Odiapua.com

ଅମର ଶହୀଦ୍ ଜୟୀ ରାଜଗୁରୁ : ଭାରତ ସ୍ୱାଧୀନତା ସଂଗ୍ରାମର ବିସ୍ମୃତ ବୀର ପୁଙ୍ଗବ

ମହାନ୍ ଶହୀଦ୍ ସଂଗ୍ରାମୀ ଜୟକୃଷ୍ଣ ରାଜଗୁରୁ (Jayee Rajguru) ମହାପାତ୍ରଙ୍କର ବୀରତ୍ୱ, ନିଷ୍ଠା, ବଳିଦାନ ଏବଂ ଦେଶପ୍ରେମ ଅବିସ୍ମରଣୀୟ। ୧୮୦୪ ମସିହାରେ ଏହା ଥିଲା ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ଏକ ସଂଗଠିତ ସଂଗ୍ରାମ। ପାଇକ ସଂଗ୍ରାମର ଦୁଇଶତ ବାର୍ଷିକୀ ପାଳନ ଅବସରରେ ମହାନ୍ ଶହୀଦ୍ ଜୟୀ ରାଜଗୁରୁଙ୍କ ଦ୍ୱାରା ପରିଚାଳିତ ଇଂରେଜ ଶାସନ ବିରୋଧରେ ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ପରିଗଣିତ କଲାବେଳେ ମନରେ ସ୍ୱତଃ ଖୋରଧାର ବୀର ପାଇକ ଏବଂ ଶହୀଦ୍ ବିପ୍ଳବୀ ଜୟୀ ରାଜଗୁରୁଙ୍କ ମହାନ୍ ସ୍ମୃତି ଉଦ୍‌ଜୀବିତ ହୁଏ। ଜୟୀ ରାଜଗୁରୁ ଭାରତମାତାର ଯଜ୍ଞବେଦୀରେ ଆତ୍ମୋତ୍ସର୍ଗର ଯେଉଁ ଜ୍ୱଳନ୍ତ ଉଦାହରଣ ସୃଷ୍ଠି କରିଯାଇଛନ୍ତି, ତାହା ଦେଶର ଅଗଣିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଏକ ମହାନ୍ ଆଦର୍ଶ ରୂପେ ପରିଗଣିତ ହୋଇପାରିଛି। ଅଧିକନ୍ତୁ, ଜୟୀ ରାଜଗୁରୁଙ୍କ ୧୮୦୪ ମସିହା ସଂଗ୍ରାମଟି ଇଂରେଜ ମାନଙ୍କର କୁତ୍ସିତ କୁଟ୍ଟଚକ୍ରାନ୍ତ ଏବଂ ପ୍ରତାରଣା ପୂର୍ଣ୍ଣ ଶାସନ ବିରୋଧରେ, ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ତଥା ଜାତୀୟ ସମ୍ମାନ ସପକ୍ଷରେ ଏକ ସଂଗଠିତ ସଂଗ୍ରାମ ଥିଲା।

ଓଡିଶାର ଇତିହାସକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ପ୍ରଥମ ରାମଚନ୍ଦ୍ରଙ୍କ ଦ୍ୱାରା ୧୫୬୮ ମସିହାରେ ଭୋଇ ରାଜବଂଶର ପ୍ରତିଷ୍ଠା ହୋଇଥିଲା, ଯିଏ କି ୧୫୭୦ ମସିହାରେ ଖୋର୍ଦ୍ଧାଗଡକୁ ରାଜଧାନୀ ରୂପେ ନିର୍ମାଣ କରିଥିଲେ। ଏହି ରାଜବଂଶରେ କ୍ରମାନ୍ୱୟରେ ୧୨ ଜଣ ରାଜା ଦୀର୍ଘ ୨୨୬ ବର୍ଷ ଧରି (୧୫୬୮-୧୮୦୪) ଶାସନ କରିଥିଲେ। ପାରଳାଖେମୁଣ୍ଡିର ମହାରାଜା ଜଗନ୍ନାଥ ନାରାୟଣ ଦେବ ଯିଏ କି ନିଜକୁ ଗଜପତି ବୋଲି ଅଭିହିତ କରି ଗଙ୍ଗ ରାଜବଂଶର ଦାୟାଦ ରୂପେ ଦାବି କରି ଆସୁଥିଲେ, ଯେତେବେଳେ ଖୋର୍ଦ୍ଧାଗଡକୁ ଆକ୍ରମଣ କରିଥିଲେ ସେତେବେଳେ ତତ୍କାଳୀନ ଖୋର୍ଦ୍ଧା ରାଜା ବୀର କିଶୋର ଦେବ ମରହଟ୍ଟା ମାନଙ୍କର ସାହାଯ୍ୟ ନେଇ ତାଙ୍କୁ ପ୍ରତିରୋଧ କରିଥିଲେ। ଏହାର ପ୍ରତି ବଦଳରେ ମରହଟ୍ଟାମାନେ ଏକ ଲକ୍ଷ ମୁଦ୍ରା ଦାବି କରିଥିଲେ। ଯୁଦ୍ଧ ପରେ ପାରଳାଖେମୁଣ୍ଡିର ରାଜା ପରାସ୍ତ ହୋଇଥିଲେ, କିନ୍ତୁ ଅର୍ଥନୈତିକ ସଙ୍କଟ କାରଣରୁ ରାଜା ବୀର କିଶୋର ଦେବ ମରହଟ୍ଟା ମାନଙ୍କର ସର୍ତକୁ ରକ୍ଷା କରିପାରି ନଥିଲେ। ଫଳରେ ସେ ତାଙ୍କର ଶାସିତ ଚାରୋଟି ପ୍ରଗଣା ଯଥା ପୁରୀ ନିକଟସ୍ଥ ରାହାଙ୍ଗ, ବ୍ରହ୍ମଗିରି ନିକଟସ୍ଥ ଚବିଶକୁଦ, ସତ୍ୟବାଦୀ ନିକଟସ୍ଥ ସିରାଇ ଏବଂ ଡେଲାଙ୍ଗ ନିକଟସ୍ଥ ଲେମ୍ବାଇ ସବୁକୁ ମରହଟ୍ଟା ମାନଙ୍କୁ ଦେଇଦେଇଥିଲେ। ଏହି ଚାରୋଟି ପ୍ରଗଣା ରାଜାଙ୍କର ରାଜସ୍ୱ ଆଦାୟର ମୂଳାଧାର ଥିଲା, ଯାହାକି ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣା ତଥା ସମସ୍ତ କ୍ରିୟା ପଦ୍ଧତି ପାଇଁ ଖର୍ଚ୍ଚ କରାଯାଉଥିଲା। ଦ୍ୱିତୀୟ ଦିବ୍ୟସିଂହ ଦେବଙ୍କ ସମୟରେ ଜୟୀ ରାଜଗୁରୁ ନିଜର ୪୧ ବର୍ଷ ବୟସରେ (୧୭୩୯ ମସିହା ଅକ୍ଟୋବର ୨୯ ତାରିଖ ପବିତ୍ର ଅଁଳା ନବମୀ ରେ ଜନ୍ମିତ) ୧୭୮୦ ମସିହାରେ ରାଜାଙ୍କର ରାଜଗୁରୁ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱ ଅର୍ଥନୈତିକ ସଂକଟ ଦେଇ ଗତି କରୁଥିଲା। ୧୭୯୦ ମସିହାରେ ରାଜାଙ୍କର ମୃତ୍ୟୁ ପରେ ବାହ୍ୟ ଶକ୍ତିଙ୍କ ବଳରେ ତାଙ୍କର ଭାଇ ଶ୍ୟାମ ସୁନ୍ଦର ଦେବ ସିଂହାସନ ଛଡାଇ ନେବା ପାଇଁ ଦାବି କରିଥିଲେ। ମାତ୍ର ନ୍ୟାୟବନ୍ତ ଜୟୀ ରାଜଗୁରୁଙ୍କ ଭଳି ରାଜାଙ୍କର ଜଣେ ମହାନ୍ ସମର୍ଥକ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ୧୭୯୮ ମସିହାରେ ସିଂହାସନରେ ଅଭିସିକ୍ତ କରାଇବାରେ ସମର୍ଥ ହୋଇଥିଲେ। ଜୟୀ ରାଜଗୁରୁ ନିଜେ ରାଜ୍ୟର ରଜଗୁରୁ ତଥା ପ୍ରଶାସକ ଭାବରେ ଦୈତ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ପ୍ରତି ସ୍ୱୟଂ ରାଜା ଏବଂ ମନ୍ତ୍ରୀ ପରିଷଦର ଅକୁଣ୍ଠ ସମର୍ଥନ ରହିଥିଲା, କାରଣ କେବଳ ଜଣେ ରାଜଗୁରୁ ଏବଂ ଶାସ୍ତ୍ରକାର ଭାବରେ ତାଙ୍କର ବିଭିନ୍ନ ଶାସ୍ତ୍ର ଉପରେ ଅଗାଧ ପାଣ୍ଡିତ୍ୟ ନ ଥିଲା, ଜଣେ ଦକ୍ଷ ସୈନିକ ଭାବରେ ଗୁଳିଗୋଳା କମାଣକୁ ପରିଚାଳନା କରିବାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ।

ସେତେବେଳର ଖୋର୍ଦ୍ଧା ରାଜ୍ୟର ପରିସୀମା ୧୫୦୦୦ ବର୍ଗ ମାଇଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, ଯହିଁରେ ୭୧ଟି ଦୁର୍ଗ ଏବଂ ସୁଦକ୍ଷ ସୈନ୍ୟବାହିନୀ ମଧ୍ୟରେ ଦଳବେହେରା, ଦଳେଇ, ନାୟକ ଏବଂ ପାଇକଙ୍କ ଭଳି ସୈନ୍ୟ ସାମନ୍ତ ରୂପେ ପରିଗଣିତ ହେଉଥିଲେ। ସାମରିକ ବ୍ୟବସ୍ଥାରେ ଦଳବେହେରାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ଏବଂ ଦଳାଇ, ନାୟକ ପ୍ରଭୃତି ଯଥାକ୍ରମେ ସ୍ୱତନ୍ତ୍ର ସେନାନୀ ତଥା ଗ୍ରାମ ଗୁଡିକରେ ପ୍ରମୁଖ ଭାବରେ ରହୁଥିଲେ। କିନ୍ତୁ ସେନା ବାହିନୀର ପ୍ରମୁଖ ଶକ୍ତି ଥିଲେ ‘ପାଇକ’, ଯେଉଁମାନଙ୍କର ଯୁଦ୍ଧ ସମ୍ବଳିତ କଳା ନୈପୁଣ୍ୟ ହିଁ ତାଙ୍କୁ ସେନାବାହିନୀର ପ୍ରମୁଖତା ପ୍ରଦାନ କରିଥିଲା। ପାଇକର ଆକ୍ଷରିକ ଅର୍ଥ ହେଉଛି ‘ପଦାତିକ’ ଏବଂ ତାଙ୍କ କାର୍ଯ୍ୟ ପଦ୍ଧତି ଇଚ୍ଛାଧିନ ଥିଲେ ମଧ୍ୟ ଆଜ୍ଞାଶୀଳ ଥିଲା। ପାଇକମାନେ ରାଜ୍ୟର ରାଜକୀୟ ସୈନ୍ୟ ନ ଥିଲେ ବି ସେମାନଙ୍କୁ କିଛି ପାରିଶ୍ରମିକ ଦିଆଯାଉନଥିଲା, କିନ୍ତୁ ରାଜା ସେମାନଙ୍କୁ ଚାଷ କାର୍ଯ୍ୟ କରିବା ପାଇଁ କିଛି ଭୂମି ପ୍ରଦାନ କରିଥିଲେ। ବାହ୍ୟ ଶତୃଙ୍କ ଆକ୍ରମଣ ଆଶଙ୍କା କିମ୍ବା ଯୁଦ୍ଧର ଆଶଙ୍କା ବେଳେ ସେମାନଙ୍କୁ ସୈନ୍ୟବାହିନୀରେ ସାମିଲ କରାଯାଉଥିଲା। ଦଳବେହେରା ଏବଂ ଦଳାଇମାନଙ୍କ ଅଧିନରେ ଥିବା ପାଇକ ମାନଙ୍କ ବ୍ୟତୀତ ରାଜାଙ୍କର ପ୍ରାୟ ୧୫୦୦୦ ସ୍ୱତନ୍ତ୍ର ସୈନ୍ୟସାମନ୍ତ ଥିଲେ ଯେଉଁମାନଙ୍କୁ ଜୟୀ ରାଜଗୁରୁ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରୁଥିଲେ। ପଦାତିକ ବାହିନୀ ବ୍ୟତୀତ ରାଜାଙ୍କର ୪୦୦୦ ଅଶ୍ୱ ଏବଂ ୨୦୦୦ ହସ୍ତୀ ମଧ୍ୟ ସୈନ୍ୟବାହିନୀରେ ନିୟୋଯିତ ହୋଇଥିଲେ।

ଦେଶରେ କେନ୍ଦ୍ରୀୟ ଶାସକଙ୍କର ଦୁର୍ବଳତା ତଥା କ୍ଷୁଦ୍ର କ୍ଷୁଦ୍ର ରାଜବଂଶ ମାନଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦର ସୁଯୋଗ ନେଇ ବ୍ରିଟିସ୍ ଇଷ୍ଟ୍ ଇଣ୍ଡିଆ କଂପାନୀ ତାର ବାଣିଜ୍ୟିକ କାରବାର ସହିତ ନିଜର ରାଜନୈତିକ ଅଭିସନ୍ଧି ଫଳବତୀ କରିବା ପାଇଁ ଯୋଜନା କରିଥିଲା। ଫଳରେ ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ଅଧିଗ୍ରହଣ କରିବା ସହିତ କଲିକତା, ବମ୍ବେ ଏବଂ ମାନ୍ଦ୍ରାଜରେ ତାଙ୍କର କେନ୍ଦ୍ର ସ୍ଥାପନା କଲେ। ଉତରରେ ବଙ୍ଗଳା ଠାରୁ ଦକ୍ଷିଣରେ ମାନ୍ଦ୍ରାଜ ପର୍ଯ୍ୟନ୍ତ ପ୍ରତିରୋଧ ବିହୀନ ଜୟଯାତ୍ରା ପାଇଁ ସେମାନେ ଖୋର୍ଦ୍ଧା ଅଂଚଳକୁ ଅଧିକାର କରିବାର ଆବଶ୍ୟକତା ଅନୁଭବ କଲେ। ଚତୁର ଇଂରେଜମାନେ ଖୋର୍ଦ୍ଧାର ଗଜପତି ଦ୍ୱିତୀୟ ମୁକୁନ୍ଦଦେବଙ୍କ ସହିତ ମୁକ୍ତ ଯୋଗାଯୋଗ ପଥ ତଥା ମରହଟ୍ଟା ମାନଙ୍କୁ ପରାସ୍ତ କରିବା ପାଇଁ ସହଯୋଗ କରିବାର ବୁଝାମଣା କଲେ। ଯଦିଓ ଜୟୀ ରାଜଗୁରୁ ଏକ ଦୂରଦର୍ଶୀ ଚିନ୍ତକ ଭାବରେ ଇଂରେଜ ମାନଙ୍କର ଏହି ବୁଝାମଣାକୁ ପ୍ରତିରୋଧ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ରାଜାଙ୍କ ଚାପରେ ରାଜି ହୋଇଥିଲେ। ବୁଝାମଣା ପତ୍ର ଅନୁଯାୟୀ ରାଜାଙ୍କୁ ଇଂରେଜ ମାନେ ଏକ ଲକ୍ଷ ଟଙ୍କା ଦେବା ସହିତ ମରହଟ୍ଟା ମାନଙ୍କ କବଳରେ ଥିବା ରାଜା ବୀର କିଶୋର ଦେବଙ୍କ ସ୍ୱପ୍ନର ଚାରୋଟି ପ୍ରଗଣା ଫେରସ୍ତ କରିଦେବା ପାଇଁ ସର୍ତ ରଖିଥିଲେ। ବୁଝାମଣା ଅନୁଯାୟୀ କର୍ଣ୍ଣେଲ ହାରକୋର୍ଟଙ୍କ ନିର୍ଦ୍ଦେଶରେ ଇରେଜ ସେନା ବାହିନୀ ୧୮୦୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଖୋର୍ଦ୍ଧା ଅଂଚଳରେ ପ୍ରବେଶ କଲେ ଏବଂ ୧୭୫୧ରୁ ଓଡିଶାକୁ ଦଖଲ କରିଆସୁଥିବା ମରହଟ୍ଟା ମାନଙ୍କୁ କଟକ ବାରବାଟି ଦୁର୍ଗରୁ ଅକ୍ଟୋବର ୧୪ରେ ବେଦଖଲ କରି ନିଜେ ଅକ୍ତିଆର କରିନେଲେ।

କିନ୍ତୁ ବିଶ୍ୱାସଘାତକ ଇଂରେଜ ମାନେ ରାଜାଙ୍କ ସହିତ ହୋଇଥିବା ସର୍ତ ଓ ବୁଝାମଣାକୁ ଖିଲାପ କରି ରାଜାଙ୍କୁ ଟଙ୍କା ଏବଂ ଚାରୋଟି ପ୍ରଗଣା ଦେଲେ ନାହିଁ। ରାଜାଙ୍କ ଦ୍ୱାରା ବାରମ୍ବାର ମନେ ପକାଇ ଦିଆଯାଇଥିଲେ ମଧ୍ୟ ବ୍ରିଟିଶ ଅଧିକାରୀମାନେ ଏହି ବିଷୟରେ ଉଦାସୀନ ରହିଥିଲେ। ଅପର ପକ୍ଷରେ ୧୮୦୩ ମସିହା ନଭେମ୍ବର ୧୯ରେ ଇଂରେଜମାନଙ୍କୁ ରାଜା ସ୍ୱୀକୃତୀ ପ୍ରଦାନ କରି ସଲାମୀ ଆକାରରେ ନିର୍ଦ୍ଧିଷ୍ଟ ପରିମାଣର ମୁଦ୍ରା ଦେବାପାଇଁ ଇଂରେଜ ମାନେ ଘୋଷଣା କରିଥିଲେ। ଆଶ୍ଚର୍ଯ୍ୟ ବଶତଃ, ଏହି ଘୋଷଣା ନାମାରେ ଖୋର୍ଦ୍ଧା ରାଜ୍ୟର ସ୍ୱାଧିନତା ଉପରେ କୌଣସି ସର୍ତ ବା ରାଜ୍ୟର କ୍ଷତିପୂରଣ ପାଇଁ ଅର୍ଥ ବା ଚାରୋଟି ପ୍ରଗଣା ଫେରସ୍ତ ବାବଦରେ କୌଣସି ବ୍ୟବସ୍ଥା ନଥିଲା। ବରଂ ରାଜାଙ୍କୁ ନିଃସର୍ତ ଭାବରେ ଏହି ଘୋଷଣାନାମାରେ ସ୍ୱାକ୍ଷର କରିବାକୁ କୁହାଗଲା। ଫଳରେ ଏହା ପୂର୍ବ ବର୍ଣିତ ଚାରୋଟି ପ୍ରଗଣାକୁ ଫେରିପାଇବାର ସ୍ୱପ୍ନରେ ଏକ ଦୃଢ଼ ଆଘାତ ଏବଂ ହତାଶାବୋଧ ସୃଷ୍ଟି କରିଥିଲା। ଜୟୀରାଜଗୁରୁ ରାଜାଙ୍କୁ ଇଂରେଜମାନଙ୍କ ସହିତ କୌଣସି ଚୁକ୍ତି ନକରିବାର କାରଣ ଏଠାରେ ଷ୍ପଷ୍ଟ କରିଦେଇଥିଲେ। ସେତେବେଳେ ରାଜା ତାଙ୍କର ତୃଟିକୁ ଅନୁଭବ କରି ଜୟୀ ରାଜଗୁରୁଙ୍କ ପରାମର୍ଶ ଲୋଡିଥିଲେ। ଜୟୀ ରାଜଗୁରୁ ରାଜାଙ୍କୁ ଘୋଷଣାପତ୍ରରେ ଦସ୍ତଗତ ନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପରେ ଗୋଟିଏ ସମାଧାନର ଉଦ୍ଦେଶ୍ୟ ରଖି ଜୟୀ ରାଜଗୁରୁ କଟକରେ କର୍ଣ୍ଣେଲ ହାରକୋର୍ଟଙ୍କୁ ସାକ୍ଷାତ କରିବାକୁ ସ୍ଥିର କଲେ। ତଦନୁଯାୟୀ ଜୟୀ ରାଜଗୁରୁ ଦୁଇ ହଜାର ପାଇକଙ୍କୁ ନେଇ କର୍ଣ୍ଣେଲ୍‌ଙ୍କୁ କଟକରେ ଘେରାବନ୍ଦୀ କରି ତାଙ୍କୁ ବିସ୍ମିତ କରିଦେଇଥିଲେ। ଏହାଦ୍ୱାରା କର୍ଣ୍ଣେଲ୍ ହାରକୋର୍ଟ ମାତ୍ର ୪୦ ହଜାର ଟଙ୍କା ଦେଲେ, କିନ୍ତୁ ଚାରୋଟି ଯାକ ପ୍ରଗଣାକୁ ମରହଟ୍ଟା ମାନଙ୍କ ଠାରୁ ଇଂରେଜମାନେ ଜୟ କରି ନେଇଥିବାରୁ ସେଗୁଡିକୁ ନ ଫେରାଇବାକୁ ଯୁକ୍ତି ବାଢ଼ିଥିଲେ। ଜୟୀ ରାଜଗୁରୁ ଏହି ଟଙ୍କାକୁ ଏକ କୌଶଳ ରୂପେ ଗ୍ରହଣ କରି ଭବିଷ୍ୟତରେ ଚାରୋଟି ପ୍ରଗଣାକୁ ଇଂରେଜ ମାନଙ୍କ ଠାରୁ ଯୁଦ୍ଧ ମାଧ୍ୟମରେ ପୁନରୁଦ୍ଧାର କରିବା ପାଇଁ ନିଷ୍ପତି ନେଇଥିଲେ। ପରେ ପାଇକ ମାନଙ୍କୁ ସଂଗଠିତ କରିବା ଏବଂ ତାଲିମ ଦେବାପାଇଁ ସେହି ଟଙ୍କାକୁ ଖର୍ଚ୍ଚ କରିବାକୁ ମନସ୍ଥ କଲେ। କଟକରୁ ପ୍ରତ୍ୟାବର୍ତ୍ତନ ପରେ ଜୟୀ ରାଜଗୁରୁ ଇଂରେଜମାନଙ୍କ ସହିତ ଏକ ନିର୍ଣ୍ଣାୟକ ଯୁଦ୍ଧ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନରେ ଲାଗିପଡିଲେ।

ବ୍ରିଟିଶ୍ ଶକ୍ତିର ମୁକାବିଲା ପାଇଁ ଜୟୀ ରାଜଗୁରୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କଲେ। ପାଇକ ମାନଙ୍କ ଯୁଦ୍ଧ ନୈପୁଣ୍ୟ ତଥା ଶୃଙ୍ଖଳାକୁ ଆଧାର କରି ଜଗଦ୍ଦେବ, ତୁଙ୍ଗା, ଝାପଟସିଂହ, ଉତର କବାଟ, ଦକ୍ଷିଣ କବାଟ, ବାହୁବଳେନ୍ଦ୍ର, ଦିଆନବାଘ, ଶତୃଶଲ୍ୟ, ବାହିନୀପତି, ମହାରଥି, ଖଡଗରାୟ, ଭ୍ରମରବର, ମଲ୍ଲ, ଷଣ୍ଢ, ମଙ୍ଗରାଜ ପ୍ରଭୃତି ନୂତନ ଉପାଧି ସବୁ ପ୍ରଦାନ କରାଯାଇ ସୈନ୍ୟ ବାହିନୀକୁ ଆହୁରି ସୁଦୃଢ଼ କରାଗଲା। ନୂଆକରି ଗଢାଯାଇଥିବା ପାଇକ ବାହିନୀର ନବ ନିଯୁକ୍ତ ସୈନ୍ୟମାନଙ୍କୁ ରଣକୌଶଳ ଶିକ୍ଷା ଦେବା ପାଇଁ ମରହଟ୍ଟା ସର୍ଦ୍ଦାର ମାନଙ୍କୁ ନିଯୁକ୍ତି ଦିଆଗଲା। ଅତ୍ୟଧିକ ପରିମାଣର ଯୁଦ୍ଧାସ୍ତ୍ର ନିର୍ମିତ କରାଯାଇ ସେଗୁଡିକୁ ସୁରକ୍ଷିତ ସ୍ଥାନରେ ସଂରକ୍ଷିତ ରଖାଗଲା। ଗଡ ଗୁଡିକର ସୁରକ୍ଷା ପାଇଁ ଚତୁର୍ପାଶ୍ୱରେ ଅଧିକ ସଂଖ୍ୟକ ସୈନ୍ୟ ସହିତ ଯୁଦ୍ଧାସ୍ତ୍ର ନିୟୋଜନ କରାଗଲା। କୁଜଙ୍ଗ, କନିକା ଆଦି ଛୋଟ ଛୋଟ ରାଜ୍ୟର ଶାସକ ମାନଙ୍କୁ ଯୁଦ୍ଧ ସମୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ଯୋଗାଯୋଗ କରାଗଲା। ଯୁଦ୍ଧରେ ସହଯୋଗ କରି ଇଂରେଜ ମାନଙ୍କୁ ପରାସ୍ତ କରିବା ପାଇଁ ନାଗପୁରର ମରହଟ୍ଟା ଶାସକଙ୍କୁ ଅନୁରୋଧ କରାଗଲା। ଯୁଦ୍ଧ କରିବାର ସମସ୍ତ କୌଶଳ ତଥା ସୂଚୀ ପ୍ରସ୍ତୁତ କରାଇବା ପାଇଁ ମରହଟ୍ଟାର ଶାସକ ନାଗପୁରରୁ ଆନ୍ତୋଜୀ ନାୟକଙ୍କୁ ଓଡିଶା ପଠାଇଲେ। ସେହି ସ୍ୱଳ୍ପ ସମୟ ବ୍ୟବଧାନରେ ଜୟୀ ରାଜଗୁରୁ ବ୍ରିଟିଶ୍ ଶାସନ ବିରୋଧରେ ଏକ ଦକ୍ଷ ଜାତୀୟତାବାଦୀ ନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ।

୧୮୦୪ ମସିହା ଅକ୍ଟୋବର ମାସ ଶେଷ ଆଡକୁ ବ୍ରିଟିଶ୍ ସୈନ୍ୟ ଖୋର୍ଦ୍ଧା ଆକ୍ରମଣ ପାଇଁ ଯୋଜନା କଲେ। ନଭେମ୍ବର ମାସ ୨୨ ତାରିଖରେ ପାଇକମାନେ ପିପିଲି ଏବଂ ଡେଲାଙ୍ଗ ଠାରେ ବ୍ରିଟିସ ସୈନ୍ୟଙ୍କୁ ପ୍ରବଳ ବିରୋଧ କରିଥିଲେ। ଏହି ପ୍ରତିରୋଧ ଏତେ ଭୟଙ୍କର ଥିଲା ଯେ, ବ୍ରିଟିଶ ସୈନ୍ୟମାନେ ସଂପୂର୍ଣ୍ଣ ଭୟଭିତ ହୋଇଯାଇଥିଲେ। ସେମାନେ ତାଙ୍କର ବେଙ୍ଗଲ୍‌ର ଦ୍ୱିତୀୟ ଏବଂ ସପ୍ତମ ବିଭାଗ ସହିତ ମାନ୍ଦ୍ରାଜର ସପ୍ତଦଶତମ ବାଟାଲିଅନ୍‌ର ୧୦, ୦୦୦ ସୈନ୍ୟଙ୍କୁ ଏହି ଯୁଦ୍ଧରେ ନିୟୋଜନ କରିଥିଲେ, ଯାହାର ନେତୃତ୍ୱ ନେଇଥିଲେ ମେଜର୍ ଫ୍ଲେଚର୍‌, କର୍ଣ୍ଣେଲ୍ ହାର୍‌କୋର୍ଟ, କାପ୍ଟେନ ହିକ୍‌ଲାଣ୍ଡ୍ ଏବଂ ଷ୍ଟୋନର୍। ପାଇକମାନେ ଗଙ୍ଗପଡା, ତରତୁଆ ଏବଂ ଟାଙ୍ଗିଆପଡା ଠାରେ ଅତ୍ୟନ୍ତ ଦୃଢତାର ସହିତ ଇଂରେଜ ସୈନ୍ୟମାନଙ୍କୁ ପ୍ରତିରୋଧ କରିଥିଲେ। ଏହି ଯୁଦ୍ଧ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ଭୟଙ୍କର ଥିବାରୁ ବ୍ରିଟିଶ ଅଧିକାରୀମାନେ ତିନି ସପ୍ତାହ ଧରି ଅଣନିଶ୍ୱାସୀ ହୋଇପଡିଥିଲେ। ଏହି ସମୟରେ ଜୟୀ ରାଜଗୁରୁ ମରହଟ୍ଟା ମାନଙ୍କର ସାମରିକ ସାହାଯ୍ୟ ନେବାପାଇଁ ବ୍ୟବସ୍ଥା କରିଥିଲେ, ମାତ୍ର ଦୁର୍ଭାଗ୍ୟବଶତଃ ଜୟୀ ରାଜଗୁରୁଙ୍କ ପତ୍ର ବାହକକୁ ଇଂରେଜମାନେ ସମ୍ବଲପୁରରୁ ଧରିନେଇ ଥିବାରୁ ଏହା ଫଳପ୍ରଦ ହୋଇ ନଥିଲା। ଇତି ମଧ୍ୟରେ ରାଜାଙ୍କର ନିରାପତା ଦୃଷ୍ଟିରୁ ଜୟୀ ରାଜଗୁରୁ ତାଙ୍କୁ ପୁରୀର ଗଙ୍ଗାମାତା ମଠକୁ କିଛି ଚୋରା ସତର୍କ ସୂଚନା ସହିତ ପଠାଇ ଦେଇଥିଲେ। ଜୟୀ ରାଜଗୁରୁଙ୍କ ବଳିଷ୍ଠ ଯୁଦ୍ଧ ପରିଚାଳନା ସତ୍ୱେ ଇଂରେଜ ସୈନ୍ୟ ବାହିନୀର ଅତ୍ୟାଧୁନିକ ଗୁଳିଗୋଳା ଏବଂ ଯୁଦ୍ଧାସ୍ତ୍ର ଯୋଗୁ ଶେଷରେ ଖୋର୍ଦ୍ଧା ଦୁର୍ଗର ଅବସାନ ଘଟିଥିଲା। ପରେ ଜୟୀ ରାଜଗୁରୁ ଜଙ୍ଗଲରେ ଲୁଚି ରହି ମଧ୍ୟ ପାଇକ ମାନଙ୍କୁ ସଂଗଠିତ କରି ଇଂରେଜ ମାନଙ୍କ ବିରୋଧରେ ତାଙ୍କର ସଂଗ୍ରାମ ଜାରୀ ରଖିଥିଲେ। ରଣପୁର ଜଙ୍ଗଲ ନିକଟରେ ପାଇକ ମାନଙ୍କୁ ଏକାଠି କରି ବ୍ରିଟିଶ ଶାସନ ବିରୋଧରେ ଅନ୍ୟ ଏକ ଷଡଯନ୍ତ୍ର କରୁଥିବା ବେଳେ ବିଶ୍ୱାସ ଘାତକତାର ଶୀକାର ହୋଇ ଜୟୀ ରାଜଗୁରୁ ୧୮୦୩ ମସିହା ଜାନୁୟାରୀ ୩ ତାରିଖରେ ଇଂରେଜ ମାନଙ୍କ ଦ୍ୱାରା ଧରାପଡି କଟକ ଜେଲରେ ରହିଥିଲେ। ଏହା ସତ୍ୟ ଯେ, କନିକାର ରାଜା ବଳଭଦ୍ର ଭଞ୍ଜ ଏବଂ କୁଜଙ୍ଗର ରାଜା ଚକ୍ରଧ୍ୱଜ ଷେଣ୍ଢ ଇଂରେଜ ସୈନ୍ୟଙ୍କୁ ବିରୋଧ କରିଥିଲେ ମଧ୍ୟ ତାଙ୍କ ସାମ୍ନାରେ ପରାଜୟ ସ୍ୱୀକାର କରିଥିଲେ। ଏହାପରେ ଐତିହାସିକ ଜଗନ୍ନାଥ ମନ୍ଦିରରେ ସମସ୍ତ ପୂଜାବିଧି ତଥା ଯାନିଯାତ୍ରାରେ ରାଜାଙ୍କର ନାମକୁ ହଟାଇ ଦିଆଯାଇଥିଲା, ଯାହାଥିଲା ଖୋର୍ଦ୍ଧା ଇତିହାସରେ ଏକ ଅନ୍ଧକାରର ଯୁଗ। ଖୋର୍ଦ୍ଧାଗଡକୁ ଜୟ କରିବା ପରେ ବ୍ରିଟିଶ୍‌ମାନେ ବେଙ୍ଗଲ୍ ଓ ମାନ୍ଦ୍ରାଜ୍ ମଧ୍ୟରେ ରହିଥିବା ଓଡିଶାର ସମସ୍ତ ଅଂଚଳକୁ ଦଖଲ କରି ନେଇଥିଲେ।

ପରବର୍ତ୍ତୀ ସମୟରେ ଜୟୀ ରାଜଗୁରୁଙ୍କର ବିଚାର ହୋଇଥିଲା ୧୮୦୬ ମସିହା ଡିସେମ୍ବର ୫ ତାରିଖରେ। ଚତୁର ଇଂରେଜ ଅଧିକାରୀ କର୍ଣ୍ଣେଲ ହାରକୋର୍ଟ ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜୟୀ ରାଜଗୁରୁଙ୍କ ବିରୋଧରେ ଏକ ପୂର୍ବ ପ୍ରସ୍ତୁତ ଚିଠି ମାଧ୍ୟମରେ କୋର୍ଟରେ ଦର୍ଶାଇ ଜୟୀ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କଲେ। ଏହା ଆଶ୍ଚର୍ଯ୍ୟ ଥିଲା କି, ଜୟୀ ରାଜଗୁରୁ ଘଟି ଯାଇଥିବା ସମସ୍ତ କାର୍ଯ୍ୟ ପାଇଁ କୋର୍ଟ ସାମ୍ନାରେ ନିଜକୁ ଦୋଷୀ ଭାବରେ ଦର୍ଶାଇଥିଲେ। ରାଜ୍ୟର ପ୍ରଜା ମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ସ୍ୱାଧିନତା ପାଇଁ ରାଜାଙ୍କର ରକ୍ଷାକର୍ତା ଭାବରେ ଇଂରେଜ ମାନଙ୍କ ବିରୋଧରେ ଲଢିଥିଲେ ବୋଲି ସେ ସାହସର ସହିତ କୋର୍ଟରେ କହିଥିଲେ। ମାଟି ମାଆର ସୁରକ୍ଷା ପାଇଁ ଏହା ଥିଲା ତାଙ୍କର ପ୍ରଥମ କର୍ତବ୍ୟ। ସେ ପୁଣି କହିଥିଲେ ଖୋର୍ଦ୍ଧା କେବେହେଲେ ମୋଗଲ୍‌, ମରହଟ୍ଟା, ଇଂରେଜ ବା ଅନ୍ୟ କେହି ଶାସକଙ୍କ ହାତକୁ ଯାଇ ନଥିଲା। ତେଣୁ ଖୋର୍ଦ୍ଧାର ସୁରକ୍ଷା ଏବଂ ସ୍ୱାଧିନତା ପାଇଁ ଲଢିବା ଥିଲା ତାଙ୍କର ପ୍ରଧାନ କାର୍ଯ୍ୟ। ଏହା କେବେହେଲେ ତାଙ୍କ ପାଇଁ ଭୁଲ ନଥିଲା ଏବଂ ସେ ଯେଉଁ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ, ସେଥିପାଇଁ ଗର୍ବିତ ଥିଲେ ବୋଲି ସେ ଦୃଢତାର ସହିତ କହିଥିଲେ। ରାଜାଙ୍କ ଦ୍ୱାରା ତାଙ୍କ ପ୍ରତି ହୋଇଥିବା ବିଶ୍ୱାସ ଘାତକତାକୁ କେବେହେଲେ ସେ ଗୁରୁତ୍ୱ ଦେଇ ନଥିଲେ ଏବଂ ଏହି ପ୍ରକାର ଦୋଷୀ ହୋଇଥିବା ଯୋଗୁ ସେ ଯେକୌଣସି ପ୍ରକାର ଦଣ୍ଡକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ, ଯାହା ଥିଲା ଜୟୀ ରାଜଗୁରୁଙ୍କର ମହାନତାର ବିଶେଷ ପରିଚୟ। ଐତିହାସିକ ପ୍ରଫେସର ନାରାୟଣ ରାଓ ଜୟୀ ରାଜଗୁରୁଙ୍କୁ ତାଙ୍କର ସାହସିକତା ପାଇଁ ପୁରୁ ରାଜାଙ୍କ ସହିତ ତୁଳନା କରି କହିଛନ୍ତି ଯେ, ସାହସୀ ପୁରୁ ରାଜା ଆଲେକ୍‌ଜାଣ୍ଡାର୍‌ଙ୍କୁ ଯେଉଁଭଳି ସାହସିକତାର ସହ ଉତର ଦେଇଥିଲେ, ସେଥିରେ ଆଲେକ୍‌ଜାଣ୍ଡାର୍ ସନ୍ତୁଷ୍ଟ ହୋଇ ପୁରୁ ରାଜାଙ୍କୁ ତାଙ୍କର ସିଂହାସନ ଫେରାଇ ଦେଇଥିଲେ। ମାତ୍ର ଦୁଶ୍ଚରିତ୍ର କପଟି ଇଂରେଜ ପ୍ରଶାସକ ଜୟୀ ରାଜଗୁରୁଙ୍କର ଏଭଳି ସାହସିକତାର କଥା ଶୁଣି ତାଙ୍କୁ ଫାସି ଦେବାର ନିଷ୍ପତି ଶୁଣାଇଥିଲେ। ଏହି ମିଥ୍ୟା ବିଚାରର ସଂଦର୍ଭ ବିଚାରର ବହୁଦିନ ଆଗରୁ ପ୍ରସ୍ତୁତ କରାଯାଇଥିଲା। ମାତ୍ର କେବଳ ଔପଚାରିକତା ଦୃଷ୍ଟିରୁ ଏଭଳି ବିଚାରର ଅଭିନୟ କରାଯାଇଥିଲା। ଭାରତ ମାତାର ସାହସୀ ନିର୍ଭିକ ପୁତ୍ର ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧାର ମଧ୍ୟ ଭାଗରେ ଥିବା ଏକ ବିଶାଳ ବରଗଛର ଚାରୋଟି ଡାଳକୁ ଟାଣି ଆଣି ଏକାଠି କରି ଦୁଇ ଗୋଡ ଏବଂ ଦୁଇ ହାତ ଗୁଡିକୁ ସେହି ଡାଳ ମାନଙ୍କରେ ଅଲଗା ଅଲଗା ଭାବରେ ଚାରି ଡାଳିଆ କରି ବାନ୍ଧି ଦେଇ ସେହି ଡାଳ ଗୁଡିକୁ ପୂର୍ବ ଅବସ୍ଥାକୁ ଛାଡି ଦିଆଯାଇ ଅତ୍ୟନ୍ତ ନୃସଂଶ ଭାବରେ ହତ୍ୟା କରାଯାଇଥିଲା। ଯାହାଦ୍ୱାରା ଜୟୀ ରାଜଗୁରୁଙ୍କର ଶରୀର ତତକ୍ଷଣାତ୍ ଦୁଇଫାଳ ହୋଇଯାଇଥିଲା ଏବଂ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜୟୀ ରାଜଗୁରୁ ତାଙ୍କର ମାଟି ମାଆ ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ସେହି ଜଘନ୍ୟ ହତ୍ୟା ସମୟରେ ସେ ଅତ୍ୟନ୍ତ ନମ୍ର ଭାବରେ ‘ବୀର ସପ୍ତପଦୀ’ର ଏକ ଶ୍ଳୋକ ଉଚ୍ଚାରଣ କରି ଅତ୍ୟନ୍ତ ସାହସିକତାର ସହିତ ନିଜର ମୃତ୍ୟୁକୁ ସ୍ୱୀକାର କରି ନେଇଥିଲେ। ତେଣୁ ଲୋକକଥାରେ କୁହା ଯାଇଛି – ‘ଜୟୀଆ ପଛେ ଜୀବନ ଦେଲା ନୂଆଇଁ ନାହିଁ ମଥା’। ତାଙ୍କର ବଳିଦାନ ପରେ ସେହି ସମୟର ଓଡିଶା ରାଜ୍ୟ ତାର ସ୍ୱାଧିନତାର ସତା ହରାଇଥିଲା ଏବଂ ଓଡିଶାର ସ୍ୱର୍ଣ୍ଣିମ ଇତିହାସରେ ପୂର୍ଣ୍ଣଛେଦ ପଡିଥିଲା। ସେହି ସମୟରେ ଏହି ଘଟଣା ଏଭଳି କୋକୁଆ ଭୟ ସୃଷ୍ଟି କରିଥିଲା ଯେ ପରବର୍ତ୍ତୀ ୧୧ ବର୍ଷ ପର୍ଯ୍ୟନ୍ତ ଏହି ବୀର ମାଟିରେ କୌଣସି ସଂଗ୍ରାମ ମୁଣ୍ଡ ଟେକି ନଥିଲା।

ଆଜିର ପାଇକ ସଂଗ୍ରାମର ଦୁଇଶତ ବର୍ଷ ପୂର୍ତ୍ତୀ ପାଳନର ଏହି ମହାର୍ଘ୍ୟ ମୂହୁର୍ତରେ ଆମେ ସେହି ମହାନ ବିପ୍ଳବୀ ବୀର ପୁଙ୍ଗବ ଜୟୀ ରାଜଗୁରୁ ଏବଂ ତାଙ୍କର ବଳିଦାନକୁ ବିସ୍ମରଣ କରିପାରିବା ନାହିଁ, ଯାହାକି ପାଇକ ମାନଙ୍କୁ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ଦୁର୍ବାର ପ୍ରେରଣା ଯୋଗାଇଥିଲା ଏବଂ ସେହି ପାଇକ ମାନଙ୍କର କୀର୍ତିକଳାପ, ତାଙ୍କର ସାହସ ଓ ପରାକାଷ୍ଠା ପରବର୍ତ୍ତୀ ସମୟରେ ଅନେକ ଗୁଡିଏ ସଂଗ୍ରାମର ମୂଳଦୁଆ ପକାଇଥିଲା। ବକ୍ସି ଜଗବନ୍ଧୁଙ୍କ ଦ୍ୱାରା ୧୮୧୭ ମସିହାର ସଂଗ୍ରାମ, ମାଧବ ଚନ୍ଦ୍ର ରାଉତରାୟଙ୍କ ଦ୍ୱାରା ୧୮୨୭ ମସିହାର ତାପଙ୍ଗ ସଂଗ୍ରାମ, ଶରଣ ସିଂହ ଏବଂ କୃତିବାସ ପାଟ୍ଟଶାଣୀଙ୍କ ଦ୍ୱାରା ୧୮୩୬ ମସିହାର ବାଣପୁର ସଂଗ୍ରାମ, ଚନ୍ଦନ ହଜୁରୀ ଏବଂ ଚାଖି ଖୁଂଟିଆଙ୍କ ଦ୍ୱାରା ୧୮୫୭ ମସିହାର ସଂଗ୍ରାମ, ବୀର ସୁରେନ୍ଦ୍ର ସାଏଙ୍କ ଦ୍ୱାରା ସମ୍ବଲପୁରର ସଂଗ୍ରାମ, ଚକରା ବିଶୋଇଙ୍କ ଦ୍ୱାରା ଘୁମୁସର ଓ ବୌଦ୍ଧର କନ୍ଧ ସଂଗ୍ରାମ, ରାଧାକ୍ରିଷ୍ଣ ଦଣ୍ଡସେନାଙ୍କ ଦ୍ୱାରା ପାରଳାଖେମୁଣ୍ଡିର ଶବର ସଂଗ୍ରାମ, ଭାଗଲପୁର ଏବଂ ବୀରଭୂମିର ସାନ୍ତାଳ ସଂଗ୍ରାମ, ତୋମା ଦୋରାଙ୍କ ଦ୍ୱାରା ମାଲକାନାଗିରିର କୋୟା ସଂଗ୍ରାମ, ବିର୍ସାମୁଣ୍ଡାଙ୍କ ଦ୍ୱାରା ଛୋଟନାଗପୁରର ମୁଣ୍ଡା ସମ୍ପ୍ରଦାୟର ସଂଗ୍ରାମ ଆଦି ସମସ୍ତ ସଂଗ୍ରାମ ଗୁଡିକ ଇଂରେଜ ଆଇନ ବିରୋଧରେ ସଂଗଠିତ ହୋଇପାରିଥିଲା। ଦେଶ ଭକ୍ତିର ଲେଲିହାନ ଶିଖା ଜୟୀ ରାଜଗୁରୁଙ୍କ ଭିତରେ ଏପରି ଭାବରେ ଉଦଭାଷିତ ହୋଇଥିଲା ଯେ, ସେ ସମସ୍ତ ପ୍ରକାର ସଂଗ୍ରାମର ରୋମାଂଚକାରୀ ପ୍ରତୀକ ଥିଲେ। ଏହି ବୀର ଜାତୀୟତାବାଦୀ ନେତାଙ୍କ ପ୍ରେରଣା ସମସ୍ତଙ୍କ ମଧ୍ୟରେ ଦେଶ ଭକ୍ତିର ମାନସିକତାକୁ ଆହୁରି ପ୍ରଜ୍ଜ୍ୱଳିତ କରିଥିଲା।

ବର୍ତମାନ ସମୟ ଉପନୀତ ହୋଇଛି, ଖୋର୍ଦ୍ଧାର ସେହି ବୀର ପାଇକ ପୁଙ୍ଗବ ମାନଙ୍କର ତଥା ପାଇକ ନେତା ଶହୀଦ୍ ଜୟୀ ରାଜଗୁରୁଙ୍କର ସ୍ମୃତିକୁ ରୋମନ୍ଥନ କରିବା ପାଇଁ, ଯେଉଁ ପାଇକ ମାନେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇ ଓଡିଶା ମାଟିରେ ଇଂରେଜ ମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ। ଜୟୀ ରାଜଗୁରୁଙ୍କ ଜୀବନ ହେଉଛି ଦେଶ ଭକ୍ତି ଏବଂ ଆତ୍ମୋତ୍ସର୍ଗର ଏକ ରୋମାଂଚକର ଗାଥା। ପ୍ରଚଣ୍ଡ କୂଟ୍ଟନୀତି, ଦୁର୍ବାର ସାହସ ଏବଂ ବୀରତ୍ୱ ବଳରେ ଜୟୀରାଜଗୁରୁ ଇଂରେଜ ମାନଙ୍କର ଶାସନକୁ ଦୃଢ଼ ପ୍ରତିହତ କରିପାରିଥିଲେ। କିନ୍ତୁ ପରିତାପର ବିଷୟ ଇତିହାସ ପୃଷ୍ଠାରେ ତାଙ୍କର ଇଂରେଜ ମାନଙ୍କ ବିରୋଧରେ ଏହି ଦୁର୍ବାର ପ୍ରତିରୋଧାତ୍ମକ ସଂଗ୍ରାମ ତାର ଯୋଗ୍ୟ ଆସନ ପାଇପାରି ନାହିଁ। ସେ ପ୍ରକୃତରେ ଜାତୀୟତାବୋଧର ଏକ ଲଢୁଆ ବ୍ୟାଘ୍ର ଥିଲେ। ବାସ୍ତବରେ ସେ ହେଉଛନ୍ତି ଏହି ଜାତିର ଜୀବନ୍ତ ଇତିହାସ। ଆଜି କେବଳ ତାଙ୍କ ସ୍ମୃତିଚାରଣ କରିବାର ଦିନ ନୁହେଁ, ବରଂ ତାଙ୍କର ଆଦର୍ଶବାଦକୁ ବାସ୍ତବ ରୂପରେଖ ଦେବାର ସମୟ। ଆସନ୍ତୁ ଆମେ ସମସ୍ତେ ଆଜି ଶପଥ ନେବା, ଜୟୀ ରାଜଗୁରୁ ମାତୃଭୂମିର ସୁରକ୍ଷା ପାଇଁ ଯେପରି ନିଜର ଲହୁ ଲୁହକୁ ଅର୍ପଣ କରିଛନ୍ତି, ଆମେ ଆଜିର ଦିନରେ ଆମର ନିଃସ୍ୱାର୍ଥପର ବଳିଦାନ, ଉତ୍ସର୍ଗୀକୃତ ଭାବନା ଏବଂ ଲଢୁଆ ମନୋବୃତିକୁ ନେଇ ଦେଶର ଉନ୍ନତି କରିବାରେ ଅଗ୍ରସର ହେବା, ଯାହାକି ତାଙ୍କର ଏହି ଶ୍ରେଷ୍ଠ ବଳିଦାନ ପାଇଁ ହେବ ପ୍ରକୃତ ସମ୍ମାନ।

ଭାରତ ମାତା କୀ ଜୟ। ବନ୍ଦେ ମାତରମ୍।

ସହାୟକ ଗ୍ରନ୍ଥ :

୧. ମହାନ ସଂଗ୍ରାମୀ ଜୟୀ ରାଜଗୁରୁ, ଡକ୍ଟର ପ୍ରଫୁଲ୍ଲ କୁମାର ପଟ୍ଟନାୟକ।
୧. ଫିରିଙ୍ଗି କଳି ଭାରତ, ମଧୁସୂଦନ ବିପ୍ର, ୧୮୩୫।
୩. ପାଇକ ଖେଦା, କହ୍ନେଇ ଚମ୍ପତିରାୟ।
୪. ଖୋରଧା ଦର୍ପଣ, ଦିଗମ୍ବର ହରିଚନ୍ଦନ।
୫. ଖୋରଧା ଇତିହାସ ଅନ୍ତରାଳେ, ୧୯୯୯, ଫକୀର ହରିଚନ୍ଦନ।
୬. ଓଡିଶାର ପ୍ରଥମ ଶହୀଦ୍ ଜୟୀ ରାଜଗୁରୁ, ଜଟ୍ଟାଧାରୀ ମିଶ୍ର।
୭. ଓଡିଶାର ସଶସ୍ତ୍ର ମୁକ୍ତି ସଂଗ୍ରାମ, କୃଷ୍ଣଚନ୍ଦ୍ର ଦାସ।

– ଡକ୍ଟର ଧୀରେନ୍ଦ୍ର ନନ୍ଦ
ଅଧ୍ୟକ୍ଷ, ଜୟୀ ରାଜଗୁରୁ ସ୍ମୃତି ସଂସଦ, ଓଡିଶା, ଟାଙ୍ଗିଆପଡା, ଖୋର୍ଦ୍ଧା