ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ପିରାହାଟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଚାନ୍ଦବାଲି ବ୍ଲକ ଅଧିନ ବଡ଼ରୂପା ଗ୍ରାମର ଜଣେ ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଛି।ନିଜ ପରିବାରର ସମସ୍ତ ବୋଝ ଉଠାଉଥିଲେ ଘରର ରୋଜଗାରିଆ ପୁଅ ବାବାଜୀ ପରିବାର କହିଲେ ଅନ୍ଧ ବୁଢୀ ମା, ସ୍ତ୍ରୀ ଓ ଦୁଇଟି ପିଲା. ବାବାଜୀ ବାହାର ରାଜ୍ୟରେ ଏକ କନଷ୍ତ୍ରକ୍ସନ କମ୍ପାନୀରେ କାମ କରୁଥିବାବେଳେ ଦୁଇ ମହଲା ଛାତରୁ ପଡିଯିବା ଫଳରେ ତାଙ୍କର ମେରୁଦଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ କୋମା ଅବସ୍ଥାକୁ ଚାଲିଯାଇଥିଲେ। ସେଠାରେ ତାଙ୍କୁ ଦୀର୍ଘ ଦିନ ଧରି ଚିକିତ୍ସା କରାଯାଇଥିଲା।ଜମିବାଡ଼ି ଯାହାଥିଲା ସବୁ ଚାଲିଗଲା। ଶେଷରେ କୌଣସି ଉପାୟ ନପାଇ ବାବାଜୀଙ୍କୁ ନିଜ ଘର ମତୋ ବଡ଼ରୁପା ଗାଁକୁ ନେଇଆସିଥିଲେ। ଗାଁର ନୁଆଁଣିଆ ଚାଳଚ୍ଛପର ଘରେ ଆକର୍ମଣ୍ୟ ହୋଇ ଦୀର୍ଘ ଦିନ ହେଲା ପଡିରହିଛନ୍ତି।ମାଟି ଚଟାଣ ଉପରେ ଶୋଇ ଶୋଇ ତାଙ୍କର ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇ ସଂକ୍ରମଣ ହୋଇଗଲାଣି। ଏପରି ଅବସ୍ଥାରେ ବାବାଜୀଙ୍କ ସ୍ତ୍ରୀ ସ୍ୱାମୀର ଚିକିତ୍ସା ଓ ପରିବାରର ବୋଝ କିପରି ଉଠାଇବେ ଅସହାୟ ହୋଇ ପରର କାମଧନ୍ଦା କରି ଯାହା ଦିପଇସା ଆଣୁଛନ୍ତି ସେଥିରେବା କଣ ହୋଇପାରିବ।ଏହି ଖବର ୮ ମାସ ତଳେ ପୀରହାଟ ପ୍ରଦେଶସେବା ସଂଗଠନର ନଜରକୁ ଆସିବାପରେ ସଂଗଠନର ସଦସ୍ୟ ମାନେ ବଡ଼ରୁପା ଗାଁରେ ପହଂଚି ବାବାଜୀ ଓ ତାଙ୍କ ପରିବାର ଅବସ୍ଥା ଦେଖି ଦୁଃଖିତ ହୋଇଥିଲେ।ସଂଗଠନ ପକ୍ଷରୁ ଅସହାୟ ପରିବାରଙ୍କୁ ଦିଆଯାଉଥିବା ମାସିକ ରେସନ ଯୋଜନାରେ ସାମିଲ କରି ପ୍ରତି ମାସ ପରିବାର ଚଳିବାପାଇଁ ଆବଶ୍ୟକ ରେସନସାମଗ୍ରୀ ଯୋଗାଇ ଦେଉଛନ୍ତି। ହେଲେ ସ୍ୱାମୀର ମାସିକ ଔଷଧ ଖର୍ଚ୍ଚ, ପିଲାଙ୍କ ପାଠପଢା ଓ ଘରର ଅନ୍ୟନ୍ୟ ଖର୍ଚ୍ଚ ଭରଣା କରିବା ପାଇଁ ଅସହାୟ ମହିଳା ଜଣକ ଯେପରି ସ୍ୱାବଲମ୍ବି ହୋଇପାରିବେ ତାହା ସଂଗଠନର ସଦସ୍ୟ ମାନେ ବିଚାର ବିମର୍ସ କରି ଏକ ଦୋକାନ ଖୋଲିଦେବାକୁ ନିଷ୍ପତି ନେଇଥିଲେ। ଆଜି ସଂଗଠନର ସଦସ୍ୟ ମାନେ ସମସ୍ତ ଦୋକାନ ସାମଗ୍ରୀ ଧରି ବଡ଼ରୁପା ଗାଁରେ ପହଂଚି ବାବାଜୀଙ୍କ ଘରେ ଏକ ତେଜରାତି ଦୋକାନ ଖୋଲିଦେଇଛନ୍ତି। ଏହା ଦେଖି ବାବାଜୀଙ୍କ ପରିବାର ଖୁସି ହେବାସହ ସଂଗଠନର ସଦସ୍ୟଙ୍କୁ ଆଶ୍ରିବାଦ କରିଥିଲେ।ସଂଗଠନର ସଭାପତି ରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ସମ୍ପାଦିକା ସୁଭଦ୍ରା ଭାରତୀ, ଉପଦେଷ୍ଟା କ୍ଷୀରୋଦ ବିହାରି ଦାଶ, ମମତା ରାଉତ, ହରିହର ମହାନ୍ତି, ଧ୍ରୁବଚରଣ ପାଣିଗ୍ରାହୀ,ଆର୍ତବଲ୍ଲ୍ୱ ବାରିକ, ଗୌତମ ମିଶ୍ର, ସୁପ୍ରଭା ମିଶ୍ର, ଆଲୋକ ବିକାଶ ପ୍ରିୟଦର୍ଶୀ, ମାଧବା ନନ୍ଦ ପଶୁ ପାଳକ, ନରେନ୍ଦ୍ର ମହାନ୍ତି, ଧୀରେନ୍ଦ୍ର ବାରିକ, ସବିତା ମହାନ୍ତି, ସନ୍ୟାସୀ ସାହୁ, ସବିତା ମହାନ୍ତି ଓ ସୁନୀଲତା ନାୟକ ପ୍ରମୁଖ ବାବାଜୀଙ୍କ ପରିବାରକୁ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରଦେଶ ସେବା ସଂଗଠନ ଅସହାୟଙ୍କ ଆଶାର ବାଡ଼ି ସାଜି ତିହିଡି ଓ ଚାନ୍ଦବାଲି ବ୍ଲକର ୨୫ଟି ଅସହାୟ ପରିବାରକୁ ମାସିକ ରେସନ ସାମଗ୍ରୀ ଯୋଗାଉଥିବା ସହ ନନ୍ଦପୁର ତାରିଣୀ ଛକରେ ଅସହାୟ ବୃଦ୍ଧ -ବୃଦ୍ଧା ବାପା -ମା, ହଳଦିଆରେ ଅସହାୟ ବିଧବା ମା, ଚାନ୍ଦବାଲିରେ ସତ୍ୟ ବ୍ରତ ଦାସଙ୍କ ବିଧବା ପତ୍ନୀ, ହରସିଂହ ପୁରରେ ସ୍ୱର୍ଗତ କୃଷ୍ଣ ଦଳେଇଙ୍କ ବିଧବା ପତ୍ନୀ ପୀରହାଟରେ ଜଣେ ଅସହାୟ ମା ସମେତ ଜିଲ୍ଲାର ବିଭନ୍ନ ସ୍ଥାନରେ ୧୫ରୁ ଉର୍ଦ୍ଧ ଅସହାୟଙ୍କୁ ସ୍ୱାବଲମ୍ବି କରିବା ପାଇଁ ଦୋକାନ ଖୋଲିଦେଇ ସହଯୋଗର ହାତ ବଢ଼ାଇ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ସାଉଁଟୁଛି ।