Odiapua.com

ଅଭିଶପ୍ତ ଜୀବନ ବିତାଉଛନ୍ତି ସିଞ୍ଜାକୁଟୀବାସୀ : ମୌଳିକ ସୁବିଧାରୁ ବଞ୍ଚିତ ୨୩ ଆଦିବାସୀ ପରିବାର

ବାଲିଗୁଡା, ୨୮/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଦେଶ ସ୍ୱାଧୀନତା ହାସଲକୁ ୭୪ବର୍ଷ ପୂରିଛି ସତ, ହେଲେ କନ୍ଧମାଳ ଜିଲ୍ଲାରେ ଏବେ ବି ଏମିତି ଗାଁ ଅଛି ଯେଉଁଠି ଲୋକଙ୍କୁ ସାମାନ୍ୟ ମୌଳିକ ସୁବିଧା ମିଳୁନାହିଁ। ନା ଗମନାଗମନ ସୁବିଧା ନା ଅଛି ସ୍ୱଚ୍ଛ ପାନୀୟ ଜଳର ସୁବିଧା, ନା ସ୍ୱାସ୍ଥ୍ୟ ସେବା ନା ଅଛି ପ୍ରାକ-ଶିକ୍ଷଣ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର। କାହିଁ କେଉଁ କାଳରୁ ଅଞ୍ଚଳରେ ବସବାସ କରୁଛନ୍ତି ଆଦିମ ଅଧିବାସୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ସରାମୂଳୀ ପଞ୍ଚାୟତର ଦୁର୍ଗମ ସିଞ୍ଜାକୁଟୀ ଗାଁରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଚତୁଃପାଶ୍ୱର୍ରେ ରହିଛି ବିସ୍ତୀର୍ଣ୍ଣ ପାହାଡ଼, ଆଉ ପ୍ରକୃତି କୋଳରେ ରହିଛି ସରାମୂଳୀ ପଞ୍ଚାୟତର ୧୨ ନମ୍ବର ଓାର୍ଡରେ ଥିବା ସିଞ୍ଜାକୁଟି ଗାଁ। ଦାରିଙ୍ଗବାଡ଼ି ବ୍ଲକ ଠାରୁ ସରାମୂଳି ୬୦ କିଲୋମିଟର ଦୂର ହୋଇଥିବା ବେଳେ ସେଠାରୁ ପ୍ରାୟ ୧୦ କିଲୋମିଟର ଗଲେ ପଡ଼ିବ ସିଞ୍ଜାକୁଟୀ ଗ୍ରାମ। ପାହାଡ଼ ପଥର କାଦୁଅ ଭର୍ତ୍ତି ଖାଲଢିପ ରାସ୍ତା ଡେଇଁ ଗଲାପରେ ପହଂଚିବାକୁ ହୁଏ ସିଞ୍ଜାକୁଟୀ ଗ୍ରାମରେ। ଏହି ଗ୍ରାମରେ ବସବାସ କରନ୍ତି ୨୩ ଆଦିବାସୀ ପରିବାର। ଗାଁକୁ ରାସ୍ତା ନଥିବା ଯୋଗୁଁ ଦୈନନ୍ଦିନ କାର୍ଯ୍ୟରେ ଗ୍ରାମବାସୀ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେ ନାହିଁ। ବାର୍ଦ୍ଧକ୍ୟ ତଥା ବିଧବା ଭତ୍ତା, ରାଶନ ସାମଗ୍ରୀ ପାଇଁ ପାହାଡ଼ିଆ ଜଙ୍ଗଲି ରାସ୍ତାରେ ଚାଲି ଚାଲି ଯିବାକୁ ପଡିଥାଏ। ଅନ୍ୟପକ୍ଷରେ ସାମାନ୍ୟ ରୋଗୀ ହୁଅନ୍ତୁ କି ଗର୍ଭବତୀ ରାସ୍ତା ନଥିବା ଯୋଗୁଁ ଭାରରେ ବୂହା ହୋଇ ଡାକ୍ତରଖାନାକୁ ଯିବାଆସିବା କରନ୍ତି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ମାର୍ଦ୍ଦିପଙ୍ଗା ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ଗ୍ରାମ ଠାରୁ ଡାକ୍ତରଖାନାର ଦୂରତା ସରାମୂଳୀ ଦେଇ ଗଲେ ପ୍ରାୟ ୧୫କି-ମି ଦୂର ହେଉଥିବା ବେଳେ ଅନ୍ୟଏକ ପାହାଡ଼ିଆ ରାସ୍ତାରେ ୩ କିଲୋମିଟର। କିନ୍ତୁ ରାସ୍ତାନଥିବାରୁ ଜରୁରୀ କାଳୀନ ପରିସ୍ଥିତିରେ ଗ୍ରାମବାସୀ ରୋଗୀମାନଙ୍କୁ ସେହି ୩ କିଲୋମିଟର ଦୂରତା ଥିବା ପାହାଡ଼ିଆ ରାସ୍ତାରେ ଭାରରେ ବୋହି ଡାକ୍ତରଖାନାକୁ ନିଅନ୍ତି। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ଝରଣା ଓ ଚୁଆପାଣିକୁ ବ୍ୟବହାର କରନ୍ତି। ବାରମ୍ବାର ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ଗାଁରେ ଗୋଟିଏ ନଳକୂପ ଖୋଳା ଯାଇଥିଲା, ହେଲେ ସେଥିରୁ ଦୂଷିତ ପାଣି ବାହାରୁଥିବାରୁ ଗ୍ରାମବାସୀ ଏହାକୁ ବ୍ୟବାହର କରିପାରୁନାହାନ୍ତି। ୨୩ ଆଦିବାସୀ ପରିବାରର ଗର୍ଭବତୀ ଓ ୫ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ୱାସ୍ଥ୍ୟସେବା ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ। ଅଙ୍ଗନୱାଡ଼ି କର୍ମୀ ନଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଆଶାକର୍ମୀ ମଧ୍ୟ ନାହାନ୍ତି। ଅନ୍ୟ ଏକ ଗ୍ରାମର ଆଶାକର୍ମୀ କେବେ କେମିତି ଗ୍ରାମକୁ ଆସିଥାନ୍ତି ବୋଲି ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି। ଅଙ୍ଗନୱାଡ଼ି ଶିଶୁମାନଙ୍କ ଖାଦ୍ୟ ପାଇଁ ବଣ ଜଙ୍ଗଲ ପାହାଡ଼ ଘେରା ରାସ୍ତା ଦେଇ କୁନି କୁନି ଛାତ୍ରଛାତ୍ରୀ ଗ୍ରାମଠାରୁ ପ୍ରାୟ ୩କିଲୋମିଟର ଦୂରତାରେ ଥିବା ତର୍ଗାବାଲି ଗ୍ରାମକୁ ଯାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଦୀର୍ଘ ବର୍ଷର ଦାବି ପରେ ମଧ୍ୟ ଆଜିଯାଏଁ ଗ୍ରାମକୁ ବିଜୁଳି ଆଲୁଅ ପହଂଚି ପାରିନାହିଁ। ଗତ ବର୍ଷ ସରକାର ଏକ ସୋଲାର୍ ଲାଇଟ୍‌ର ବ୍ୟବସ୍ଥା କରିଥିଲେ, କିନ୍ତୁ ୬ ମାସ ଚାଲିବା ପରେ ବର୍ତ୍ତମାନ ଖରାପ ହୋଇପଡ଼ିଛି। ଗ୍ରାମବାସୀମାନେ ମୁଖ୍ୟତଃ ହଳଦୀ ଏବଂ ମକା, କୋବି ବିନିସ, କଞ୍ଚା ଲଙ୍କା ଆଦି ପନିପରିବା ଚାଷ କରି ନିଜ ପେଟ ପୋଷିଥାନ୍ତି। କିନ୍ତୁ ଗାଁ’କୁ ଭଲ ରାସ୍ତାଟିଏ ନଥିବାରୁ ଅମଳ କରୁଥିବା ଫସଲକୁ ସଠିକ୍ ଦରରେ ବିକ୍ରି କରିପାରନ୍ତିନାହିଁ। କେବଳ ନିର୍ବାଚନ ସମୟରେ ନେତାମାନେ ପହଁଚି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଆସନ୍ତି। ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ଅଞ୍ଚଳବାସୀଙ୍କ ଦୁଃଖରେ ସାମିଲ୍ ହୋଇପାରୁନାହାନ୍ତି। ଜିଲ୍ଲା ପ୍ରଶାସନ ସିଞ୍ଜାକୁଟୀ ଗ୍ରାମର ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ଗ୍ରାମରକିଛି ବୁଦ୍ଧିଜୀବି ଦାବି କରିଛନ୍ତି।