଇତ୍ୟାଦି।

ମୋଟ ୨୨କୋଟି ହିତାଧିକାରୀଙ୍କୁ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୩୦କୋଟି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେହିଭଳି ୪୯ଲକ୍ଷ ଲୋକ ପିଏମ୍‌-ଏସ୍‌ୱାଇଏସ୍‌ର ଲାଭ ପାଇଛନ୍ତି। ୨୦୨୩ ଆର୍ଥିକ ବର୍ଷରେ ୬.୫ କୋଟି ପରିବାରକୁ ଏମ୍‌ଜିନରେଗାର ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୧୧କୋଟି ପରିବାର ଇନ୍ଧନ ଗ୍ୟାସ ସଂଯୋଗ ପାଇଛନ୍ତି। ଏହାଛଡା ୧୧କୋଟି ଘରକୁ ଗ୍ରାମୀଣ ଜଳଜୀବନ ମିଶନରେ ଟ୍ୟାପ ଜଳ ଯୋଗାଇ ଦିଆଯାଇଛି। ସୌଭାଗ୍ୟ ଯୋଜନାରେ ୨.୯କୋଟି ଗ୍ରାମୀଣ ଘରକୁ ବିଜୁଳି ସଂଯୋଗ ଦିଆଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦେଶରେ ୨.୧କୋଟି ଘର ନିର୍ମାଣ କରାଯାଇଛି। ଏହା ବ୍ୟତୀତ ୨୦୦୦ ମସିହାରୁ ପିଏମ୍‌ଜିକେଏସ୍‌ୱାଇ ଯୋଜନାରେ ୭.୨ଲକ୍ଷ କି.ମି. ସଡକ ସରକାର ତିଆରି କରିଛନ୍ତି। ନୂତନ ଶିକ୍ଷାନୀତି ଅଧୀନରେ ଦେଶରେ ୧୪, ୫୦୦ ପି.ଏମ୍‌-ଶ୍ରୀ ସ୍କୁଲ ତିଆରି କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଏବଂ ଲୋକଙ୍କ ଜୀବନ ଧାରଣରର ମାନରେ ଉନ୍ନତି ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବନ ମିଶନ, ଏମ୍‌ଜିନରେଗା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ମହିଳା ସଶକ୍ତିକରଣ, ସମସ୍ତଙ୍କ ପାଇଁ ଆବାସ, ଜଳ ଜୀବନ ମିଶନ, ମିଶନ ଅମୃତ ସରୋବର, ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ(ପର୍ଯ୍ୟାୟ-୨), ଧୂମମୁକ୍ତ ଗ୍ରାମାଞ୍ଚଳ ଘର, ଗ୍ରାମ୍ୟ ଭିତ୍ତିଭୂମି ନିର୍ମାଣ, ଗ୍ରାମ ସଡକ ଯୋଜନା ଓ ସୌଭାଗ୍ୟ ଯୋଜନା ଆଦି ଅନ୍ୟତମ।