Odiapua.com

ଅରୁଣ ଜେଟଲୀଙ୍କ ସ୍ମରଣରେ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା – ଧର୍ମେନ୍ଦ୍ର ପ୍ରଧାନ

– ଓଡିଆ ଲୋକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅରୁଣ ଜେଟଲୀଙ୍କ ଶ୍ରଦ୍ଧା ଥିଲା ଅପାର
– ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ବଜେଟ୍ ଓ ସ୍ମାରକୀ ମୁଦ୍ରା ତାଙ୍କର ଅବଦାନ ଥିଲା
– ନବକଳେବର ଉତ୍ସବରେ ଏକ ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ସେ ତତକ୍ଷଣାତ୍ ଅନୁମତି ଦେଇଥିଲେ
– ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତିକୁ ଭାରତ ସରକାରଙ୍କ ସ୍ୱୀକୃତି ସହ ବଜେଟ୍ ପ୍ରସ୍ତାବର ଶବ୍ଦ ସଂଯୋଜନା ଅରୁଣ ଜେଟଲୀ କରିଥିଲେ
– ସମସ୍ତଙ୍କର ଜଣେ ବନ୍ଧୁ ଏବଂ ଭାଇ ଓ ଏକ ଆସ୍ଥାର କେନ୍ଦ୍ର ଭାବେ ଅରୁଣ ଜେଟଲୀ ସାମାଜିକ ଜୀବନକୁ ପୂରା କରି ବିଦାୟ ନେଇଛନ୍ତି

ଭୁବନେଶ୍ୱର, ସେପ୍ଟେମ୍ବର ୦୫ (ଓଡ଼ିଆ ପୁଅ) – ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା ବୋଲି ଭୁବନେଶ୍ୱର ଠାରେ ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସ୍ମରଣରେ ଆୟୋଜିତ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱର୍ଗତ ଅରୁଣ ଜେଟଲୀ ଓଡିଶାର ଜଣେ ବନ୍ଧୁ ଥିଲେ। ସେ ଓଡିଆ ବନ୍ଧୁ ମାନଙ୍କୁ କହୁଥିଲେ ଓଡିଆ ଜାତି ହେଉଛି ବୁଦ୍ଧିଜୀବୀଙ୍କ ସମାଜ। ଡାକ୍ତର, ଓକିଲ, ପ୍ରଫେସର, ବିଚାରକ ହେବା ଓଡିଆ ଜାତିର ଗୁଣ। ଓଡିଶା ଜଣେ ବନ୍ଧୁ ଓ ଅଭିଭାବକକୁ ହରାଇଲା ବୋଲି ସେ କହିଛନ୍ତି। ଅରୁଣ ଜେଟଲୀ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯେ ସର୍ବଦା କୁହନ୍ତି ଓଡିଆ ଜାତି ଏକ ବୁଦ୍ଧିଜୀବୀ ଲୋକଙ୍କର ଜାତି। ସେ ଓଡିଆ ଜାତିକୁ ଠିକ୍ ଭାବେ ଜାଣିଥିଲେ। ଅରୁଣ ଜେଟଲୀ ବର୍ତମାନ ସମୟରେ ବିଚାରଧାରା ବାହାରେ ସମାଜ ଜୀବନର ସବୁ ସ୍ତରର ଲୋକମାନଙ୍କ ଭିତରେ ସବୁଠୁ ବିଶ୍ୱସନୀୟ, ଆସ୍ଥାଭାଜନ ଓ ସ୍ନେହୀ ଲୋକ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ତାଙ୍କ ଅନୁରୋଧ କ୍ରମେ ଅରୁଣ ଜେଟଲୀ ଭାରତ ସରକାରଙ୍କ ତରଫରୁ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିଲେ। ନବକଳେବର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ସେ ତତ୍କ୍ଷଣାତ୍ ଅନୁମତି ଦେଇଥିଲେ। ଓଡିଆ ଲୋକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅପାର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତିକୁ ଭାରତ ସରକାରଙ୍କ ସ୍ୱୀକୃତି ସହ ବଜେଟ୍ ପ୍ରସ୍ତାବର ଶବ୍ଦ ସଂଯୋଜନା ଅରୁଣ ଜେଟଲୀ କରିଥିଲେ ବୋଲି ସେ କହିଛନ୍ତି।

ଦିଲ୍ଲୀର ଦରିଆଗଞ୍ଜରେ ବହି ବିକ୍ରି କରୁଥିବା ଲୋକ ହେଉ କିମ୍ବା ଦେଶ ବିଦେଶର ବୈଷେୟିକ ନେତୃତ୍ୱ ହେଉ, ଦେଶରେ ବିଭିନ୍ନ ବିଚାରଧାରାର ପ୍ରମୁଖ ବ୍ୟକ୍ତି ବା ସାମାନ୍ୟ କାର୍ଯ୍ୟକର୍ତା ହୁଅନ୍ତୁ ସମସ୍ତଙ୍କର ଜଣେ ବନ୍ଧୁ ଏବଂ ଭାଇ ଓ ଏକ ଆସ୍ଥାର କେନ୍ଦ୍ର ଭାବେ ଅରୁଣ ଜେଟଲୀ ସାମାଜିକ ଜୀବନକୁ ପୂରା କରି ବିଦାୟ ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।