Odiapua.com

ଅମଲାମାନଙ୍କ ପ୍ରାକ୍ ଆନ୍ଦୋଳନ ନେଇ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ଅମଲା ମଂଚ ଭଦ୍ରକ ଜିଲା ଶାଖାର ଏକ ପ୍ରାକ୍ ଆନ୍ଦୋଳନର ସାଧାରଣ ସଭା ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ଅମଲା ମଂଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା ଓ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ନିବନ୍ଧନ ଅମଲା ସଂଘର ରାଜ୍ୟ ସଭାପତି ବିଭୁଦତ୍ତ ବାରିକ ଯୋଗ ଦେଇଥିଲେ । ଏହାବ୍ୟତୀତ ଓଡ଼ିଶା ଅମଲା ସଂଘ ଭଦ୍ରକ ଜିଲା ଶାଖା ସଭାପତି ଲଲାଟେନ୍ଦୁ ବେହେରା, ରାଜସ୍ୱ ଅମଲା ସଂଘ ଭଦ୍ରକ ସଭାପତି ରବିନ୍ଦ୍ରନାଥ ଦତ୍ତ, ନବିନ୍ଧନ ଅମଲା ସଂଘ ଭଦ୍ରକ ଅଜିତ କୁମାର ଦାସ, କୋଷାଗାର ଅମଲା ସଂଘ ଭଦ୍ରକ ସଭାପତି ଶ୍ରୀରାମ ମହାନ୍ତି, ଓଡ଼ିଶା ଅମଲା ସଂଘ ଭଦ୍ରକ ସଂପାଦକ ସରୋଜ କୁମାର ମଲ୍ଲିକ, ରାଜସ୍ୱ ଅମଲା ସଂଘ ଭଦ୍ରକ ସଂପାଦକ ତପନ କୁମାର ସ୍ୱାଇଁ, ନିବନ୍ଧନ ଅମଲା ସଂଘ ସଂପାଦକ ଭଦ୍ରକ ଲଲାଟ କେଶରୀ ସାମଲ, ଓଡ଼ିଶା ଅର୍ଦ୍ଧ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ରାଜ୍ୟ ସଂଘର ସଭାପତି ଅନନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ସରକାରଙ୍କ ଜିଲା ଅମଲାଙ୍କ ପ୍ରତି ଉଦାସୀନତାକୁ ନେଇ ଆଲୋଚନା କରାଯାଇଥିଲା ।

ଏଥିରେ ଜିଲାର ବିଭିନ୍ନ ବିଭାଗରୁ ଆସିଥିବା ଅମଲାମାନେ ତାଙ୍କର ଅସନ୍ତୋଷ ଅନୁଷ୍ଠିତ ସଭାରେ ପ୍ରକାଶ କରିଥିଲେ । ଓଡ଼ିଶା ସରକାର ଜିଲାସ୍ତରୀୟ ଅମଲାଙ୍କ ଜୀବନ ଶୈଳୀକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ଅମଲାଙ୍କ ଏକମାତ୍ର ଦାବି ଯାହା ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଲେବୁଲ-୯ (୯୩୦୦+୪୨୦୦) ପ୍ରଦାନ କରିବାରେ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି । ସରକାର ଗତ ୨୧ ଅପ୍ରେଲ ଠାରୁ କୌଣସି ଅମଲାଙ୍କ ବେତନ ବୃଦ୍ଧିର ନୋଟିଫିକେଶନ କାଢିନାହାଁନ୍ତି । ଯାହାକି ଜିଲା ଅମଲାଙ୍କ ପ୍ରତି ଅବିଚାର ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ସରକାରଙ୍କ ଏହି ପ୍ରକାର ମନୋଭାବ ରାଜ୍ୟର ସମସ୍ତ ଅମଲାଙ୍କ ମାନସିକ ଅବସ୍ଥାକୁ ଆଘାତ ଦେଇଛି । ଶେଷରେ ଜିଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଜିଲାର ସବୁ ବିଭାଗର ଅଧିକାରୀଙ୍କୁ ଅମଲାମାନଙ୍କ ଦାବି ଯଥାର୍ଥ ଦର୍ଶାଇ ସରକାରଙ୍କୁ ଅବଗତି କରାଇବା ପାଇଁ ନିବେଦନ କରାଯାଇଛି । ଅମଲାମାନଙ୍କ ବେତନ ବୃଦ୍ଧିରେ ଓଡ଼ିଶା ଅର୍ଥନୀତିରେ ଅଭିବୃଦ୍ଧି ଘଟିବା ସହ ଜିଲାସ୍ତରରେ ଏକ ଗୁଣାତ୍ମକ ମାନ ବୃଦ୍ଧି ହେବା ସଂଗେ ସଂଗେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ମିଳିବ ବୋଲି ଅମଲାମାନେ ପ୍ରତିଶ୍ରୁତି ଦେଇଥିଲେ ।