Odiapua.com

ଅମୃତ ସହର ଭଦ୍ରକର ବାସ୍ତବ ଛବି, କାଗଜପତ୍ରରେ ଚାଲିଛି ପାନୀୟ ଜଳଯୋଗାଣ, ବାଲ୍‌ଟି ଭର୍ତ୍ତି ହେବାକୁ ଲାଗୁଛି ୧୫ ମିନିଟ୍

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅମୃତ ସହର ଭଦ୍ରକରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଦିଗହରା ହୋଇପଡିଛି । କାର୍ଯ୍ୟାଦୋ ପାଇଥିବା ଠିକାଦାର ବିଭିନ୍ନ ଆଳ ଦେଖାଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିନପାରି ସମୟ ଗଡାଉଛନ୍ତି । ସମ୍ଭବତଃ ସଂପୃକ୍ତ ଠିକାଦାରଙ୍କ ଉପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କର କୌଣସି କର୍ତ୍ତୃତ୍ୱ ରହୁନାହିଁ । ଉଭୟ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସହରବାସୀଙ୍କ ନିକଟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁଫଳ ପହଞ୍ôଚ ପାରୁନାହିଁ । ଅପରପକ୍ଷେ ଜନସ୍ୱାସ୍ଥ୍ୟ ବିଭାଗ କାଗଜପତ୍ରରେ ପୌରାଞ୍ଚଳର ୭୦ ପ୍ରତିଶତ ଅଂଚଳରେ ପାନୀୟ ଜଳ ଯୋଗାଣ ଚାଲିଛି ବୋଲି ଦର୍ଶାଉଛନ୍ତି । ଅଧିକାଂଶ ୱାର୍ଡର ଜନସ୍ୱାସ୍ଥ୍ୟ ବିଭାଗ ପମ୍ପ ହାଉସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ହୋଡିଂ ଶୋଭା ପାଉଛି । ଯେଉଁଥିରେ ଉଲ୍ଲେଖ ରହିଛି ‘ଆପଣମାନେ ବିଶୁଦ୍ଧ ପାନୀୟ ଜଳ ପାଉଥିବାରୁ ମୁଁ ଖୁସି’ । ଏହାର ଅର୍ଥ ଜନସ୍ୱାର୍ଥ ବିଭାଗର ସରକାରୀ ରିପୋର୍ଟରେ ସଂପୃକ୍ତ ୱାର୍ଡମାନଙ୍କରେ କାର୍ଯ୍ୟ ସରିଛି ଓ ଲୋକମାନେ ପାନୀୟ ଜଳ ଟେପ୍ ଯୋଗେ ପାଉଛନ୍ତି ବୋଲି ଦର୍ଶାଯାଇଛି । ଯାହାକି ବାସ୍ତବତା ଠାରୁ ବହୁ ଦୂରରେ । ଏଠାରେ ସୂଚନାଯୋଗ୍ୟ; ଭଦ୍ରକ ସହର ୨୦୧୬ ମସିହାରେ ଅମୃତ ଯୋଜନାରେ ସାମିଲ ହୋଇଥିଲା । ଏହି ଯୋଜନାରେ ପାନୀୟ ଜଳ ଯୋଗାଣ, ସହରବାସୀଙ୍କ ମନୋରଂଜନ ପାଇଁ ପାର୍କ, ସହର ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥା, ପରିମଳ ବ୍ୟବସ୍ଥାର ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା ।

ଏହି କ୍ରମରେ ପୌରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୮୩ କୋଟି ଟଙ୍କା ମଂଜୁର ହୋଇଥିଲା । ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୫ ଠିକା ସଂସ୍ଥାଙ୍କୁ ୬ଟି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ମେଗା ପ୍ରକଳ୍ପରେ ମୋଟ ୨୧୩ କିମି ଲମ୍ବର ପାଇପ୍ ବିଛାଯାଇ ସମସ୍ତଙ୍କ ନିକଟରେ ପାନୀୟ ଜଳ ପହଞ୍ଚାଇବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଇତିମଧ୍ୟରେ ୪ ବର୍ଷ ବିତିଯାଇଛି । ବିଭାଗୀୟ ସୂଚନା ଅନୁଯାୟୀ ଇତିମଧ୍ୟରେ ୧୮୮ କିମି ଲମ୍ବର ପାଇପ୍ ବିଛା କାର୍ଯ୍ୟ ସରିଛି । ଭୂ-ପୃଷ୍ଠରୁ ଜଳ ଉତ୍ତୋଳନ ପାଇଁ ଜଳ ଉତ୍ସ କାର୍ଯ୍ୟ ମଧ୍ୟ ସରିଛି । କିନ୍ତୁ କେତେକ ସ୍ଥାନରେ ପାଇପ୍ ବିଛାଇବା ସମୟରେ କିଛି ସ୍ଥାନୀୟ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜମିଥିବା କହି କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫଳରେ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ବିଳମ୍ବ ଘଟୁଛି । ପୂର୍ବରୁ ପୌରାଞ୍ଚଳରେ ୧୭ଟି ଜଳ ଉତ୍ସ ଜରିଆରେ ୩୨ ହଜାରରୁ ଉର୍ଦ୍ଧ୍ୱ ପୌରବାସୀଙ୍କ ନିକଟରେ ପହଞ୍ôଚ ପାରିଥିଲା ଏହି ବିଭାଗ । ମାତ୍ର ୧୫ ଶହ ପରିବାର ଜନ ସ୍ୱାସ୍ଥ୍ୟ ବିଭାଗରୁ ପାଇପ୍ ଯୋଗେ ଜଳ ସଂଯୋଗ ନେଇଥିଲେ । କିନ୍ତୁ ଏହି ମେଗା ପ୍ରକଳ୍ପ ଆରମ୍ଭ ହେବା ପରେ ବିଭାଗର ଦାୟିତ୍ୱ ବଢିଛି । ଏହି ଯୋଜନାରେ ପୌରାଞ୍ଚଳର ସମସ୍ତ ୩୦ଟି ୱାର୍ଡର ୨୫ ହଜାର ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥିର ହୋଇଛି । ପୂର୍ବରୁ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ଦେଢହଜାର ଉପଭୋକ୍ତା ରହିଥିବାବେଳେ ଇତିମଧ୍ୟରେ ୪ ହଜାର ଅଧିକ ପରିବାରକୁ ପାନୀୟ ଜଳ ସଂଯୋଗ ଦିଆସରିଛି । ବହୁ ସ୍ଥାନରେ ନିୟମିତ ପାଣି ଆସୁନାହିଁ । ଆଉ କେତେକ ସ୍ଥାନରେ ବାଲ୍‌ଟି ଭର୍ତ୍ତି ହେବାକୁ ୧୫ ମିନିଟ୍ ଲାଗୁଛି । ଏହା ହହିଁ ହେଉଛି ଭଦ୍ରକ ଅମୃତ ସହରର ବାସ୍ତବ ଛବି ।